ଋୁଷ-ୟୁକ୍ରେନ ଶାନ୍ତିଚୁକ୍ତି ସମ୍ଭାବନା ଉଜ୍ଜ୍ୱଳ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତିଚୁକ୍ତି ସ୍ୱାକ୍ଷର ସମ୍ଭାବନା ଉଜ୍ଜ୍ୱଳ ମନେହେଉଛି । ଏକଥା ନିଜେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହିତ ପ୍ରାୟ ଦୁଇଘଣ୍ଟା କାଳ ଟେଲିଫୋନରେ ଆଲୋଚନା କରିବା ପରେ ପୁଟିନ ୟୁକ୍ରେନ ସହିତ ଶାନ୍ତିଚୁକ୍ତି କରିବା ଦିଗରେ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜି ହୋଇଛନ୍ତି । ସେ କହିଛନ୍ତି ଯେ ତିନିବର୍ଷ ଧରି ଚାଲିଥିବା ଯୁଦ୍ଧରେ ପରିସମାପ୍ତି ଘଟାଇବା ପ୍ରୟାସ ସଠିକ ରାସ୍ତାରେ ଅଗ୍ରସର ହେଉଛି । ଏଥିପାଇଁ ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇ ପୁଟିନ କହିଛନ୍ତି, ଆମେରିକା ରାଷ୍ଟ୍ରପତିଙ୍କ ଉଦ୍ୟମ ଯୋଗୁଁ ମସ୍କୋ ଓ କିଭ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ପୁଣି ଆରମ୍ଭ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ ଦୁଇଦେଶର ଅଧିକାରୀଙ୍କ ମଧ୍ୟରେ ଗତ ସପ୍ତାହରେ ତୁର୍କୀରେ ପ୍ରତ୍ୟକ୍ଷ ଆଲୋଚନା ଅନୁଷ୍ଠିତ ହୋଇଥିଲା, ଯାହା ୨୦୨୨ ମାର୍ଚ୍ଚ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ କରାଯାଇଥିଲା । ତେବେ ଟ୍ରମ୍ପ ସହିତ ଟେଲିଫୋନରେ ଆଲୋଚନା ପରେ ପୁଟିନ କହିଛନ୍ତି, ମୋଟାମୋଟି ଭାବରେ ଶାନ୍ତି ପ୍ରୟାସ ସଠିକ ବାଟରେ ଆଗଉଛି ।

ସୋଚିଠାରେ କୃଷ୍ଣସାଗର ରିସର୍ଟରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ପୁଟିନ କହିଥିଲେ, ଭବିଷ୍ୟତର ଏକ ଶାନ୍ତିଚୁକ୍ତି ନିମନ୍ତେ ୟୁକ୍ରେନ ପକ୍ଷଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ରୁଷ ପ୍ରସ୍ତୁତ ଥିବା ଆମେରିକା ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି । ଉଭୟ ରୁଷ ଓ ୟୁକ୍ରେନ ଏକ ସମ୍ଭାବ୍ୟ ଯୁଦ୍ଧବିରତି ବ୍ୟବସ୍ଥା ଏବଂ ସେଥିପାଇଁ ସମୟ ସୀମା ପ୍ରସ୍ତୁତ କରିବେ । ପୂର୍ବରୁ ୟୁକ୍ରେନ, ତାହାର ୟୁରୋପୀୟ ମିତ୍ର ରାଷ୍ଟ୍ର ଏବଂ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ପ୍ରଶାସନ ୩୦ ଦିନର ନିଃସର୍ତ୍ତ ଯୁଦ୍ଧବିରତି ରାଜିନାମା କରିବା ଏବଂ ତିନିବର୍ଷରୁ ଅଧିକ କାଳ ଧରି ଚାଲିଥିବା ଯଦ୍ଧରେ ପରିସମାପ୍ତି ଘଟାଇବାକୁ ପୁଟିନଙ୍କୁ ଅନୁରୋଧ କରିଥିଲେ । ପୁଟିନ ଓ ଟ୍ରମ୍ପ ଦୁଇଘଣ୍ଟା କାଳ ଟେଲିଫୋନ ଯୋଗେ ଆଲୋଚନା କରିବା ପରେ ଟ୍ରମ୍ପ କହିଛନ୍ତି ଯେ ରୁଷ ଓ ୟୁକ୍ରେନ ଯୁଦ୍ଧବିରତି ନିମନ୍ତେ ତୁରନ୍ତ ଆଲୋଚନା ଆରମ୍ଭ କରିବେ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହିତ ଏହି ମର୍ମରେ ଆଲୋଚନା ଅତ୍ୟନ୍ତ ଭଲ ରହିଥିଲା ଏବଂ ଏବେ ତୁରନ୍ତ ଯୁଦ୍ଧ ବିରତି ନିମନ୍ତେ ଆଲୋଚନା ଆରମ୍ଭ ହେବ । ଟ୍ରମ୍ପ ଆଉ ମଧ୍ୟ କହିଛନ୍ତି ଯେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କିଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *