ଅଶୋକା ପ୍ରଫେସରଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଅଶୋକା ବିଶ୍ୱବିଦ୍ୟାଳୟ ପ୍ରଫେସର ଅଲି ଖାଁ ମାହମୁଦାବାଦଙ୍କୁ ସୁପ୍ରିମକୋର୍ଟ ବୁଧବାର ତାଙ୍କର ଅପରେସନ ସିନ୍ଦୁରକୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ତେବେ ଏହି ମାମଲାର ତଦନ୍ତ ସ୍ଥଗିତ ରଖିବାକୁ ମାହମୁଦାବାଦଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଛନ୍ତି । ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏନ କେ ସିଂଙ୍କୁ ନେଇ ଗଠିତ ପୀଠ ଏଭଳି ମନ୍ତବ୍ୟ ଦେବା ସମୟକୁ ନେଇ ମଧ୍ୟ ଭର୍ତ୍ସନା କରିଛନ୍ତି । ଏହା ଶସ୍ତା ପ୍ରଚାର ପାଇଁ ଉଦ୍ୟମ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହିତ ଉକ୍ତ ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବାକୁ ହରିଆଣା ପୋଲିସ ଡିଜିଙ୍କୁ ଆଦେଶ ଦେଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଛନ୍ତି ଯେ, ୨୪ ଘଣ୍ଟା ମଧ୍ୟରେ ଏହି ଏସଆିଟି ଗଠନ କରାଯିବ, ଯେଉଁଥିରେ ତିନିଜଣ ବରିଷ୍ଠ ଆଇପିଏସ ଅଫିସର ରହିବେ । ତେବେ ସମସ୍ତ ଅଫିସର ହରିଆଣା ଏବଂ ଦିଲ୍ଲୀ ବାହାରୁ ରହିବା ଆବଶ୍ୟକ । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସ୍ଥାନପାଇବା ବାଧ୍ୟତାମୂଳକ । ପୋଷ୍ଟରେ ବ୍ୟବହାର କରାଯାଇଥିବା ଭାଷାର ଜଟିଳତା ଏବଂ ତାହାର ପ୍ରକୃତ ଅର୍ଥ ଜାଣିବାକୁ ଏହି ଦଳ ପ୍ରୟାସ କରିବେ । ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟ ମାହମୁଦାବାଦଙ୍କ ଉପରେ କେତେକ ସର୍ତ୍ତ ମଧ୍ୟ ଲାଗୁ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ମୁତାବକ ପ୍ରଫେସର ମାହମୁଦାବାଦ କୋ÷ଣସି ପୋଷ୍ଟ କରିବେ ନାହିଁ କିମ୍ବା ଏହି ମାମଲା ସମ୍ପର୍କରେ କୋ÷ଣସି ବିବୃତି ଦେବେନାହିଁ । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତାହା ପରବର୍ତ୍ତୀ ସମୟରେ ଦୁଇଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ସମ୍ପର୍କରେ ମଧ୍ୟ ସେ କୋ÷ଣସି ମନ୍ତବ୍ୟ ଦେଇପାରିବେ ନାହିଁ । ତାହାସହିତ ସେ ନିଜର ପାସପୋର୍ଟ ଦାଖଲ କରିବାକୁ ସୁପି୍ରମକୋର୍ଟ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମାହମୁଦାବାଦଙ୍କୁ ମେ ୧୮ ତାରିଖରେ ଗିରଫ କରାଯିବା ପରେ ଏକ ଅଦାଲତ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ତାଙ୍କ ପୋଷ୍ଟ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରତି ଆଞ୍ଚ ଆଣିବା ଏବଂ ମହିଳା ସେନା ଅଧିକାରୀଙ୍କ ସମ୍ମାନ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *