ଅବିଭକ୍ତ କଟକ

ଗୋଟିଏ ଯୁଗର ଶେଷେ ହେଲା

fbthdr

ରଘୁନାଥ ଆଚାର୍ଯ୍ୟ,ମୁଖ୍ୟ ନିର୍ଦ୍ଦେଶକ


୩ ନଭେମ୍ଭର ୨୦୨୦ ମସିହା,ଦୀର୍ଘ ଦିନ ପରେ ଭାବିଲି ଟିକେ କଣ୍ଟାପଡା ବ୍ଲକ ଆଡେ ବୁଲିଆସିବି । ବ୍ଲକରେ ପହଞ୍ଚିବାର କିଛି ସମୟ ପରେ ଫୋନ ଆସିଲା,ସେପଟୁ ଜଣେ ବନ୍ଧୁ କହୁଥିଲେ ଭାଇ ଚାଲିଗଲେ । ହଠାତ୍ କଥାଟା ବିଶ୍ୱାସ ହେଲାନି । କାରଣ ଗତ କିଛି ଦିନ ହେବ ଏମିତି ଭୁଲ ଖବର ଆସୁଥିଲା । ହେଲେ ଏ ଖବରଯେ ଭୁଲ ନଥିଲା ତାହା ପରେ ପରିସ୍କାର ହୋଇଗଲା ।
ଯୁଗ ପ୍ରକାଶ କାନୁନଗୋ,ଯୁଗଭାଇ,କୁଲୁ ଭାଇ ଏମିତି ଅନେକ ନାଁରେ ସେ ପରିଚିତ ଥିଲେ ସାରା ଓଡିଶାର ବିଭିନ୍ନ ଅଞ୍ଚଳରେ । ହେଲେ ଆମେ କେତେଜଣ ଖାଲି ଭାଇ ବୋଲି ଡାକୁ । ଭାଇଙ୍କ ସହ ସିଧା ସଳଖ ସମ୍ପର୍କ୨୦୦୦ ମସିହାରୁ । ଯେତେବେଳେ ମୁଁ ଆମ ଖବର ଖବର ପାକ୍ଷିକ ଖବର କାଗଜ ପ୍ରକାଶ କରୁଥିଲି । ବିଭିନ୍ନ କାରଣକୁ ନେଇ ଆଉ ଆମ ଖବର ପ୍ରକାଶ କରିବା ଯେତେବେଳେ ସମ୍ଭବ ହୋଇ ପାରିଲା ନାହିଁ ସେତେବେଳେ ସେ ଏହାର ଦାୟୀତ୍ୱ ନେଇଥିଲେ ।କୌଣସି ଆର୍ଥୀକ ଆଦାନ ପ୍ରଦାନ ନହୋଇ କେତେକ ଅଲିଖିତ ସର୍ତ୍ତରେ ସେ ଆମ ଖବରକୁ ଆଦରି ନେଇଥିଲେ । କିଛି ବର୍ଷ ମଧ୍ୟ ଚଳାଇଲେ । ସେ ସମୟ ମଧ୍ୟରେ ମୁଁବି କିଛିଦିନ ରହି ତାର ସମସ୍ତ କାର୍ଯ୍ୟ ତଦାରଖ କରୁଥିଲି । ହେଲେ ସମୟ କ୍ରମେ ମୁଁ ସେଥିରୁ ଦୁରେଇ ରହିଲେବି ବିଭିନ୍ନ ସମୟରେ ଆମ ଖବର ବାବଦରେ ଆମେ ଉଭୟ ଆଲୋଚନା କରୁ । ଶେଷରେ କିିଛି ବର୍ଷ ସେ ଆମ ଖବର ପ୍ରକାଶ କରିବା ପରେ ଏବେ ତାହା ବନ୍ଦ ହୋଇ ଯାଇଛି । ଆଲୋଚନା ହୋଇଥିଲା ପୁଣି ପ୍ରକାଶ କରିବା ପାଇଁ । ହେଲେ ସବୁ କଥା କଥାରେ ରହିଗଲା ।
ଯୁଗ ପ୍ରକାଶ କାନୁନଗୋଙ୍କ ସହ ମୋର ସିଧା ସଳଖ ୨୦ ବର୍ଷର ସମ୍ପର୍କ । ଏହାରି ଭିତରେ ମୁଁ ତାଙ୍କୁ ଅତି ପଖରୁ ଦେଖିଛି । ଭଲ ଭାବେ ବୁଝିଛି । ଅନେକ ଲୋକ ତାଙ୍କୁ ଅନେକ ଭାବେ ବୁଝନ୍ତି । ମୁଁ କିନ୍ତୁ ଏତିକି ବୁଝିଛି ସେ ଥିଲେ ଜଣେ ନିଆରା ପ୍ରକୃତିର ମଣିଷ । ଏମିତି ଅନେକ ଘଟଣା ଓ କଥା ହୋଇଛି ଯାହା ମୋତେ ତାଙ୍କୁ ଏପରି ବୁଝିବାକୁ ବାଧ୍ୟ କରିଛି ।ସେଥିରୁ ଗୋଟିଏ ଘଟଣା ସବୁବେଳେ ମନେ ରହିବ । ଥରେ ତାଙ୍କ ଚ୍ୟାମ୍ବରରେ ବସି ସାମ୍ନା ସାମ୍ନି ବସି ଗୋଟିଏ ଘଟଣା ବାବଦରେ ଆଲୋଚନା କରୁଛୁ ଏତିକି ବେଳେ କଥା ରେ ମଜ୍ଜିଯାଇ ତାଙ୍କ ଟେବୁଲ ଉପରେ ଚାଲୁଥିବା କିଛି ପିମ୍ପୁଡିକୁ ମୁଁ ଗୋଟି ଗୋଟି କରି ମାରୁଥାଏ । ୧,୨,୩ ଏଥର ହଠାତ୍ ମୋ ହାତକୁ ଭାଇ ଧରି ପକାଇଲେ । କହିଲେ ଆରେ ତାଙ୍କୁ ମାରୁଛ କାହିଁ,ସେ ତୁମର କଣ କ୍ଷତି କଲେ? ଏତିକି କହି ପିମ୍ପୁଡିକୁ ଟେବୁଲ ଉପରୁ ଝାଡିଦେଲେ । କେବଳ ଏହି ଗୋଟିଏ ଘଟଣା ନୁହେଁ ବରଂ ଏମିତି ଅନେକ ଘଟଣା ଘଟିଛି ଯାହା ତାଙ୍କୁ ଏକ ଭିନ୍ନମଣିଷ ଭାବେ ମୁଁ ବୁଝିବାକୁ ବାଧ୍ୟ ହୋଇଛି ।

ଅନ୍ନପୂର୍ଣ୍ଣାରେ ପ୍ରଥମ ପ୍ରବେଶ ପାଇଁ କବିତା କଳ୍ପଲତାର ଆୟୋଜନ ହେଉ କି କଟକରୁ ଉଠିଯିବାକୁ ବସିଥିବା ଏକ ବୃହତ ଅନୁଷ୍ଠାନକୁ ଅଟକାଇବାରେ ଆମେ ଦୁଇଜଣ ପରସ୍ପର ଆଲୋଚନା କରି ଯେଉଁ ପଦକ୍ଷେପ ନେଉଥିଲୁ ସେଥିରେ ତାଙ୍କର ନିଃସ୍ୱାର୍ଥପର ପ୍ରକୃତ୍ତିର ପରିଚୟ ପାଉଥିଲି ।
ଆଜି ସେ ଆମ ଖବର ହୁଏତ ଏ ଆମ ଖବର ନୁହେଁ । ହେଲେ ସେହି ନାଁ ପୁଣି ସେହି ଚିନ୍ତାଧାରା । ଭାଇଙ୍କ ପରଲୋକ ବ୍ୟକ୍ତିଗତ ଭାବେ ମୋତେ ଗଭୀର ଆଘାତ ଦେଇଛି ଓ ଅପୁରଣୀୟ କ୍ଷତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏପରି ଅସମୟରେ ଜଗନ୍ନାଥ ସହାୟ ହୁଅନ୍ତୁ ଓ ଏପରି ଆଘାତ ସହିବାକୁ ଧର୍ଯ୍ୟ ଓ ଶକ୍ତି ଦିଅନ୍ତୁ ମୋର ଏତିକି ପ୍ରାର୍ଥନା । ଶେଷରେ ତାଙ୍କ ସମ୍ମାନରେ ଆସନ୍ତା କାଲି ପାଇଁ ଆମ ଖବରର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବାର ନିଷ୍ପତ୍ତି ନେଇଛୁ ।
ଓମ୍ ଶାନ୍ତି

Most Popular

To Top