ଅବିଭକ୍ତ କଟକ

କଟକ: ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା ଓ ପରିଦର୍ଶନ

ଜିଲ୍ଲା ଦାଇତ୍ୱରେଥିବା ପଞ୍ଚାୟତିରାଜ ଓ ପାନୀୟଜଳ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ ସିଂ କଟକ ଗସ୍ତରେ ଆସି ଜିଲ୍ଲାପାଳ,ସି ଏମ ସି କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ କରି ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ଜନିତ ସମସ୍ୟା ଓ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ସ୍ଥିତି ସମୀକ୍ଷା କରିଥିଲେ। ଅନୁରୂପ ଭାବରେ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମହାନଦୀରେ ବନ୍ୟାଜଳ ପ୍ରଭାହିତ ହେଉଥିବା ମୁଣ୍ଡୁଳିସ୍ଥିତ ଜଳସମ୍ପଦ ବିଭାଗ କଂଟ୍ରୋଲ ରୁମ ପରିଦର୍ଶନ କରି ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହିତ ସ୍ଥିତି ସମ୍ପର୍କିତ ଆଲୋଚନା କରିଥିଲେ।ସାମ୍ଭାବ୍ୟ ବନ୍ୟା ଜନିତ ସମସ୍ୟା ଓ ମୁକାବିଲା ପାଇଁ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ନିଜେ ମଧ୍ୟ ବାଙ୍କୀ ଉପଖଣ୍ଡ କାଇମୁଣ୍ଡି ଚାରିଘରିଆ ଅଞ୍ଚଳ ପରିଦର୍ଶନ କରିଥିଲେ।ପ୍ରାଥମିକ ଆକଳନ ଅନୁଯାୟୀ ସମଗ୍ର ଜିଲ୍ଲାରେ ୮ଟି ବ୍ଲକର ୩୯ଟି ଗ୍ରାମ ପଂଚାୟତ ଓ ୬୯ ଗ୍ରାମରେ ପାଣି ମାଡିଯାଇ କ୍ଷତି ଘଟିଥିବା ବେଳେ ସି ଏମ ସି ଅଂଚଳର ୨ଟି ୱାର୍ଡରେ ଜଳ ପ୍ରବେଶ ହୋଇଛି ଏବଂ ନିଷ୍କାସନ ବ୍ୟବସ୍ଥା ମଧ୍ୟ କରାଯାଇଛି। ସମଗ୍ର ଜିଲ୍ଲାରେ ସମୁଦାୟ ୪୬ ହଜ଼ାର ୮୧ ଜଣ ବନ୍ୟା ଯୋଗୁଁ ପ୍ରଭାବିତ ହୋଇ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଗ୍ରାମାଞ୍ଚଳ ଓ ସିଏମ ସି ଅଂଚଳରୁ ଯଥାକ୍ରମେ ୯୯୮ ଓ ୨୩ ଜଣ ସମୁଦାୟ ୧୦୨୧ ଜଣଙ୍କୁ ନିରାପତ୍ତା ଜାଗାକୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାସ୍ତାମାନଙ୍କରେ ବନ୍ୟାଜଳ ମାଡିଯାଇ ଥିବାରୁ ଯାତାୟତ ସୁବିଧା ନିମନ୍ତେ ଆଜି ସମୁଦାୟ ୧୨ଟି ଵୋଟର ବ୍ୟବସ୍ଥା କରାଯାଇଛି।୬ ଜଣିଆ ଓଡ୍ରାଫ ଟିମ ଏବଂ ୬ ଜଣିଆ ଅଗ୍ନିଶମ ସେବା କୁ ନିୟୋଜିତ କରାଯାଇଥିବା ବେଳେ ଏକ ଡାକ୍ତରୀ ଓ ଭେଟେନାରୀ ଚିକିତ୍ସା ଟିମ କୁ ଏସବୁ ଅଂଚଳ ପାଇଁ ନିୟୋଜିତ କରାଯାଇଛି। ତିଗିରିଆ ଅଞ୍ଚଳରେ ୨୮୫୩ ପଶୁ ପ୍ରଭାବିତ ହୋଇଥିବାର ମଧ୍ୟ ପ୍ରାଥମିକ ସୂଚନା ରୁ ଜଣାପଡିଛି।ସମଗ୍ର ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇ ସ୍ଥିତି ଉପରେ ନଜ଼ର ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ୨୭.୦୧ କୁଇଣ୍ଟାଲ ଚୁଡା,୫.୪୦ କୁଇଣ୍ଟାଲ ଗୁଡ ଓ ୪ କୁଇଣ୍ଟାଲ ବିସ୍କୁଟ ମହଜୁଦ ଅଛ ବୋଲି ମଧ୍ୟ କହିଛନ୍ତି।ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୧୦ ଲକ୍ଷ ୦୨ ହଜ଼ାର ୮୨୩ କୁସେକ ଜଳ ପ୍ରଭାବିତ ହେଇ ସ୍ଥିତି ନିୟନ୍ତ୍ରଣ ରେ ଅଛି।

Most Popular

To Top