ଏସିଆ କପରେ ଅଂଶଗ୍ରହଣ କରିବନାହିଁ ଭାରତ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଭାରତୀୟ ଦଳ ଅଂଶଗ୍ରଣ କରିବ ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଏଭଳି ଏକ କଠୋର ନିଷ୍ପତ୍ତି ନେଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗିରହିଥିବା ସମୟରେ ବିସିସିଆଇ ଏଭଳି ଘୋଷଣା କରିଛି । କାରଣ ଏସିଆ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବାବେଳେ ଏହାର ନେତୃତ୍ୱ ପାକିସ୍ତାନର ଜଣେ ମନ୍ତ୍ରୀ ନେଉଛନ୍ତି । ତେଣୁ ଭାରତ ଏସିସି ଦ୍ୱାରା ଆୟୋଜନ କରାଯିବାକୁ ଥିବା କୋ÷ଣସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ନାହିଁ ବୋଲି ବିସିସିଆଇ ନିଜର ନିଷ୍ପତ୍ତି ଏସିସିକୁ ଜଣାଇ ଦେଇଛି । ତଦନୁଯାୟୀ ଏହା ଶ୍ରୀଲଙ୍କାରେ ଆସନ୍ତା ମାସରେ ହେବାକୁ ଥିବା ମହିଳା ଏମର୍ଜିଂ ଟିମସ୍ ଏସିଆ କପରୁ ଓହରିଯିବା ସହିତ ସେପ୍ଟେମ୍ବରରେ ହେବାକୁ ଥିବା ପୁରୁଷ ଏସିଆ କପରେ ନଖେଳିବାକୁ ଘୋଷଣା କରିଛି । ସୂଚନାଯୋଗ୍ୟ ଯେ ପୁରୁଷ ଏସିଆ କପ ଭାରତ ଆୟୋଜନରେ ଅନୁଷ୍ଠିତ ହେବାକୁ ଥିଲା । ବିସିସିଆଇ ପକ୍ଷରୁ ଏହାର ଅନ୍ୟତମ ମୂଳ କାରଣ ଭାବରେ କୁହାଯାଇଛି ଯେ, ଏସିସି ସଂପ୍ରତି ମୋହସିନ ନକଭୀଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରହିବା ସହିତ ପାକିସ୍ତାନ ସରକାରଙ୍କର ଜଣେ ମନ୍ତ୍ରୀ ଅଛନ୍ତି । ତେଣୁ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ଏସିସି ଆୟୋଜନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଅଂଶଗ୍ରହଣ କରିପାରିବ ନାହିଁ ବୋଲି ବିସିସିଆଇ ଜଣାଇ ଦେଇଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହା ସମଗ୍ର ଭାରତୀୟଙ୍କ ବିଚାରଧାରା । ସେଥିପାଇଁ ସେମାନେ ଏହି ଟୁର୍ଣ୍ଣାମେଣ୍ଟଗୁଡିକରୁ ଓହରିଯିବା ସହିତ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ଏହା ନିଶ୍ଚିତ ଯେ ଭାରତୀୟ ଦଳ ଅନୁପସ୍ଥିତ ରହିଲେ ଏସିଆ କପ୍ର କୋ÷ଣସି ଗୁରୁତ୍ୱ ରହିବନାହିଁ ।