ଅପରେସନ ସିନ୍ଦୁରର ଆଉଟରିଚ୍ ଆରମ୍ଭ: ଜାପାନ ଓ ୟୁଏଇ ଗସ୍ତରେ ପ୍ରତିନିଧିଦଳ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଅପରେସନ ସିନ୍ଦୁର ସମ୍ପର୍କିତ ଆଉଟରିଚ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । ସରକାରଙ୍କ ପକ୍ଷରୁ ଗଠିତ ପ୍ରତିନିଧିଦଳ ସଞ୍ଜୟ ଝା ଏବଂ ଶ୍ରୀକାନ୍ତ ସିନେ୍ଦଙ୍କ ନେତୃତ୍ୱରେ ବୁଧବାର ଗସ୍ତ ଆରମ୍ଭ କରିଛନ୍ତି । ସଞ୍ଜୟ ଝାଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିମଣ୍ଡଳୀ ଜାପାନ ଯାଇଥିବାବେଳେ ଶ୍ରୀକାନ୍ତ ସିନେ୍ଦଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରତିନିଧି ଦଳ ୟୁଏଇ ଗସ୍ତରେ ଯାଇଛନ୍ତି । ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ଏହି ପ୍ରତିନିଧିଦଳରେ ସାମିଲ ସାଂସଦ, ପୂର୍ବତନ ପାର୍ଲାମେଣ୍ଟାରିଆନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳଗୁଡିକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ସେମାନେ ବିଭିନ୍ନ ବିଦେଶୀ ରାଷ୍ଟ୍ର ଗସ୍ତକରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଦୃଢ ଭାବରେ ଉପସ୍ଥାପନ କରିବେ ବୋଲି ଜଣାଯାଇଛି ।
ମିଶ୍ରି କହିଥିଲେ ଯେ, ଭାରତ ଶାନ୍ତି ନିମନ୍ତେ ପ୍ରତିବଦ୍ଧ ରହିଥିବାବେଳେ ତାହାର ମାଟିରେ ଆତଙ୍କବାଦୀ ଆକ୍ରମଣକୁ ସହ୍ୟ କରିବନାହିଁ ଏବଂ ଏହା ନିଜର ‘ନୂତନ ସ୍ୱାଭାବିକତା ନୀତି’ ଅନୁଯାୟୀ ପାଲଟା ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛି । ଜେଡି (ୟୁ) ନେତା ସଞ୍ଜୟ ଝାଙ୍କ ନେତୃତ୍ୱରେ ପ୍ରତିନିଧିଦଳ ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲୟେସିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ଶ୍ରୀ ଝା କହିଥିଲେ ଯେ, ଭାରତ ନିଷ୍ପତ୍ତି ନେଇଛି ବହୁତ ହୋଇଗଲା । ପାକିସ୍ତାନ ସର୍ବଦା ଏକ ତସ୍କର ଭଳି ବ୍ୟବହାର କରିଆସୁଛି ଯିଏ ନିଜର ଅପରାଧ ନିଜେ ତଦନ୍ତ କରିବାକୁ କହୁଛି । ଅନ୍ୟପକ୍ଷରେ ଭାରତ ତାହାର ପ୍ରତିଶ୍ରୁତି ଉପରେ ଭରସା କରୁଛି ଯେ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏବେ ବହୁତ ହୋଇଗଲା । ଆତଙ୍କବାଦ ବିରୋଧରେ ଏଣିକି ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଶିବସେନା ସାଂସଦ ଶ୍ରୀକାନ୍ତ ସିନେ୍ଦଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳୀ ୟୁଏଇ ଏବଂ ଅନେକ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ କରିବାକୁ ଯାଉଥିବାବେଳେ ସେମାନେ ଭାରତ ଓ ଅନ୍ୟ ରାଷ୍ଟ୍ରଗୁଡିକରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ସଂପୃକ୍ତି ଥିବା ପ୍ରମାଣ ଉପସ୍ଥାପନ କରିବେ । କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ଝା’ଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀର ଅନ୍ୟତମ ସଦସ୍ୟ ଥିବାବେଳେ ସ୍ପଷ୍ଟ କରିଦେଇ କହିଛନ୍ତି ଯେ, ଅପରେସନ ସିନ୍ଦୁରକୁ ସ୍ଥଗିତ ରଖିବା ନିଷ୍ପତ୍ତି ଭାରତ ଓ ପାକିସ୍ତାନ ନେଇଥିଲେ । ସେଥିରେ ଆମେରିକାର କିଛି ଭୂମିକା ନାହିଁ । ସେ କହିଥିଲେ, ଏଥିରେ କେହି ହସ୍ତକ୍ଷେପ ବା ମଧ୍ୟସ୍ଥତା କରିନାହାନ୍ତି । ଏଭଳି ଘଟଣା ଯେତେବେଳେ ଘଟେ ସେତେବେଳେ ସାରା ବିଶ୍ୱର ଲୋକମାନେ ଓ ନେତୃବୃନ୍ଦ ସେମାନଙ୍କର ମତ ଦେଇ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ କହିଥାନ୍ତି । ତେଣୁ ଯେତେବେଳେ ଉତ୍ତେଜନା ବୃଦ୍ଧିପାଇଲା ତାହା ଦୁଇ ରାଷ୍ଟ୍ର ମଧ୍ୟରେ ରହିଥିଲା । ସେହିଭଳି ଏହାର ପରିସମାପ୍ତି ମଧ୍ୟ ଦୁଇଦେଶ ମଧ୍ୟ ଘଟିଲା । ପାକିସ୍ତାନ ଡିଜିଏମଓ ପକ୍ଷରୁ ଏ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା ଏବଂ ସେମାନେ କହିଲେ ଯେ ଯୁଦ୍ଧରେ ପରିସମାପ୍ତି ଘଟାଇବାକୁ ସେମାନେ ଚାହୁଁଛନ୍ତି । ଭାରତ ମଧ୍ୟ ଏଥିରେ ନିଜର ସମ୍ମତି ଜଣାଇଥିଲା ।