ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ “ରକ୍ତଦାନ ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ୧୦୮ ଟି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ଏବଂ ୩୪୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ପ୍ରାୟ ୩,୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଆଜି ଗୋଟିଏ ଦିନରେ ସମଗ୍ର ରାଜ୍ୟରେ ପ୍ରାୟ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ରକ୍ତଦାନ ଅଭିଯାନ ଆୟୋଜନ ହେବା ଅବସରରେ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ଠାରେ ରକ୍ତଦାନ ଶିବିର ଏବଂ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭାରତ ରେଡ଼କ୍ରସ ସୋସାଇଟିର ସଚିବ ଗଣେଶ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଲାବଣ୍ୟ ଶବର, ଜୁନିୟର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଉଚ୍ଚଶିକ୍ଷା ବିଭାଗର ଉପ ଶାସନ ସଚିବ ରମେଶ ଚନ୍ଦ୍ର ବେହେରା, ରେଡ଼କ୍ରସ ବ୍ଲଡ଼ବ୍ୟାଙ୍କ ନିର୍ଦ୍ଦେଶକ ଡ଼. ପ୍ରସନ୍ନ କୁମାର ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗର ଲୋକସମ୍ପର୍କ ଅଧିକାରୀ ଅମ୍ଳାନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ରକ୍ତଦାନ ଅଭିଯାନରେ ସ୍ବେଚ୍ଛାକୃତ ଭାବେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସାଧୁବାଦ ଜଣାଇଥିଲେ। ଏଥିସହ ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିରର ଆୟୋଜନ ହେବା ଏକ ସ୍ୱାଗତଯୋଗ୍ୟ ପଦେକ୍ଷପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ରେଡ଼କ୍ରସ ଭବନ ଠାରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତ ସ୍ବେଚ୍ଛାସେବୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଆ ପକ୍ଷ ପାଳନର ନବମ ଦିନ ଅର୍ଥାତ ଏପ୍ରିଲ ୯ ତାରିଖ ଦିନ “ଆସ ବହିଟିଏ କିଣିବା ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯିବ।

Leave a Reply

Your email address will not be published. Required fields are marked *