ରାଜ୍ୟ

ସାବାସ୍ ଅଧିକାରୀ:୨୪ ଘଣ୍ଟାରେ ଜମି ପଟ୍ଟା ଦେଇ କଲେ ନୂଆ ରେକର୍ଡ

ସରକାର ଯୋଜନା ପ୍ରଣୟନ କରିଛନ୍ତି । ଯୋଜନାର କାର୍ଯ୍ୟକାରୀତା ପାଇଁ କାର୍ଯ୍ୟ କରୁଛନ୍ତି ଅଧିକାରୀ । ହେଲେ କାର୍ଯ୍ୟ କରିବାର ଇଚ୍ଛାଶକ୍ତି ଥିଲେ ସରକାରଙ୍କ ଯୋଜନାର ସୁଫଳ ପାଇବାକୁ ସାଧରଣ ମଣିଷଟିଏ ସକ୍ଷମ ହୋଇପାରେ । ସରକାରୀ କାର୍ଯ୍ୟାଳୟରେ ଗୋଟିଏ ଗୋଟିଏ କାର୍ଯ୍ୟର ସେବା ପାଇବା ପାଇଁ ମାସାଧିକ କାଳ ସମୟ ଲାଗିବା କିଛି ନୂଆ କଥା ନୁହେଁ । ଖାଲି ସମୟ ନୁହେଁ ସେଥିପାଇଁ ସାଧାରଣ ମଣିଷକୁ ବିଭିନ୍ନ ବେନୀୟମ ପନ୍ଥା ମଧ୍ୟ ଆପଣେଇବାକୁ ପଡିଥାଏ । ହେଲେ ଜଣେ ସରକାରୀ ଅଧିକାରୀ ଇଚ୍ଛା କଲେ ସରକାରଙ୍କ ଯୋଜନା ମୂତାବକ ଲୋକଙ୍କୁ ସେବା ଯୋଇ ଦେବାରେ କୌଣସି ଅସୁବିଧା ନାହିଁ । ଏହା ପ୍ରମାଣ କରି ଦେଖାଇଛନ୍ତି ରାଜସ୍ୱ ବିଭାଗର ଜଣେ ଅଧିକାରୀ । ଏହି ଅଧିକାରୀ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲଦାର ଶିଦ୍ଧାର୍ଥ ଶଙ୍କର ସାହୁ । ଜଣେ ବ୍ୟକ୍ତି ଜମି କ୍ରୟ କରିବାର ୨୪ ଘଣ୍ଟା ଭିତରେ ଶ୍ରୀ ସାହୁ ତାଙ୍କୁ ତାଙ୍କ ଜମି ପଟ୍ଟା ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି । ଯେଉଁ କାମ ପାଇଁ ମାସମାସ ଧରି ଜଣେ ସାଧାରଣ ମଣିଷକୁ ତହସିଲ କାର୍ଯ୍ୟାଳୟକୁ ଦୌଡିବାକୁ ପଡିଥାଏ ତାହା ମାତ୍ର ୨୪ ଘଣ୍ଟା ଭିତରେ ସମ୍ଭବ ହୋଇପାରିଛି । ଏହି ତହସିଲ ଅନ୍ତର୍ଗତ ଅଲାବୋଳ ପଞ୍ଚାୟତ ଅଧିନ କଣ୍ଟି ଗ୍ରାମର ବୃନ୍ଦାବନ ବିଶ୍ୱାଳ ଗତ ୧୭ ତାରିଖରେ ଏକ ଜମି କ୍ରୟ କରିଥିଲେ । ସେହିଦିନ ଶ୍ରୀ ବିଶ୍ୱାଳ ଜମିର ମ୍ୟୁଟେସନ ପାଇଁ ଆବେଦନ କରିଥିଲେ । ତତ୍ ପରଦିନ ଅର୍ଥାତ ୧୮ ତାରିଖ ଦିନ ଶ୍ରୀ ବିଶ୍ୱାଳଙ୍କୁ ତାଙ୍କ ଜମି ପଟ୍ଟା ଯୋଗାଇ ଦେବାରେ ତହସିଲଦାର ଶ୍ରୀ ସାହୁ ସକ୍ଷମ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ତହସିଲଦାରଙ୍କୁ ତାଙ୍କର ଏପରି ସଫଳତା ପାଇଁ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ରାଉତ,ରେକର୍ଡ ରକ୍ଷକ ମୁକୁନ୍ଦ ଚରଣ ସ୍ୱାଇଁ,ରାଜସ୍ୱ ସହାୟକ ପ୍ରଣୟ ସ୍ୱାଇଁ,ଆଶୁତୋଷ ସ୍ୱାଇଁ,ନୃସିଂହ ଚରଣ ବାରୀକ ସେକ୍ସନ ଅଫିସର ଅଶୋକ ସାହୁ ଓ ରାଜସ୍ୱ ନିରୀକ୍ଷିକା ପ୍ରିୟଙ୍କା ଜେନା ପ୍ରମୁଖ ସହଯୋଗ କରଥିଲେ । ୨୪ ଘଣ୍ଟା ମଧ୍ୟରେ ପଟ୍ଟା ଯୋଗାଇ ଦେବା ଘଟଣା ବୋଧହୁଏ ଏହା ରାଜ୍ୟର ପ୍ରଥମ ଘଟଣା ହୋଇପାରେ । ତହସିଲଦାରଙ୍କ ଏତାଦୃଶ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି । ଏହା ପୁର୍ବରୁ ଶ୍ରୀଯୁକ୍ତ ସାହୁ କଣ୍ଟାପଡା ତହସିଲଦାର ଥିବା ସମୟରେ ପଟ୍ଟା ଆଦେନକାରୀ ମାନଙ୍କ ଘରେ ଯାଇ ପଟ୍ଟା ପ୍ରଦାନ କରି ଏକ ନୂଆ ଉଦାହରଣ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ।

Most Popular

To Top