କେନ୍ଦ୍ରାପଡ଼ା : ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳା ସ୍ଥାନୀୟ ଟେଲିକମ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଠ ସାହିତ୍ୟିକ ତଥା କବି ଦେବଦାସ ଛୋଟରାୟ ପୁସ୍ତକ ମେଳା କୁ ଉଦଘାଟନ କରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ପୁସ୍ତକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୁସ୍ତକ ପ୍ରତି ଆକୃଷ୍ଟ କରିବା ପାଇଁ ଅଭିଭାବକ ମାନେ ଯତ୍ନଶୀଳ ହେବା ଉଚିତ୍ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡିଶା ସାହିତ୍ୟ ଏକାଡେମୀ ର ସଚିବ ଡକ୍ଟର ଜୟନ୍ତୀ ରଥ ପୁସ୍ତକ ଏକ ବିଶାଳ ବୃକ୍ଷ, ଏହା ପାଠକ କୁ ଶିତଲ ଛାୟା ପ୍ରଦାନ କରେ ବୋଲି କହିଥିଲେ ।
ବିଶିଷ୍ଠ ଅତିଥି ଭାବେ କବି ପ୍ରଭାସିନୀ ମହାକୁଡ, କବି ଦୀପକ ସାମନ୍ତରାୟ, କବି ନିରାକାର ଦାସ ପ୍ରମୂଖ ଯୋଗ ଦେଇ ପୁସ୍ତକ ମେଳାର ଆୟୋଜନର ଆବଶ୍ୟତା ସଂମ୍ପର୍କରେ ଆଲୋକପାତ କରିଥିଲେ । ଇଞ୍ଜିନିୟର ଅକ୍ଷୟ କୁମାର ପାଣି ଙ୍କ ଅଧକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ କବି ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସମ୍ପାଦକ ମହମ୍ମଦ ଯାହିଦ ଖାଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଶେଷରେ ଜ୍ୟୋତି ରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କେମ ର ମୁଖପତ୍ର କେନ୍ଦ୍ରାପଡ଼ା ପରିକ୍ରମା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ସ ପକ୍ଷରୁ ଅୟୋଜିତ ପୁସ୍ତକ ମେଳା ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥିରେ ପ୍ରାୟ ୬୦ ରୁ ଅଧିକ ଷ୍ଟଲ୍ ରେ ରାଜ୍ୟର ବହୁ ପ୍ରତିଷ୍ଠିତ ପ୍ରକାଶକ ଅଂସଗ୍ରହଣ କରିଛନ୍ତି । ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୌଦ୍ଧିକ ଆଲୋଚନା ଅୟୋଜିତ ହେବ ।




