
କଟକ ବାରବାଟୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆଗାମୀ ୨୨ ତାରିଖରେ ଅନୁଷ୍ଠିତ ହେବ ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ। ସେଥିପାଇଁ ସଜେଇ ହେଉଛି ବାରବାଟୀ ଆଉ ଜୋରସୋରରେ ଚାଲିଛି କାମ। ଆସନ୍ତା ବାରବାଟୀ ଏକଦିବସକୀୟ ମ୍ୟାଚ ପାଇଁ ଯୁଧ୍ୟକାଳୀନ ଭିତ୍ତି ରେ କାର୍ୟ୍ୟ ଚାଲିଥିବା ବେଳେ ଆଜି ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ବିଶେଷକରି ଆଗାମୀ ମ୍ୟାଚ ଉପରେ କିଭଳି ରହିବ ବ୍ୟବସ୍ଥା ତାହାକୁ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ଙ୍କର ସହ ଓଡ଼ିଶାର ପୋଲିସ ଡ଼ିଜି ସତ୍ୟଜିତ ମହାନ୍ତି, ପୋଲିସ କମିଶନର ସୁଧାଂଶୁ ଶଢଙ୍ଗୀ, କଟକ ଡିସିପି ଆଖିଲେଶ୍ୱର ସିଂ ଓ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମଧ୍ୟ ଉପସ୍ଥିତ ଥିଲେ। ସୁରକ୍ଷା ବ୍ୟବସ୍ଥା ଉପରେ ସମସ୍ତ ବିଷୟ କମିଶନର ମନ୍ତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ସମସ୍ତେ କିଭଳି ଶୃଙ୍ଖଳିତ ଭାବରେ ମ୍ୟାଚ କୁ ଦେଖି ପାରିବେ ଓ ଅତ୍ୟାବଶ୍ୟକୀୟ ସୁବିଧା ଲୋକଙ୍କୁ ମିଳି ପାରିବ ତାହା ଉପରେ ପୋଲିସ ପଦାଧିକାରୀ ମାନଙ୍କର ସହ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀ ମିଶ୍ର। ଚଳିତବର୍ଷ ନୂତନ ଭାବରେ ଫ୍ୟାନ ଗ୍ୟାଲେରି ନିର୍ମାଣ ହେବ ଉପର ବାଲିଯାତ୍ରା ପଡ଼ିଆରେ। ଖେଳ ପଡ଼ିଆ ଭିତରକୁ ଯାଇ ପାରିନଥିବା ଲୋକେ ସ୍କ୍ରିନ ମାଧ୍ୟମରେ ଖେଳ ଦେଖିପାରିବେ ବୋଲି କମିଶନର ସୂଚନା ଦେଇଛନ୍ତି।
