‘ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ସମାଜ ସଂସ୍କାରକ’

ଭୁବନେଶ୍ୱର: ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅହିଲ୍ୟାବାଈ ହୋଲକାର୍ ନିଜର ନ୍ୟାୟନିଷ୍ଠା, ସାହସ, ଓ ପ୍ରଜା ପ୍ରତି ଅନୁପମ ସମର୍ପଣ ଦ୍ୱାରା ଭାରତୀୟ ଇତିହାସରେ ଅମର ହୋଇ ରହିଛନ୍ତି। ତାଙ୍କ ଜୀବନ ଆମ ପାଇଁ ଏକ ପ୍ରେରଣାର ଉତ୍ସ, ଯାହା ଆଜିର ଓଡ଼ିଶାରେ ମଧ୍ୟ ଆମକୁ ସୁଶାସନ ଓ ସମାଜ କଲ୍ୟାଣର ପଥ ଦେଖାଇଥାଏ। ଅହିଲ୍ୟାବାଈଙ୍କ ଜୀବନ ଆମ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆମ ରାଜ୍ୟରେ ମଧ୍ୟ ନାରୀ ଶକ୍ତିର ଅନେକ ଉଦାହରଣ ରହିଛି। ଅହିଲ୍ୟାବାଈଙ୍କ ପରି ଆମେ ମଧ୍ୟ ଆମର ସମାଜରେ ନ୍ୟାୟ, ଶିକ୍ଷା, ଓ ସମାନତାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ।
ଆମ ରାଜ୍ୟ ସରକାର ମଧ୍ୟ ମାଆ ମାନଙ୍କ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଭଳି ଏକ ଯୁଗାନ୍ତକାରୀ ଯୋଜନାର ରୂପାୟନ କରିଛନ୍ତି । ଯାହା ମହିଳା ମାନଙ୍କୁ, ଆର୍ଥିକ, ସାମାଜିକ ଓ ଆତ୍ମନିର୍ଭରଶୀଳ ହୋଇ ପ୍ରଗତି ପଥରେ ଆଗେଇବା ପାଇଁ ସହଯୋଗ କରୁଛି । ଆଜିର ସରକାର ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଯେଉଁପରି ଗୁରୁତ୍ୱ ଦେଉଛନ୍ତି, ତାହା ଅହଲ୍ୟାବାଇଙ୍କ ଦୃଷ୍ଟିଭଙ୍ଗୀ ସହିତ ସମନ୍ୱୟ ରଖେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ ଅପରେସନ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନର ‘ନାମ’ ନୁହେଁ। ଏହା ହେଉଛି ନାରୀଶକ୍ତିର ପ୍ରତୀକ। ଆଜି ଏ ଦେଶ ସୁରକ୍ଷିତ ହାତରେ ଅଛି, ‘India is in Safe Hands’। ଆଜି ସାରା ଦେଶରେ ଗୁଞ୍ଜରିତ ହେଉଛି, ‘ମୋଦୀ ହୈ ତୋ, ହମ ସୁରକ୍ଷିତ ହୈ।‘
କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ, ଅହିଲ୍ୟାବାଈ ହୋଲକରଙ୍କୁ ନ୍ୟାୟନିଷ୍ଠା, ସାହସିକତାର ପ୍ରତୀକ ବୋଲି କହିବା ସହିତ, ଅହିଲ୍ୟାବାଈଙ୍କ ଜୀବନ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସବୋଲି କହିଥିଲେ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ, ଅହିଲ୍ୟାବାଈଙ୍କ ଆଦର୍ଶକୁ ଅନୁସରଣ କରି ଆମେ ଓଡ଼ିଶାରେ ସୁଶାସନ, ଶିକ୍ଷା, ଓ ମହିଳା ସଶକ୍ତିକରଣରେ ନୂତନ ଦିଗନ୍ତ ସୃଷ୍ଟି କରିପାରିବା।
ଭାଷା, ସାହିତ୍ୟ, ସଂସ୍କୃତି ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଅହିଲ୍ୟାବାଈଙ୍କୁ ଆଜିର ସମାଜ ପାଇଁ ଆଲୋକ ବର୍ତ୍ତିକା ବୋଲି କହିଥିଲେ ଏବଂ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀମତୀ ସରୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ମାନେ ଅହିଲ୍ୟାବାଈଙ୍କ ଜୀବନି ଉପରେ ଆଧାରିତ ଏକ ଓଡ଼ିଆ ପୁସ୍ତକ “କର୍ମଯୋଗିନୀ ପୂଣ୍ୟଶ୍ଳୋକା ଅହିଲ୍ୟାବାଇ ହୋଲକାର” ଉନ୍ମୋଚନ କରିଥିଲେ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ପ୍ରଜ୍ଞାପ୍ରିୟଦର୍ଶିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।