ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ପୁଲିସ ଡିଜି ୱାଇ ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ନିମନ୍ତେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଆଜିର ଦିନ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ। ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ୱାଧୀନତା ବିଷୟରେ ସଚେତନ କରିବା ସହିତ ଦେଶର ଏକତା ଓ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ସ୍ମରଣ କରାଇ ଥାଏ। ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ସମ୍ମାନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଗତ ଚଉଦ ମାସ ହେବ ଓଡିଶା ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି। ଶିଳ୍ପନୀତିରେ ଆମୂଳଚୁଳ ପରିବର୍ତ୍ତନ କରାଯାଇ ପୁଞ୍ଜିବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସହିତ ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ପ୍ରମାଣ ସ୍ୱରୂପ ଗତ ଛଅ-ସାତ ମାସ ମଧ୍ୟରେ ଓଡ଼ିଶାରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ଏକ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିିବିନିଯୋଗ କରାଯାଇ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରାଯାଇଛି। ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନାର ଲାଭ ଉଠାଇ ଆତ୍ମନିର୍ଭରଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଏହି ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ପ୍ୟାରେଡ୍ ୫୦ ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ। ଏହି ପ୍ଲାଟୁନଗୁଡିକ ମଧ୍ୟରେ ୧୨୦ ବାଟାଲିୟନ, ସୀମା ସୁରକ୍ଷା ବଳ, ସିଆରପିଏଫ, ଆଇଟିବିପି, ଏସଓଜି ଚନ୍ଦକା, ଆନ୍ଧ୍ରପ୍ରଦେଶ ସଶସ୍ତ୍ର ପୁଲିସ ବାହିନୀ, ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ, ରେଡ୍କ୍ରସ ପ୍ରଭୃତି ଯୋଗଦେଇଥିଲେ। ଭାରତୀୟ ପୋଲିସ ସେବା ଅଧିକାରୀ ଅନନ୍ୟା ଅବସ୍ଥି ପ୍ୟାରେଡ୍ ପରିଚାଳନା କରିଥିଲେ।
୨୦୨୫ ଜାନୁଆରୀ ୨୬ରେ ଅନୁଷ୍ଠିତ ପରେଡ୍ରେ ଭାଗ ନେଇଥିବା ପ୍ଲାଟୁନମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ଲାଟୁନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିଲେ। ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ଶ୍ରେଷ୍ଠ ରାଜ୍ୟ ସଶସ୍ତ୍ର ପ୍ଲାଟୁନ୍ ଭାବେ ଭୁବନେଶ୍ୱର ଚନ୍ଦକାର ଏସ୍ଓଜି, ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ଏନସିସି ବାଳକ ଓ ବାଳିକା ପ୍ଲାଟୁନ, ଶ୍ରେଷ୍ଠ କନିଷ୍ଠ ଏନ୍ସିସି ବିଭାଗରେ ସୈନିକ ସ୍କୁଲ ଭୁବନେଶ୍ୱର ଓ ଶ୍ରେଷ୍ଠ ଅଣ-ଏନ୍ସିିସି ସ୍କୁଲରେ ବାଳକ ବିଭାଗରେ ବିଜେଇଏମ୍ ସ୍କୁଲ, କଳ୍ପନା ଛକ ଓ ବାଳିକା ବିଭାଗରେ ବିଜେଇଏମ୍ ସ୍କୁଲ, ଭୁବନେଶ୍ୱର, ଶ୍ରେଷ୍ଠ ସ୍କୁଲ ବ୍ୟାଣ୍ଡରେ କ୍ୟାପିଟାଲ୍ ଗାର୍ଲସ୍ ହାଇସ୍କୁଲ, ୟୁନିଟ୍-୨ ପୁରସ୍କୃତ ହୋଇଥିଲେ। ସେହିପରି ୨୦୨୫ ଜାନୁଆରୀ ୨୬ରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ପ୍ରଜ୍ଞାପନ ମେଢ଼ମାନଙ୍କୁ ପୁରସ୍କୃତ କରାଯାଇଥିଲା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର‘ଜିଆଇ ଟ୍ୟାଗ୍ ଉତ୍ପାଦ’ପ୍ରଥମ ପୁରସ୍କାର ପାଇଥିବାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ସହରାଞ୍ଚଳ ପରିବହନ’ପାଇଁ ଦ୍ୱିତୀୟ ପୁରସ୍କାର ପାଇଥିଲେ। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ‘ମଲଫିମୋଡାଲ ଟ୍ରାନ୍ସପୋର୍ଟ’ତୃତୀୟ ପୁରସ୍କାର ପାଇଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଏବଂ ନିର୍ଦ୍ଦେଶକ (ବୈଷୟିକ) ଗୁର୍ବୀର ସିଂହ ତଥା ବିଭାଗର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଅସ୍ମିତାର ନିଦର୍ଶନ ରୂପେ ଉତ୍ସବସ୍ଥଳକୁ ବରପୁତ୍ରମାନଙ୍କର ଫଟୋଚିତ୍ରରେ ସୁସଜ୍ଜିତ କରାଯାଇଥିଲା। ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ରୋଜାଲିନ୍ ସାହୁ ଓ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।