ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା

ଭୁବନେଶ୍ୱର: ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ। ସେମାନେ ହେଉଛନ୍ତି ପ୍ରଥମ ରେସ୍୍ପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ  ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବୀ ପୂରଣ ହୋଇଛି। ସେମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି ଏବଂ ଏହାକୁ ଡିସେମ୍ୱର ସୁଦ୍ଧା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ବହୁ କଠିନ ପରିଶ୍ରମ କରିଥାନ୍ତି। ସେଥିପାଇଁ ସବୁବେଳେ ଓ ସବୁ ସମୟରେ ଶାରୀରିକ ଫିଟ୍‍ ରହିବା ଆବଶ୍ୟକ। ଏ ଦିଗରେ ଆଜି ନୂଆକରି ଦାୟିତ୍ୱ ନେଉଥିବା ଓ ବିଭାଗରେ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଅଗ୍ନିଯୋଦ୍ଧାମାନେ ସଚେତନ ରହିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ ଟି ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍‍ ଆଟେଣ୍ଡ କରିଛନ୍ତି। ୭୫୯୯ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି। ବର୍ତ୍ତମାନର ପରିବର୍ତ୍ତନଶୀଳ ପରିବେଶକୁ ନେଇ ଆମକୁ ଆହୁରି ସୁଦୃଢ଼ ହେବାକୁ ପଡ଼ିବ। ନୂଆ ନୂଆ ଜ୍ଞାନ କୌଶଳ ପ୍ରୟୋଗ ବିଷୟରେ ଆମକୁ ସଜାଗ ହେବାକୁ ପଡ଼ିବ। ଏଥିପାଇଁ ଆମ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ଆମେ ଏକ ବିଶ୍ୱସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛୁ। ଏହି ସିମୁଲେଟର ମାଧ୍ୟମରେ ଆମ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ। ଏଥିସହିତ କୋଣାର୍କର ରାମଚଣ୍ଡୀ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ୧୦ କୋଟି ଟଙ୍କା ବିନିମୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ। ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୋଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ। ଓଡ଼ିଶା ଅଗ୍ନିଶମ ବିଭାଗକୁ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଗ୍ନିଯୋଦ୍ଧା ଶୀର୍ଷକ ଏକ ଥିମ୍‍ ସଙ୍ଗ ଲୋକାର୍ପିତ କରିବା ସହ ଏକ ବୃକ୍ଷ ଚାରା ରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପ୍ରଶିକ୍ଷାର୍ଥୀଙ୍କ ପରିବାର ସଦସ୍ୟ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ। ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଉପ ମହାନିରୀକ୍ଷକ ଉମାଶଙ୍କର ଦାଶ ଦୀକ୍ଷାନ୍ତ ସମାରୋହରେ ପ୍ରଶିକ୍ଷାର୍ଥୀଙ୍କୁ ଶପଥ ପାଠ କରାଇଥିଲେ।

Leave a Reply

Your email address will not be published. Required fields are marked *