ଅବିଭକ୍ତ କଟକ

ନିଆଳି ମେଣ୍ଢା…

ବ୍ୟୁରୋ ରିପୋର୍ଟ

ନିଆଳି ମେଣ୍ଢା କଥା ପଡିଲେ ଦେହ ଶିତେଇ ଉଠେ । ଗଲା ବର୍ଷଠୁ ଆରମ୍ଭ ହୋଇଛି ଏଇ ଚର୍ଚ୍ଚିତ ଘଟଣା । ଅନ୍ଧାର ରାତିରେ ଅଜଣା ଜନ୍ତୁ ଆସି ଗୁହାଳରେ ପଶି ମେଣ୍ଢାଙ୍କ ଅନ୍ତବୁଜୁଳା ଖାଇଗଲା । ସବୁ ଫେଲ ମାରିଲା ହେଲେ ଜନ୍ତୁ ଠାବ ହୋଇ ପାରିଲା ନାହିଁ । ଅନ୍ୟପଟେ ଏତେ ପରେବି, ନା ମେଣ୍ଢା ନା ମେଣ୍ଢା ପଳକ କେହିବି ସଚେତନ ହେଲେନି… ଏବେ ନିଆଳି ଗଲେ ଯୋଉକଥାକୁ ସେହି କଥା । ମେଲା ଗୁହାଳରେ ମେଣ୍ଢା ଖୋଲା ବୁଲୁଥିବା ବେଳେ ମେଣ୍ଢା ପାଳକ ସେମିତି ଘରେ କବାଟ ଦେଇ ଶୋଇଛନ୍ତି । ଏ ହେଲା ନିଆଳି ମେଣ୍ଢାଙ୍କ ବର୍ତ୍ତମାନ ଅବସ୍ଥା ।

ହେଲେ ଏବେ ଆମେ ଯୋଉ ନିଆଳି ମେଣ୍ଢା କଥା କହୁଛୁ ତାହା ସେ ମେଣ୍ଢାଙ୍କ କଥା ନୁହେଁ,ଆମ ପରି ମଣିଷ ମାନଙ୍କ କଥା । ଆଇମା କାହାଣୀରେ ରାଜା ପୁଅଙ୍କୁ ମାଲୁଣୀ ବୁଢୀ ମେଣ୍ଢା କରି ରଖିବା କଥା ପରି । ମଣିଷ ଯେତେବେଳେ ନିଜର ମଣିଷ ପଣିଆକୁ ପାଶୋରୀ ପକାଇ ଅନ୍ୟର ଇଙ୍ଗିତରେ ପରିଚାଳିତ ହୁଏ ସେତେବେଳେ ଏହି ସଜ୍ଞା ପ୍ରଜୁଜ୍ୟ ହୋଇପଡେ । ଆଉ ମଣିଷ ମେଣ୍ଢା ସହ ତୁଳନୀୟ ହୋଇ ଯାଏ ।

(Advt)

ଗତ କିଛି ଦିନ ହେଲା ନିଆଳି ରାଜନୀତିର ଅଳିଆ ଗୁହାଳ ଭିତରେ ରହିଛନ୍ତି କିଛି ମଣିଷତ୍ୱ ହରାଇଥିବା ମେଣ୍ଢା । ନିଜର ମଣିଷ ପଣିଆ ହରାଇଥିବା ଏହି ମେଣ୍ଢାଙ୍କ ଉତ୍ପାତରେ ଏବେ ସାରା ନିଆଳି ଅଞ୍ଚଳ ଲଜ୍ଜିତ ହେବାରେ ଲାଗିଛି । ନିଆଳି ଅଞ୍ଚଳ ପୋଦନା ଗାଁର କିଛି ମେଣ୍ଢା ଏବେ ମାଲୁଣୀ ବୁଢି ଋପି ରାଜନେତାଙ୍କ ଇଙ୍ଗିତରେ ଯାହା କରୁଛନ୍ତି ତାହା ପରୋକ୍ଷରେ ଯଦୁବଂଶ ଧ୍ୱଂସ ହେଲାପରି ଅବସ୍ଥା ସୃଷ୍ଟି କଲାଣି । ପରିସ୍କାର କଥା ହେଲା ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଠାରୁ ନିଆଳି ଥାନା ଅନ୍ତର୍ଗତ ପୋଦନା ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି ଏହି ମେଣ୍ଢାମାନେ । ଗତ ଫେବୃୟାରୀ ୧୨ ତାରିଖ ରାତିରେଏହି ଗାଁର ସୁରେନ୍ଦ୍ର ନାଥ ନାୟକଙ୍କ ମୃତ୍ୟୁପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଶାସକ ଦଳର ସ୍ଥାନୀୟ ରାଜନୀତିରେ ସକ୍ରିୟ ଥିବା ସୁରେନ୍ଦ୍ର ବିରୋଧିଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନେଇ ନିଆଳି ଥାନାରେ ଅଭିଯୋଗ ହୋଇଛି । ଏପରିକି ଏହି ଘଟଣାରେ ନିଆଳି ଥାନାରେ ଏକାଧିକ ମାମଲା ଋଜ୍ଜୁ ହେବା ସହ ମାନବୀକ ଅଧିକାର କର୍ମିଙ୍କ ହସ୍ତକ୍ଷେପ ମଧ୍ୟ ହେଲାଣି । ତେବେ ସବୁପରେବି ଏପରି ମେଣ୍ଢାଙ୍କ ଉତ୍ପାତ କମିବାର ନାଁ ଧରୁନାହିଁ । ସତରେ ହେଉକି ମିଛରେ ନିଆଳି ଥାନାରେ କିନ୍ତୁ ମାମଲା ସଂଖ୍ୟା ବଢିବାରେ ଲାଗିଛି । କେହି ମାନୁକି ନମାନୁ ଏହି ଘଟଣାକୁ କେନ୍ଦ୍ର କରି ନିଆଳି ଥାନାରେ କେହିବି ଥାନା ଅଧିକାରୀ ବେଶିଦିନ ରହି ପାରୁ ନାହାନ୍ତି । ଯେଉଁ ଘଟଣାକୁ ନେଇ ଦିନକୁ ଦିନ ନିଆଳି ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଯାହାର ପ୍ରମାଣ ମିଳିଛି ଗତ ୧ତାରିଖ ଦିନ । ଗତ ୨୮ ତାରିଖରେ ନିଆଳି ଅଚିନା ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୋଦନା ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ପ୍ରଦ୍ୟୁମ୍ନ ମଲ୍ଲିକ ଓରଫ୍ ଜିଲୁକୁ ନିଆଳି ପୋଲିସ ଗୀରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସର ଏହି ଗୀରଫ ଦାରୀ ଏତେ ଗୋପନୀୟ ଓ ଶିଘ୍ର ହୋଇଥିଲା ଯେ କେହି କିଛି ହସ୍ତକ୍ଷେପ କଲା ବେଳକୁ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇ ସାରିଥିଲା । କିନ୍ତୁ ପରେ ଘଟଣା ଯାହା ଘଟିଲା ତାହା ଅତି ସ୍ପର୍ଶକାତର ଥିଲା । ସମବେତ ପୁଋଷ ଓ ମହିଳା ନିଆଳି ଥାନା ଭିତରେ ପଣି ହୋହାଲ୍ଲା କରିଥିଲେ । ଶାସକ ଦଳ ସମର୍ଥିତ କୁହା ଯାଉଥିବା ଏହି ଲୋକମାନେ କିଛି ସମୟ ପାଇଁ ଥାନାକୁ ସେମାନଙ୍କ କବ୍ଚାକୁ ନେଇ ଯାଇଥିଲେ । ସମସ୍ତେ ଭାବିଥିଲେ ଏହି ଠାରେ ଘଟଣାର ପରିସମାପ୍ତି ହେଲା । କିନ୍ତୁ ତାପରେ ଯାହା ଘଟିଲା ତାହା ସାରା ନିଆଳି ଅଞ୍ଚଳକୁ ହଠାତ୍ ସ୍ତବ୍ଧ କରିଦେଲା । ରାତାରାତି ଥାନା ଅଧିକାରୀ ଥାନାରୁ ଉଭାନ୍ ହୋଇଗଲେ । ଶୁଣିବାକୁ ମିଳିଲା ତାଙ୍କୁ ପୋଲିସ ମୁଖ୍ୟାଳୟକୁ ସ୍ତାନାନ୍ତର କରିଦିଆ ଯାଇଛି । ଏଥର ଆରମ୍ଭ ହେଲା ଆଉ ଏକ ଭିନ୍ନ ରାଜନୀତି । ବହୁ ଗୋପନରେ ଚାଲିଲା ମସୁଧା । ଶେଷରେ ହଠାତ୍ ସମସ୍ତଙ୍କୁ ଚକିତ କରି ୧ତାରିଖ ଦିନ ନିଆଳି ସୁରକ୍ଷା ମଞ୍ଚ ତରଫରୁ ୧୨ଘଣ୍ଟିଆ ନିଆଳି ବନ୍ଦ ଡାକରା ଦିଆଗଲା । ହେଲେ ଗତ ନଭେମ୍ଭର ୧୬ ତାରିଖ ଠାରୁ ନିଆଳି ନିର୍ମାଣ ମଞ୍ଚ ତରଫରୁ ମଧ୍ୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନୂଋପ ଏକ ଆନ୍ଦୋଳନ ହୋଇଥିଲା । ମଞ୍ଚ ତରଫରୁ ହୋଇଥିବା ବିଭିନ୍ନ ଦାବି ଗୁଡିକ ମଧ୍ୟରେ ଅଞ୍ଚଳର ବିଭିନ୍ନ ସରକାରୀ ଦପ୍ତରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏକ ନମ୍ବର ଦାବିଥିଲା । ନିଆଳି ବାସୀଙ୍କ ପାଇଁ ଚିନ୍ତା କରୁଥିବା ଏହି ଉଭୟ ସଂଗଠନର ଦାବି ସମାନଥିବା ବେଳେ ଆଶ୍ଚର୍ଯ୍ୟର ବିଷୟଏହି ଗଣ ସତ୍ୟାଗ୍ରହରେ ଯେଉଁମାନେ ପୁରୋଧା ଥିଲେ ସେମାନଙ୍କ ଜଣକ ମୁହଁବି ଏହି ୧ତାରିଖ ଆନ୍ଦୋଳନରେ ଦେଖିବାକୁ ମିଳି ନଥିଲା । ହେଲେ ବନ୍ଦ ପର୍ଯ୍ୟନ୍ତ କଥା ଗଲ। ନାହିଁ । ବନ୍ଦ କାର୍ଯ୍ୟକ୍ରମ ପୁର୍ବଦିନ ରାତି ମାନେ ୩୧ ତାରିଖ ରାତିରେ ପୁଣି ଥାନା ଅଧିକାରୀ ଥାନାରେ ଉପସ୍ଥିତ ହୋଇଥିବା ପ୍ରଚାର ହୋଇଗଲା ।

