କନ୍ଧମାଳ ପାଇଁ ପ୍ରାୟ ୭୫୦ କୋଟିର ୧୦ଟି ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ କରିଛି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସେମାନଙ୍କର ଦୀର୍ଘ ଦିନର ସ୍ଵପ୍ନ ସାକାର ହୋଇଛି। କନ୍ଧମାଳର ଏହି ମେଡିକାଲ୍ କଲେଜ୍ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ନୁହେଁ, ବରଂ ଏହା ଏଠାରେ ଏକ ସୁନିଶ୍ଚିତ ଓ ଗୁଣବତ୍ତାପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ହେବ। ଏହି ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ଵାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସଭାରେ ଉଦବୋଧନ ଦେଇ ସେ କହିଥିଲେ ଯେ, ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାକୁ ଏକକ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ସମ୍ମିଳିତ ଭାବେ ଉତ୍ତମ ସ୍ୱାସ୍ଥ୍ୟ ସେବାର ସୁବିଧା ବୃଦ୍ଧି ପାଇଁ ଗୁରୁତ୍ଵ ପ୍ରଦାନ କରୁଛି। ଏହି ତିନୋଟି ସ୍ୱାସ୍ଥ୍ୟ ସେବା ଯୋଜନା ଦ୍ଵାରା ରାଜ୍ୟର ୮୦ ପ୍ରତିଶତରୁ ବି ଅଧିକ ସାଧାରଣ ଜନତା ସୁବିଧା ପାଇବେ। ଏହି ମହାବିଦ୍ୟାଳୟ, କନ୍ଧମାଳ ଓ ଆଖପାଖ ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ଶିକ୍ଷାର ଏକ ନୂଆ ଦ୍ୱାର ଖୋଲିଛି। ଏହି ୧୦୦ ସିଟ ବିଶିଷ୍ଟ ମହାବିଦ୍ୟାଳୟରୁ ସ୍ନାତକ ପାଇବା ପରେ ଭେଷଜ ବିଶେଷଜ୍ଞମାନେ ଭବିଷ୍ୟତରେ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ। “ମାନବ ସେବା ହିଁ ମାଧବ ସେବା”, ଏହାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ଡାକ୍ତର ମାନେ ଏହି ମହାବିଦ୍ୟାଳୟକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ରୂପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହା ପରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ଠାରେ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ୧୦ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ମାନଙ୍କ ମଧ୍ୟରୁ ୬୫୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ୫ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ହେଵା ସହିତ ପ୍ରାୟ ୯୪ କୋଟିରୁ ଉର୍ଦ୍ଧ୍ବ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୂଚନାଯୋଗ୍ୟ ଯେ, ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ,ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ପର୍ଯ୍ୟଟନ କେନ୍ଦ୍ର , ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ମିଶନ ଶକ୍ତି ବଜାର , ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶାର ଭୂସ୍ଵର୍ଗ ଦାରିଙ୍ଗବାଡି ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି। ଦାରିଙ୍ଗବାଡିର ପର୍ଯ୍ୟଟନ ବିକାଶ ପାଇଁ ୧୮ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନୁମୋଦନ କରି ଟେଣ୍ଡର ଆହ୍ୱାନ କରାଯାଇଛି ଓ ପୁତୁଡି ଜଳପ୍ରପାତର ବିକାଶ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ କରାଯାଇଛି। ଏହା ଛଡ଼ା କନ୍ଧମାଳରେ ଥିବା ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ମଧ୍ୟ ଉନ୍ନତିକରଣ କରାଯାଇ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବ। ପର୍ଯ୍ୟଟନ ସ୍ଥଳୀ ଗୁଡିକର ଉନ୍ନତୀକରଣ ହେବା ଫଳରେ ଏଠିକାର ସ୍ଥାନୀୟ ଲୋକମାନେ ପର୍ଯ୍ୟଟନ କ୍ଷେତ୍ରରେ ନିୟୋଜିତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତପୋଷଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ।