ଅବିଭକ୍ତ କଟକ

ଗାଁ ଲୋକଙ୍କ ପାଇଁ ୪୦ ଥର ଲଣ୍ଡା ହେଲେଣି ଯୁବକ

କେନ୍ଦ୍ରାପଡ଼ା (ଶୋଭନ ଆଚାର୍ଯ୍ଯ) : ଥରେ କି ଦୁଇ ଥର ନୁହଁ ବରଂ ୪୦ ଥର ଲଣ୍ଡା ହେଲେଣି ଜଣେ ଯୁବକ l ତାହା ପୁଣି ଗାଁ ଲୋକଙ୍କ ପାଇଁ l ଏମିତି ଜଣେ ଭିନ୍ନ ଚରିତ୍ରର ଯୁବକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ୍ କରିଲୋପାଟଣା ପଞ୍ଚାୟତ ର ଗୋପେଇ ପଣଷୁଆପଡା ଗାଁ ର ପ୍ରମୋଦ କୁମାର ଦାସ l ପ୍ରମୋଦ ଙ୍କ ବୟସ ୩୫ l କିନ୍ତୁ ସେ ଗାଁ ତଥା ପାଖ ପଡ଼ିଶା ଙ୍କ ପାଇଁ ୪୦ ଥର ଲଣ୍ଡା ହୋଇ ସାରିଲେଣି l ଗାଁ ରେ ଯେ କୌଣସି ଜାତି ଧର୍ମ ସମ୍ପ୍ରଦାୟ ର ବ୍ଯକ୍ତି ମୃତ୍ୟୁବରଣ କଲେ ତାଙ୍କ ପରିବାର ଲୋକଙ୍କ ସହ ପ୍ରମୋଦ ମଧ୍ଯ ଶୁଦ୍ଧି କାର୍ଯ୍ୟ ରେ ସାମିଲ ହୋଇ ଲଣ୍ଡା ହୋଇ ପଡ଼ନ୍ତି l ଖାଲି ସେତିକି ନୁହଁ ମୃତ ବ୍ୟକ୍ତିଙ୍କ ଆତ୍ମୀୟ ସ୍ଵଜନ ଙ୍କ ପରି ନିଷ୍ଠା ର ସହ ଶୁଦ୍ଧିକ୍ରିୟା ର ସମସ୍ତ କାର୍ଯ୍ୟ ସେ କରି ଥାଆନ୍ତି l ଜଣେ ସମାଜସେବୀ ଭାବରେ ପ୍ରମୋଦ ନିଜ ପଞ୍ଚାୟତ ରେ ବେଶ୍ ପରିଚିତ l କେହି ଅସୁବିଧା ରେ ପଡିଲେ ରାତି ଅଧରେ ବି ପାଖରେ ଛିଡା ହୁଅନ୍ତି ସେ l ଗାଁ ରେ ହେଉଥିବା ସାମୁହିକ ପୂଜା ପାର୍ବଣ ଓ ଉତ୍ସବ ରେ ଆଗରେ ରହି ସମସ୍ତ କାର୍ଯ୍ୟ ନିର୍ବାହ କରନ୍ତି l ନିଜ କଥା ଚିନ୍ତା ନକରି ଲୋକଙ୍କ ସୁଖରେ ଦୁଃଖରେ ଯିଏ ହାଜର ହୁଅନ୍ତି ଏମିତି ବ୍ୟକ୍ତି ହେଉଛନ୍ତି ପ୍ରମୋଦ l ଏହା ବ୍ୟତୀତ ପ୍ରମୋଦ ଜଣେ କ୍ରିକେଟ୍ କମେଟେଟର୍ l ଅତି ନିଖୁଣ ଭାବେ ଓଡିଆ ଓ ହିନ୍ଦୀ ଭାଷା ରେ ସେ କ୍ରିକେଟ କମେଣ୍ଟ୍ରି କରି ପାରନ୍ତି l ଏହା ମଧ୍ଯ ତାଙ୍କ ବ୍ୟକ୍ତିତ୍ୱ ର ଅନ୍ୟତମ ଦିଗ l କେବଳ ନିଜ ପଞ୍ଚାୟତ ନୁହଁ ଆଖପାଖ ପଞ୍ଚାୟତ ରେ ମଧ୍ଯ କ୍ରିକେଟ ଖେଳ ହେଲେ କମେଣ୍ଟ୍ରି ପାଇଁ ପ୍ରମୋଦ ଙ୍କୁ ଖୋଜା ପଡେ l ନିଜର ଅଜବ ଖିଆଲ ସମ୍ପର୍କରେ ପଚାରିଲେ ହସି ହସି ସେ କହନ୍ତି, “ମୁଁ ମଣିଷ କୁ ଭଲ ପାଏ l ମଣିଷ ର ଦୁଃଖରେ ଦୁଃଖୀ ଓ ଖୁସି ରେ ଖୁସି ହୁଏ l ସମାଜରେ ଥିବା ଜାତିି ଓ ଉଚ୍ଚ ନୀଚ ପ୍ରଥା ମୋତେ ବିଚଳିତ କରେ l ସେଇଥି ପାଇଁ ଯେଉଁ ଜାତିର ଲୋକଟା ମୃତ୍ଯ ବରଣ କରୁ ନା କାହିଁକି ମୁଁ ତା ପାଇଁ ଲଣ୍ଡା ହୋଇ ଶୋକ ବ୍ୟକ୍ତ କରେ” l
‘ପ୍ରମୋଦ ଙ୍କ ପରି ଯୁବକ ଆଜିର ସ୍ୱାର୍ଥପର ସମାଜ ପାଇଁ ଏକ ଜ୍ୱଳନ୍ତ ଦୀପ ଶିଖା l ତାଙ୍କର ମାନବବାଦୀ ଆଭିମୁଖ୍ୟ ଆମ ଗାଁ ତଥା ପଞ୍ଚାୟତ ପାଇଁ ଗର୍ବ ଗୌରବ ର ବିଷୟ’ ବୋଲି ଗୋପେଇ ପଣଷୁଆପଡା ଗାଁ ର ଯୁବକ ମନୋଜ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି l ବ୍ୟକ୍ତିଗତ ସୁଖ ସୁବିଧା ପାଇଁ ଆଖିବୁଜି ଦିନ ରାତି ଧାଉଁଥିବା ମଣିଷ ମାନଙ୍କ ପାଇଁ ପ୍ରମୋଦ ଙ୍କ ଜୀବନ ଆଦର୍ଶ ହେଉ ଆମ ଖବର ପରିବାର ର ଏତିକି କାମନା l

Most Popular

To Top