ପାଠକେ…
ଏ ସବୁ ବିଷୟ କେମିତି ଏକ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରୁଛି । ନିଆଳିର ଏହି ଘଟଣା ବହୁଳ ଦିନ ଗୁଡିକ ବିଷୟରେ ଚିନ୍ତା କଲେ କିଏ ନିର୍ମାଣ କରୁଛି କି କିଏ ସୁରକ୍ଷା ଦେଉଛି ତାହା ପରିସ୍କାର ଜଣା ନପଡିଲେ ବି ନିଆଳିର କିଛି ଆଇମା କାହାଣୀର ସେହି ତଥା କଥିତ ରାଜପୁଅଯେ ମେଣ୍ଢା ହୋଇଗଲେଣି ଓ ମାଲୁଣୀ ବୁଢୀର ଇସାରାରେ ଯେ କାର୍ଯ୍ୟ କରୁଛନ୍ତି ତାହା ପରିସ୍କାର ହୋଇ ଯାଉଛି । ହେଲେ କିଏ ସେହି ମାଲୁଣୀ ବୁଢୀ ତାହା ନିଆଳି ମେଣ୍ଢା ହତ୍ୟାକାରୀ ଅଜଣା ଜନ୍ତୁ ପରି ଅନ୍ଧାରରେ ରହିନାହିଁ ବରଂ ଧିରେ ଧିରେ ଲୋକ ଲୋଚନକୁ ଆସିଗଲେଣି କହିଲେ ଅତ୍ୟୁକ୍ତି ହେବନାହିଁ । ଅପେକ୍ଷା ଆଉ ବେଶିଦିନ ନୁହେଁ, ଖୁବ୍ ଶିଘ୍ର ପରଦା ହଟିବ ଓ ମେଣ୍ଢାଙ୍କ ଅନ୍ତ ବୁଜୁଳା ଖାଉଥିବା ଜନ୍ତୁ ହେଉ କି ଆଇମା କାହାଣୀର ସେହି ମାଲୁଣୀ ବୁଢୀ ହେଉ ତାଙ୍କୁ ସମସ୍ତେ ଜାଣିବେ । ସେହି ଦିନକୁ ଅପେକ୍ଷା ।

Click to comment

Leave a Reply

Your email address will not be published. Required fields are marked *

19 − fifteen =

Most Popular

To Top