ରାଜ୍ୟ

କାହାପାଇଁ ବଡବୃତ୍ତି ଉପାନ୍ତ ଗ୍ରାମ ଓ ନଗଡା?

ବଡବୃତ୍ତିର ଦୁଃଖକୁ ନେଇ ଏବେ କଣ୍ଟାପଡା ଅଞ୍ଚଳରେ ଅଳ୍ପବହୁତ ରାଜନୀତି ଆରମ୍ଭ ହେଲାଣି । କେହିକେହି ବଡବୃତ୍ତି ଗ୍ରାମକୁ ନଗଡା ସହ ମଧ୍ୟ ତୁଳନା କଲେଣି । ଏମିତିକି ବଡବୃତ୍ତି ଗ୍ରାମର ଏପରି ଦୁଃଖ ପାଇଁ ଦାୟୀ କିଏ ତାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହେଲାଣି । କିନ୍ତୁ କେହିବି ବଡବୃତ୍ତିର ଏପରି ଦୁର୍ଦ୍ଦଶା ପାଇଁ ଉତ୍ତର ଦାୟୀତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି । ତେବେ ସମସ୍ୟାର ସମାଧାନ କିପରି ହେବ ତାକୁ ନେଇ ପ୍ରଶାସନ ତାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ବ୍ଲକ ପ୍ରଶାସନର ଏକ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ବଡବୃତ୍ତି ଗ୍ରାମକୁ ଯାଇ ଅନୁଧ୍ୟାନ କରି ଫେରିବା ପରେ ରିପୋର୍ଟ ପ୍ରସ୍ତୁତ ଚାଲିଛି । କିନ୍ତୁ ଦୁଃଖର ବିଷୟ ନଖରେ ଛିଡିବା ଏହି ସୂତା ପାଇଁ ଏବେ କୁରାଢି କଟୁରୀ ଯୋଗାଡ ଚାଲିଥିବା ପରି ଘଟଣା ଘଟୁଥିବା ଜଣାପଡିଛି ।
କଟକ ଜିଲ୍ଲାର କଣ୍ଟାପଡା ବ୍ଲକ ବଡବୃତ୍ତି ଏକ ରାଜସ୍ୱ ଗ୍ରାମ । ୨୦୦୧ ମସିହା ଜନଗଣନା ଅନୁସାରେ ଏହି ଗ୍ରାମର ଲୋକସଂଖ୍ୟା ଥିଲା ୪୦ଜଣ । ଅବସ୍ୟ ସରକାରଙ୍କ ଏହି ତଥ୍ୟରେ ଭୁଲ ଥିଲା ପରି ଜଣାପଡୁଛି । ସେ ଯାହାବି ହେଉ ଏହି ରାଜସ୍ୱଗ୍ରାମର ଦୁଃଖ କହିଲେ ଏଠାକୁ ସବୁ ଦିନିଆ ରାସ୍ତା ଖଣ୍ଡେ ନାହିଁ । ଯେଉଁ କାରଣରୁ ଏଠାରେ ବସବାସ କରୁଥିବା ଲୋକେ ବର୍ଷକ ବାରମାସ ଦହଗଞ୍ଜ ହୋଇଥାନ୍ତି । ଅବସ୍ୟ ଏ ସମ୍ପର୍କରେ ବହୁବାର ଗଣମାଧ୍ୟମରେ ତଥ୍ୟ ସମ୍ବଳିତ ଖବର ପ୍ରକାଶ ପାଇଛି । ତଥାପି ପ୍ରଶାସନର ନିଦ ସମ୍ପୂର୍ଣ୍ଣ ଋପେ ଭାଙ୍ଗି ନାହିଁ । ଯଦିଓ ୨୦୧୪-୧୫ ଠାରୁ ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରଶାସନର ନିଦ ଭାଙ୍ଗିଥିଲା ତେବେ ନିଦ ସମ୍ପୂର୍ଣ୍ଣ ଭାଙ୍ଗିବା ପୁର୍ବରୁ ସବୁକିଛି ପୁଣି ଓଲଟପାଲଟ ହୋଇଗଲା ।
ଏପରି ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା ବିଗତ ଦିନରେ ଏହି ଗ୍ରାମରରେ ବିବାହ କରିଥିବା ଜଣେ ମହିଳା କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରେ ସେ ମହାଶୟା ଏହି ଗ୍ରାମପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଥିଲେ । ଯେଉଁଥିରେ ଫୁଲନଖରା-ନିଆଳୀ ରାସ୍ତାର ଦାମୋଦରପୁର ଠାରୁ ପ୍ରଧାନସାହି ଦେଇ ବଡବୃତ୍ତିକୁ ସଂଯୋଗ କରୁଥିବା ରାସ୍ତାରେ ୫ଲକ୍ଷ ଟଙ୍କା ବ୍ୟୟରେ ଏକ ଢଳେଇ ପୋଲ ନିର୍ମାଣ କରିଥିବା ବେଳେ ସେହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଭୃକ୍ତ କରି ପାଟସୁନ୍ଦର ପୁର ପର୍ଯ୍ୟନ୍ତ ସଂଯୋଗ କରାଯିବାକୁ ଏକ ପ୍ରସ୍ତାବ ପଞ୍ଚାୟତ ସମିତିରେ ଗୃହୀତ କରାଇଥିବା ଜଣାପଡିଛି । ଯଦିଓ ଏ ସଂକ୍ରାନ୍ତିୟ କୌଣସି ତଥ୍ୟ ବ୍ଲକ ପ୍ରଶାସନ ନିକଟରେ ଥିବା ଜଣାପଡି ନାହିଁ ତଥାପି ଯଦି ଏପରି ହୋଇଥାଏ ତେବେ ଏହା ଏକ ଉତ୍ତମ ଯୋଜନା କହିଲେ ଅତ୍ୟୁକ୍ତି ହେବନାହିଁ ।
ଏସବୁ ବ୍ୟତିରେକ ଯଦି ବର୍ତ୍ତମାନର ଅବସ୍ଥା ଦେଖିବା ତେବେ ଦାମୋଦର ପୁର –ବଡବୃତ୍ତି ରାସ୍ତାର ଅନେକ ଅଂଶରେ ସରକାରୀ ଜମି ନଥିବା କୁହା ଯାଉଛି । ବ୍ୟକ୍ତିଗତ ମାଲିକାନାରେ ଥିବା ଏହି ଜମି ଗୁଡିକରେ କିପରି ସରକାରୀ ରାସ୍ତା ନିର୍ମାଣ କରାଯିବ ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହେଉଛି । ଖାଲି ସେତିକି ନୁହେଁ ଏହି ରାସ୍ତା ପାଇଁ ଜମି ଅଧିଗ୍ରହଣ କରି ସଂପୂର୍ଣ୍ଣ ନୂତନ ରାସ୍ତା ନିର୍ମାଣ କରିବା ମଧ୍ୟ ବ୍ଲକ ପ୍ରଶାସନ ପାଇଁ ଏକ ଦୁରହ ବ୍ୟାପାର । ଗତ ଜାନୁୟାରୀ ମାସରେ ଏହି ବଡବୃତ୍ତି ଗ୍ରାମ ବାବଦରେ ଗଣମାଧ୍ୟରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ଉଚ୍ଚ କର୍ତ୍ତୃପକ୍ଷ ଏ ବାବଦରେ ରିପୋର୍ଟ ତଲବ କରିବାରେ ଏହି ଗ୍ରାମଟିକୁ ବ୍ଲକ ପ୍ରଶାସନ ଏକ ଉପାନ୍ତ ଗ୍ରାମ ଭାବେ ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିଥିବା ପରି ତଥ୍ୟ ଏବେ ସାମ୍ନାକୁ ଆସୁଛି । ଏହି ରିପୋର୍ଟ ଓ ସରକାରୀ ଜମି ନଥିବା ଅର୍ଦ୍ଧ ନିର୍ମିତ ରାସ୍ତାରେ ବ୍ଲକ ପ୍ରଶାସନ କିପରି ୫ଲକ୍ଷ ଟଙ୍କା ବ୍ୟୟ କଲା ତାକୁ ନେଇ ଅଡୁଆ ପରିସ୍ଥିତ ସୃଷ୍ଟି ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି ୫ଲକ୍ଷ ଟଙ୍କା ପୋଲ ଓ ରାସ୍ତା ମରାମତି ଯୋଜନା ବାବଦରେ ବ୍ୟୟ କରାଯାଇଥିବାେ ବେଳେ ଅସଂପୂର୍ଣ୍ଣ ରାସ୍ତାକୁ ସଂପୂର୍ଣ୍ଣ କରା ନଯାଇ କିପରି ମରାମତି ପାଇଁ ଅର୍ଥ ମଞ୍ଜୁର କରାଗଲା ତାକୁ ନେଇ ପ୍ରଶାସନ କୌଣସି ସଠିକ ଉତ୍ତର ଦେଇ ପାରୁ ନାହିଁ । ସେହିପରି ଏହି ପ୍ରସ୍ତାବିତ ରାସ୍ତାରେ କଟକ ଡ୍ରେନେଜ ବିଭାଗ ତରଫରୁ ପଆୟ ୯୦ଲକ୍ଷ ଟଙ୍କା ବ୍ୟୟରେ ବଡବୃତ୍ତର ଦୁଃଖ ତେଲିଯୋରୀ ନଦୀ ଉପରେ ଏକ ଢଳେଇ ପୋଲ ମଧ୍ୟ ନିର୍ମାଣ କରାଯାଇଛି । ଏଠାରେ ସ୍ୱତଃ ମନରେ ପ୍ରଶ୍ନ ଉଠେ ବ୍ୟକକ୍ତିଗତ ମାଲିକାନାରେ ଥିବା ଜମିକୁ ନିଜ ଅଧିନକୁ ନଆଣି ପ୍ରଶାସନ ଏତେ ଟଙ୍କା ଖର୍ଚ୍ଚ କରିବାରେ କି ଯଥାର୍ଥତା ରହିଛି ।

ସେହିପରି ପ୍ରଶାସନ ବଡବୃତ୍ତି ଗ୍ରାମକୁ ଏକ ଉପାନ୍ତ ଗ୍ରାମ ଭାବେ ଘୋଷଣା କରିବାରେ କେତେ ଯଥାର୍ଥତା ରହିଛି ତାହା ମଧ୍ୟ ବିଚାର କରାଯିବା ଉଚ୍ଚିତ । ନିଜର ତୃଟି ଲୁଚାଇବା ପାଇଁ ପ୍ରଶାସନ ଏପରି କରିଥିବା ପରିସ୍କାର ଜଣାପଡି ଯାଉଛି । କାରଣ ବଡବୃତ୍ତି ଗ୍ରାମର ଗୋଟିଏ ପଟେ ତେଲିଯୋରୀ ନଦୀ ଥିବା ବେଳେ ଅନ୍ୟପଟେ ରହିଛି ପାଟସୁନ୍ଦରପୁର-ବଡବୃତ୍ତି ମାଇନର କେନାଲ । ଏହି କେନାଲର ଢିଅସାହି ଗ୍ରାମରୁ ଅନ୍ୟୁନ ଦୁଇଶହ ମିଟରୁ ଉଦ୍ଧ୍ୱର୍ ନାଳବନ୍ଧକୁ ଢଳେଇ ରାସ୍ତାରେ ପରିଣତ କରାଯାଇଛି । ଯେହେତୁ ଏହି ନାବନ୍ଧ ବଡବୃତ୍ତିକୁ ସଂଯୋଗ କରୁଛି ଓ ଲୋକମାନେ ନାଳବନ୍ଧ ରାସ୍ତା ଦେଇ ଯାତାୟତ କରନ୍ତି ତେଣୁ ବ୍ଲକ ପ୍ରଶାସନ ଏପରି କାର୍ଯ୍ୟ ମଧ୍ୟ ହାତକୁ ନେଇଥିଲା । ସଂପ୍ରତି ଏହି କେନାଲର ବାମପାଶ୍ୱର୍ ବନ୍ଧ କୁରାଢିଆ ମଶାରୀ ପର୍ଯ୍ୟନ୍ତ ଢଳେଇ ରାସ୍ତାରେ ପରିଣତ ହୋଇଛି । ଖାଲି ସେତିକି ନୁହେଁ ବଡବୃତ୍ତିକୁ ସବୁ ଦିନିଆ ରାସ୍ତା ଖଣ୍ଡେ ନିର୍ମାଣ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନର ଜଗତସିଂପୁର ସାଂସଦଙ୍କ ହାତପାଣ୍ଠିରୁ ୩ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା । କିନ୍ତୁ ରାଜନୈତୀକ କାରଣୁ ଏହି ଅର୍ଥ ଖର୍ଚ୍ଚ ନହୋଇ ଫେରି ଯାଇଥିବା କୁହା ଯାଉଛି ।ଏହି କେନାଲର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପାଟ ପାଣି ନିଷ୍କାସନ ପାଇଁ ଏକ ଢଳେଇ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଉଛି । ତେଣୁ ମୋଟାମୋଟି ଦେଖିବାକୁ ଗଲେ ବଡବୃତ୍ତିକୁ ଗମନା ଗମନ ପାଇଁ ଆଜି ଯେଉଁ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି ତାହା ପ୍ରଶାସନୀକ ଉଦାସୀନତାରୁ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ପ୍ରଶାସନ ସାମାନ୍ୟ ତମ ଉଦ୍ୟମ କରିଥାନ୍ତା ତେବେ କିଛି ନହଲେବି ପାଟସୁନ୍ଦରପୁର-ବଡବୃତ୍ତି କେନାଲ ବନ୍ଧର ଉନ୍ନତୀ କାର୍ଯ୍ୟ କରାଇଥିଲେ ଆଜି ବଡବୃତ୍ତିକୁ କିଏ ଉପାନ୍ତ ଗ୍ରାମ ତ ଆଉ କିଏ ନଗଡାର ଆଖ୍ୟା ଦେବାକୁ ସାହସ କରି ନଥାନ୍ତେ । କିନ୍ତୁ ପ୍ରଶାସନ ଏପରି ଏକ ତଥ୍ୟକୁ ଉପରିସ୍ଥ ଅଧିକାରୀଙ୍କୁ ଦେବାକୁ ଉଚ୍ଚିତ ମଣୁନାହିଁ । କାରଣ ଗୋଟିଏ ପଟେ ବିନା ଦ୍ୱନ୍ଦରେ ଓ ଅଳ୍ପ ଖର୍ଚ୍ଚେ;ର ଯଦି ବଡତ୍ତ୍ିକୁ ରାସ୍ତା ସଂଯୋଗ ହୋଇ ପାରିବ ତେବେ ତାହା କରାନଯାଇ କାହିଁକି ଅସଂପୂର୍ଣ୍ଣ ରାସ୍ତାରେ ମରାମତି ବାବଦରେ ଅର୍ଥ ବ୍ୟୟ କରାଗଲା ତାକୁ ନେଇ ଉତ୍ତର ରଖିବାକୁ ପଡିବ । ଏପରି ତୃଟିକୁ ଲୁଚାଇବା ପାଇଁ ପ୍ରଶାସନ ବଡବୃତ୍ତି ଗ୍ରାମକୁ ଏକ ଉପାନ୍ତ ଗ୍ରାମ ଦର୍ଶାଇ ସରକାରଙ୍କୁ ରିପୋର୍ଟ ଦେଇ ଚୁପ ବସି ଯାଇଛି ।
ହେଲେ ଦୁଃଖର କଥା ଯେଉଁମାନେ ବଡବୃତ୍ତିର ଏପରି ଅବସ୍ଥାକୁ ନେଇ ରାଜନୀତି ଆରମ୍ଭ କରିବାକୁ ପାଗ ଭିଡିଛନ୍ତି ସେମାନେ ମଧ୍ୟ ପ୍ରଶାସନର ଏପରି ତୃଟିକୁ ଠିକ୍ ଢଭ୍ଗରେ ଉପସ୍ଥାପିତ ନକରିବା ପଛରେ କି କାରଣ ରହିଛି ତାହା ଜଣାପଡୁ ନାହିଁ ।

ଗୋଟିଏ ପଟେ ବଡବୃତ୍ତି ଗ୍ରାମବାସୀ ଫୁଲନଖରା-ନିଆଳୀ ରାସ୍ତାକୁ ବାହାରିବା ପାଇଁ ରାସ୍ତାର ଆବଶ୍ୟକତା ଥିବା ବେଳେ ଗମନା ଗମନର ତ୍ୱରିତ ସମାଧାନ ମଧ୍ୟ ଆବଶ୍ୟକ । ଏଣୁ ପାଟସୁନ୍ଦରପୁର-ବଡବୃତ୍ତି ନାଳବନ୍ଧ ରାସ୍ତାକୁ ଗମନାଗମନ ଯୋଗ୍ୟ ପାଇଁ ପ୍ରଶାସନ ପ୍ରଥମ ପଦକ୍ଷେପ ନେଇ କାର୍ଯ୍ୟାରମ୍ଭ କରିବା ସହ ଫୁଲନଖରା-ନିଆଳୀ ରାସ୍ତାର ସଂଯୋଗ ପାଇଁ ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନେବା ଜରୁରୀ ମନେହୁଏ । ନଚେତ ସମସ୍ତଙ୍କର ମିଲି ଭଗତରେ ବଡବୃତ୍ତିକୁ ଉପାନ୍ତ ଗ୍ରାମ କରି ରଖିବା ସହ ବଡବୃତ୍ତି ଗ୍ରାମକୁ ସବୁଦିନ ପାଇଁ ବାହ୍ୟ ଜଗତରୁ ବିଛିନ୍ନ କରି ଶସ୍ତା ରାଜନୀତି ପାଇଁ ଉଦ୍ୟମ ହେଉଛି ବୋଲି ଧରି ନେବାକୁ ହେବ ।

Click to comment

Leave a Reply

Your email address will not be published. Required fields are marked *

1 × 4 =

Most Popular

To Top