ଆଗାମୀ ୫ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ବିଗୁଣିତ କରିବା ପାଇଁ  ଆମ ସରକାର ପ୍ରୟାସଶୀଳ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

ଏହି ଅବସରରେ ଓମଫେଡ୍‌ ବାଲ୍ଟି ଦହି, ଏ-2 ମିଲ୍କ, ଏ-2 ଘିଅର ଶୁଭ ଉଦ୍ଘାଟନ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ, କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହିତ, ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ରାଜ୍ୟର ୭୭ ଗୋଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣିକଲ୍ୟାଣ ସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ ।   

ସୂଚନାଯୋଗ୍ୟ, ପୋଷଣୀୟ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରାଣୀପାଳକଙ୍କ ଅବଦାନ, ସୁଷମ ଖାଦ୍ୟ ମଧ୍ୟରେ ଦୁଗ୍ଧର ଉପକାରିତା ସମ୍ପର୍କରେ  ବ୍ୟାପକ  ପ୍ରଚାର ପ୍ରସାର ଲକ୍ଷ୍ୟରେ ୨୦୦୧ ମସିହା ଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୧ ତାରିଖରେ  ବିଶ୍ଵ ଦୁଗ୍ଧ ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ ରହିଛି “ଲେଟସ୍ ସେଲିବ୍ରେଟ୍ ଦ ପାୱାର ଅଫ୍ ଡେରୀ ବା ଆସନ୍ତୁ,  ଦୁଗ୍ଧ ଶକ୍ତି ପାଳନ କରିବା ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏବଂ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ। ଏହା କେବଳ ଏକ ଆୟର ଉତ୍ସ ନୁହେଁ, ବରଂ ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ବିଗୁଣିତ କରିବା ପାଇଁ  ଆମ ସରକାର ପ୍ରୟାସଶୀଳ। ସେଥିପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ଏହି କାମଧେନୁ ଯୋଜନା ଅଧିନରେ ଅନେକ ଯୋଜନା ଆଜି ଆମର ରାଜ୍ୟ ଚାଷୀଙ୍କୁ ସମୃଦ୍ଧ କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅତ୍ୟନ୍ତ ଆନନ୍ଦର ବିଷୟ, ରାଜ୍ୟର ଖାଉଟିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଜି ଓମଫେଡ଼ ପକ୍ଷରୁ ତିନୋଟି ନୂଆ ଉତ୍ପାଦର ବଜାରପ୍ରବେଶ କରାଯାଉଛି। ସେଗୁଡିକ ହେଲା-ବାଲ୍ଟି ଦହି, ଆମ ଓଡିଶାର ବିଞ୍ଝାରପୁରୀ ଗାଈ କ୍ଷୀରରୁ ପ୍ରସ୍ତୁତ ଦେଶୀ ଗାଈ ଘିଅ ଓ ସେହି ଗାଈ ପ୍ରଜାତିର A2 କ୍ଷୀର। ଆଜିଠାରୁ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ। ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ଏହାଦ୍ଵାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଥିଲେ ଯେ, ଦୁଗ୍ଧ ଉତ୍ପାଦନ ଏବଂ ଦୁଗ୍ଧ ଜାତୀୟ ପଦାର୍ଥ ଉତ୍ପାଦନ ଯୋଗୁଁ ଆଜି ଓଡିଶାର ମାଆ, ଭଉଣୀ ମାନେ ଆତ୍ମନିର୍ଭରଶୀଳ। ଏହି ବିଭାଗ ସହିତ ଆମର ମିଶନ ଶକ୍ତି ମାଆ ଓ ଭଉଣୀ ମାନେ ସଂଶ୍ଳିଷ୍ଟ ରହି କେବଳ ଏତିକି ନୁହେଁ Organic Bio Compost ତିଆରି କରି ନିଜକୁ ଲକ୍ଷ ପତି ଦିଦି ଭାବେ ପରିଚିତ କରିଛନ୍ତି। ନିଜ ବକ୍ତବ୍ୟରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ଗୋପାଳନ ଓ ଦୁଗ୍ଧ ଉତ୍ପାଦନ, ସମାଜରେ ପ୍ରତ୍ୟେକ ସ୍ତରରେ ରୋଜଗାର ବୃଦ୍ଧି କରିବାରେ ସହାୟକ ହେଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ କ୍ରାନ୍ତି ଆଣିଛି । ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା ସହ ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ଅଛି ବୋଲି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *