ଅଗଷ୍ଟ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ‘ଏକତା’ ଉତ୍ସବ 

ଭୁବନେଶ୍ଵର: ଓଡ଼ିଶାର ବୁଣାକାରମାନେ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା। ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡ଼ା ନୁହେଁ, ଏହା ଆମ ଐତିହ୍ୟ। ଓଡ଼ିଶାର ହସ୍ତତନ୍ତ – ଐତିହ୍ୟର ସୂତ୍ରଧର  ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ। ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ ଆୟୋଜନ ଉପଲକ୍ଷେ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ। 

ସୂଚନାଯୋଗ୍ୟ; ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୁଲ୍ୟରେ ଅଗଷ୍ଟ ୭ ତାରିଖରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ପାଳନ, ଅଗଷ୍ଟ ୮ ଓ ୯ ତାରିଖରେ ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ କାର୍ଯ୍ୟକ୍ରମ “ଏକତା” ଉତ୍ସବ ଆୟୋଜନ ଏବଂ  ଏହି ଉପଲକ୍ଷେ ୭ ରୁ ୧୩ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜନ କରାଯିବ। ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ଚଳଚିତ୍ର ଜଗତର ସ୍ଵନାମଧନ୍ୟ ତାରକା ମାଧୁରୀ ଦୀକ୍ଷିତ ନେନେ ଯୋଗଦାନ କରିବେ। 

ଭାରତ ସରକାରଙ୍କ ବୟନ ମନ୍ତ୍ରାଳୟର ପ୍ରମୁଖ ପଦକ୍ଷେପ EKTA କାର୍ଯ୍ୟକ୍ରମ (EKTA- Exhibition cum Knowledge Sharing for Textile Advantage)  (ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ) ଓଡ଼ିଶା ଶାଖାକୁ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଅଗଷ୍ଟ ୮ ତାରିଖରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଅଗଷ୍ଟ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ସମସାମୟିକ ନୃତ୍ୟ ପ୍ରଦର୍ଶନ ସହ ଫ୍ୟାଶନ୍ ସୋ,  ଲେଜର୍ ସୋ କାର୍ଯ୍ୟକ୍ରମ ଆୟୋଜନ ହେବ।

ଅଗଷ୍ଟ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ ହେବ। ଓଡ଼ିଶାର ସମୃଦ୍ଧ ବୟନ ଐତିହ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ୬୦ଟି ଷ୍ଟଲ  ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୫୦୦ ରୁ ଅଧିକ ହସ୍ତତନ୍ତ ବୁଣାକାର ଅଂଶଗ୍ରହଣ କରିବେ। ରାଜ୍ୟର ବିବିଧ ହସ୍ତତନ୍ତ ଅସ୍ମିତା ସହ ବୟନ ମନ୍ତ୍ରାଳୟ ସହଯୋଗରେ ୮ ରୁ ଅଧିକ ରାଜ୍ୟର ବୁଣାକାରମାନେ ସେମାନଙ୍କ ହସ୍ତତନ୍ତ ପ୍ରଦର୍ଶନ କରିବେ। ଫୁଡ୍ କୋର୍ଟ, ପ୍ଲେ ଜୋନ୍, ଆଦିର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକରୁ ଫଳପ୍ରଦ ଫଳାଫଳ ପାଇବା ପାଇଁ ବିଭିନ୍ନ କର୍ମଶାଳା, କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ, ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ଆୟୋଜନ କରାଯିବ। ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ  କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *