ଏସିଡ ଆକ୍ରମଣ ଉଦ୍ୟମ ପଣ୍ଡ: ଅପରାଧୀକୁ ମାଡିବସିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏସିଡ ଆକ୍ରମଣରୁ ଜଣେ ଯୁବତୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସଜାଗ ଦୃଷ୍ଟି ଯୋଗୁଁ ଏସିଡ ଆକ୍ରମଣରୁ ଯୁବତୀ ବର୍ତ୍ତିଯାଇଥିବାବେଳେ ଲୋକମାନେ ଏସିଡ ପକାଇବାକୁ ଆସିଥିବା ଅପରାଧୀକୁ ଧରି ପୋଲିସ ଜିମା ଦେଇଛନ୍ତି । ଘଟଣା ଘଟିଛି ସହିଦ ନଗର ଅଞ୍ଚଳରେ । ଅଭିଯୁକ୍ତ ଜଣକ ନିଜର ଦୁଇ ସାଥୀଙ୍କ ସହିତ ଉକ୍ତ ଯୁବତୀଙ୍କ ଉପରେ ଏସିଡ ପକାଇବାକୁ ଯାଉଥିବା ଦେଖି ସେଠାରେ ଥିବା ଲୋକମାନେ ତୁରନ୍ତ ତାକୁ କାବୁ କରିବା ସହିତ ତା’ହାତରୁ ଏସିଡ ବୋତଲ ଛଡାଇ ନେଇଥିଲେ । ମୁଖ୍ୟ ଅଭିଯୁକ୍ତକୁ ସେମାନେ କାବୁ କରିଥିବାବେଳେ ଅନ୍ୟ ଦୁଇଜଣ ସେଠାରୁ ଖସି ପଳାଇ ଯାଇଥିଲେ । ପରେ ଯୁବତୀ ଜଣକ ସହିଦ ନଗର ଥାନାରେ ଏତଲା ଦାଏର କରିବା ସହିତ ଉକ୍ତ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ନିଜର ଦୁର୍ଦ୍ଦଶା ସମ୍ପର୍କରେ ବର୍ଣ୍ଣନା କରି ଯୁବତୀ ଜଣକ କହିଛନ୍ତି ଯେ ସେ ଉକ୍ତ ଯୁବକଙ୍କ ସହିତ ବନ୍ଧୁତା କରିଥିଲେ । ପରେ ଯୁବକ ଜଣକ ବିବାହ କରିଥିଲେ । ସେ ତାଙ୍କର ବିବାହ ଫଟୋ ଏବଂ ନିମନ୍ତ୍ରଣ ପତ୍ର ଦେଖିବାପରେ ବନ୍ଧୁତାରେ ପରିସମାପ୍ତି ଘଟାଇଥିଲେ । କିନ୍ତୁ ଯୁବକ ଜଣକ ତାଙ୍କୁ କହିଥିଲେ ଯେ ପରିବାର ଚାପରେ ପଡି ସେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଛନ୍ତି । ଏବେ ଏହି ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ସେ ପୁନଶ୍ଚ କହିଛନ୍ତି ଯେ ଏହାକୁ ସେ ଅଗ୍ରାହ୍ୟ କରିବା ପରେ ତାଙ୍କର କେତେକ ଫଟୋ ପ୍ରଘଟ କରି ତାଙ୍କୁ ସେ ମାନସିକ ଯନ୍ତ୍ରଣା ଦେଇଚାଲିଥିଲେ । ତାହା ନକରିବାକୁ ଉକ୍ତ ଯୁବକଙ୍କୁ ସେ ପଚାଶ ହଜାର ଟଙ୍କା ମଧ୍ୟ ଦେଇଥିଲେ । ତାହା ସତ୍ୱେ ଯୁବକ ଜଣକ ତାଙ୍କୁ ଧମକ ଦେଇଆସୁଥିଲେ । ଶେଷରେ ଅନ୍ୟ ଦୁଇଜଣଙ୍କ ସହିତ ଆସି ତାଙ୍କ ଉପରେ ଏସିଡ ପକାଇବାକୁ ଉଦ୍ୟମ କରିଥିଲେ ।