କୁମ୍ଭୀରମାନଙ୍କ ସଂରକ୍ଷଣ ପାଇଁ ଓଡ଼ିଶା ଏକ ଉଚ୍ଚକୋଟୀର ମାର୍ଗଦର୍ଶକ : ଜଙ୍ଗଲମନ୍ତ୍ରୀ

ଭୁବନେଶ୍ବର: ଜୁନ ୧୭ ତାରିଖ ଅନ୍ତର୍ଜାତୀୟ କୁମ୍ଭୀର ଦିବସ। ଏହି ଅବସରରେ ‘ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ’ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ  ମହାସମାରୋହରେ ପାଳିତ ହୋଇଯାଇଛି।

ସମାରୋହକୁ ଭିଡିଓ ବାର୍ତ୍ତା ଦେଇ ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଲେ ଯେ, ଆମ ରାଜ୍ୟ ଓଡ଼ିଶା, ଭାରତରେ ଦେଖାଯାଉଥିବା ସମସ୍ତ କୁମ୍ଭୀର ପ୍ରଜାତି-ବଉଳା, ମଗର ଓ ଘଡ଼ିଆଳର ଏକ ମହତ୍ୱପୂର୍ଣ୍ଣ ଆବାସସ୍ଥଳୀ । ଦୀର୍ଘ ୫୦ ବର୍ଷ ଧରି ଆମ ରାଜ୍ୟ କୁମ୍ଭୀରମାନଙ୍କ ସଂରକ୍ଷଣ ପାଇଁ ଏକ ଉଚ୍ଚକୋଟୀର ମାର୍ଗଦର୍ଶକ ରୂପେ ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ଏକ ସୁସ୍ଥ ଆର୍ଦ୍ରଭୂମି ପାଇଁ କୁମ୍ଭୀରମାନଙ୍କର ବିଶେଷ ଭୂମିକା ରହିଛି। ଖାଦ୍ୟଶୃଙ୍ଖଳର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ କୁମ୍ଭୀର, ନଦୀ, ହ୍ରଦ ଓ ଅନ୍ୟ ଜଳାଶୟଗୁଡ଼ିକରୁ ମୃତ ଜୀବମାନଙ୍କୁ ଅପସାରଣ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହ ପ୍ରାକୃତିକ ଜୈବ ବିବିଧତାକୁ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବେଶ ପର୍ଯ୍ୟଟନସ୍ଥଳୀ ରୂପେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଉପାୟରେ ଜୀବିକା ଉପାର୍ଜନରେ ସହାୟକ ହୋଇଥାଏ। 

କୁମ୍ଭୀର ସଂରକ୍ଷଣ କେବଳ ଗୋଟିଏ ଜୀବକୁ ବଞ୍ଚାଇବା ନୁହେଁ, ଏହା ଆମର ନଦୀ, ଜଳାଶୟ ଓ ସମଗ୍ର ପରିସଂସ୍ଥାକୁ ସୁରକ୍ଷିତ ରଖିବାର ପ୍ରତୀକ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର “ଜଳ, ଜଙ୍ଗଲ ଓ ଜୀବଜନ୍ତୁ”ଙ୍କ ସୁରକ୍ଷା ପାଇଁ ସର୍ବଦା ପ୍ରତିବଦ୍ଧ। ଆମ ପୂର୍ବପୁରୁଷମାନେ ପ୍ରକୃତି ଓ ପରିବେଶ ସୁରକ୍ଷା ଦିଗରେ ଆରମ୍ଭ କରିଥିବା ମହାନ କାର୍ଯ୍ୟକୁ ଆମେ ଆଗକୁ ନେଇଯିବା ପାଇଁ ଶପଥ ନେବା ଓ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଜରୁରୀ। ଆର୍ଦ୍ରଭୂମିର ପରିବେଶ ସନ୍ତୁଳନ ରକ୍ଷା କରି ରାଜ୍ୟରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପକୁ ଅଧିକରୁ ଅଧିକ ସଫଳ କରିବା ଆଜିର ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ସତ୍ୟବ୍ରତ ସାହୁ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ ଯେ, ଆଜି ଆମେ କେବଳ ଏକ ସାଧାରଣ ଉତ୍ସବ ପାଳନ କରୁନାହୁଁ, ବରଂ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ଏକ ଅଦ୍ୱିତୀୟ ଗୌରବୋଜ୍ଜ୍ୱଳ ଯାତ୍ରାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଏହି ଯାତ୍ରା ହେଉଛି “ପ୍ରୋଜେକ୍ଟ କ୍ରୋକୋଡାଇଲ୍” ବା “ରାଜ୍ୟରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ”ର ପଚାଶ ବର୍ଷର ସଫଳତାର ଯାତ୍ରା। ଆମ ନଦୀ, ହ୍ରଦ ଓ ହେନ୍ତାଳବନ ଆଦିର ପରିବେଶ ସନ୍ତୁଳନକୁ ବଜାୟ ରଖିବାରେ କୁମ୍ଭୀରମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏମାନଙ୍କ ସଂରକ୍ଷଣ କେବଳ ପରିବେଶ ପାଇଁ ନୁହେଁ ବରଂ ଆମର ସାଂସ୍କୃତିକ ଗର୍ବ ଓ ମାନବୀୟ ମୂଲ୍ୟବୋଧ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସମଗ୍ର ଭାରତବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠାରେ ଆମ ଦେଶରେ ଦେଖାଯାଉଥିବା ସମସ୍ତ ତିନି ପ୍ରଜାତିର କୁମ୍ଭୀର ଯଥା: ବଉଳା କୁମ୍ଭୀର, ଘଡ଼ିଆଳ କୁମ୍ଭୀର ଏବଂ ମଗର କୁମ୍ଭୀର ନିଜ ପ୍ରାକୃତିକ ଆବାସସ୍ଥଳୀରେ ବସବାସ କରନ୍ତି। ସେଥିପାଇଁ ଆମେ ଗର୍ବ ଅନୁଭବ କରିବା ଉଚିତ୍।  କିନ୍ତୁ ଆଜିଠାରୁ ପଚାଶ ବର୍ଷ ତଳେ, ଆମ ରାଜ୍ୟର ନଦୀ, ହ୍ରଦ ଓ ଜଳାଶୟରେ ବାସ କରୁଥିବା ତିନି ପ୍ରଜାତିର କୁମ୍ଭୀର ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚି ଯାଇଥିଲେ। ସେମାନଙ୍କ ସଂଖ୍ୟା ହାତଗଣତି କିଛିରେ ସୀମିତ ଥିଲା। ସେହି ସଙ୍କଟମୟ ପରିସ୍ଥିତିରେ, ୧୯୭୫ ମସିହାରେ ଭାରତ ସରକାର ଏବଂ ଜାତିସଂଘର ମିଳିତ ସହଯୋଗରେ ଓଡ଼ିଶାରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପର ସଫଳତାରେ ଓଡ଼ିଶାର ଭୂମିକା ଆଜି ସାରା ବିଶ୍ୱରେ ଏକ ଉଦାହରଣ ପାଲଟିଛି। ଭିତରକନିକା ହେନ୍ତାଳବନରେ ୯୬ଟି ବଉଳା କୁମ୍ଭୀରରୁ ସେମାନଙ୍କ ସଂଖ୍ୟା ୧୮୮୦ରେ ପହଞ୍ଚିଛି। ମହାନଦୀର ଟିକରପଡାସ୍ଥିତ ସାତକୋଶିଆ ଗଣ୍ଡଠାରେ ଘଡିଆଳ କୁମ୍ଭୀରର ପ୍ରାକୃତିକ ପ୍ରଜନନ ଫଳରେ ଏହାର ସଂଖ୍ୟା ୧୬ରେ ପହଞ୍ଚିଛି । ଏହାର ସୁରକ୍ଷାପାଇଁ ‘କୁମ୍ଭୀର ବନ୍ଧୁ’ ଭାବେ ସ୍ଥାନୀୟ ଅଧିବାସୀମାନଙ୍କୁ ନିୟୋଜିତ କରାଯାଇଛି। ତା’ ସହ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିବା ଶାବକମାନଙ୍କୁ ସୁରକ୍ଷିତ ଭାବରେ ଫେରାଇଲେ ୧୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ମଧୁର ଜଳରେ ବସବାସ କରୁଥିବା ମଗର କୁମ୍ଭୀର, ଶିକାର ଓ ବାସସ୍ଥାନ ନଷ୍ଟ ହେବା ଯୋଗୁଁ ବିଲୁପ୍ତପ୍ରାୟ ହୋଇଯାଇଥିଲା। ୧୯୭୫ ମସିହାରେ ଶିମିଳିପାଳର ରାମତୀର୍ଥ ଠାରେ ରାଜ୍ୟ ସରକାର, ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ସହାୟତାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲେ।  ପ୍ରଜନନର ସଫଳ ପ୍ରୟାସ ଯୋଗୁଁ ଆଜି ଓଡ଼ିଶାରେ ମଗରମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇ ଏହି ବର୍ଷ କୁମ୍ଭୀର ଗଣନାରେ ୨୦୦ରୁ ଅଧିକ ସଂଖ୍ୟକ ମଗର କୁମ୍ଭୀର ରେକର୍ଡ଼ କରାଯିବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ,  ଜ୍ଞାନ ଓ ଗବେଷଣା ଦ୍ୱାରା ଏହି ପ୍ରକଳ୍ପକୁ ଦିଗଦର୍ଶନ ଦେଇଥିବା ଆମର ବୈଜ୍ଞାନିକମାନଙ୍କୁ, ଦିନରାତି ଏକ କରି, ନିଜ ଜୀବନକୁ ବାଜି ଲଗାଇ ଏହି ଜୀବମାନଙ୍କୁ ସୁରକ୍ଷା ଦେଇଥିବା ବନ ବିଭାଗର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କୁ, ଆର୍ଦ୍ରଭୂମି କୂଳରେ ବସବାସ କରୁଥିବା ଆମର ସ୍ଥାନୀୟ ଭାଇଭଉଣୀମାନେ ଯେଉଁମାନଙ୍କ ସହଯୋଗ, ସମର୍ପଣ ଏବଂ ପାରମ୍ପରିକ ଜ୍ଞାନ ବିନା ଏହି ସଫଳତା ଅସମ୍ଭବ ଥିଲା, ସେ ସମସ୍ତଙ୍କୁ ଏହି ଅନନ୍ୟ ସଫଳତାର ଶ୍ରେୟ ଦେଇଛନ୍ତି।

ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୁରେଶ ପନ୍ଥ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଲେ ଯେ ସଂପ୍ରତି ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ଏକ ନୂତନ ଆହ୍ୱାନ ସୃଷ୍ଟି କରିଛି। ସେମାନଙ୍କ ବାସସ୍ଥଳୀ ସଂକୋଚନ, ଅଣ୍ଡାଦାନ ସ୍ଥାନ ନଷ୍ଟ ଯୋଗୁଁ ମଣିଷ-କୁମ୍ଭୀର ସଂଘର୍ଷ ବଢିଛି। କୁମ୍ଭୀର ସୁରକ୍ଷା ଦିଗରେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବା ଆଜି ଜରୁରୀ ହୋଇପଡିଛି। ମନୁଷ୍ୟ-କୁମ୍ଭୀରର ସଂଘର୍ଷକୁ ପ୍ରତିହତ କରିବା ପାଇଁ ତାରଜାଲି ଘେର, ନଦୀକୂଳରେ ସୁରକ୍ଷିତ ସ୍ନାନାଗାର ଆଦି ନିର୍ମାଣ କରାଯାଇଛି। ଏଥିସହ ମନୁଷ୍ୟ-କୁମ୍ଭୀର ସଂଘର୍ଷରେ ମୃତାହତମାନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି । ତେବେ ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି ଆବଶ୍ୟକ । କୁମ୍ଭୀର ସଂରକ୍ଷଣର ପ୍ରତିବଦ୍ଧତାକୁ ନିରନ୍ତର ବଜାୟ ରଖିବା ପାଇଁ ସମସ୍ତେ ନିସ୍ୱାର୍ଥପର ଚେଷ୍ଟା ଜାରି ରଖିବା ପାଇଁ  ସେ ଆହ୍ୱାନ ଦେଇଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଭାତ କୁମାର ରାଉଳ ଓୟୁଏଟି ପରିସରରେ ବନ୍ୟଜନ୍ତୁ ଗବେଷଣା ଓ ସଂରକ୍ଷଣ ସମ୍ବନ୍ଧୀୟ ଏକାଡେମିକ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵ।ବଧାରକ ପ୍ରେମ୍ କୁମାର ଝା ସ୍ଵାଗତ ଭାଷଣ ଦେଇ ଓଡ଼ିଶାରେ କୁମ୍ଭୀର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଓ ଏହାର ସଫଳତା ଭାରତୀୟ ସଂରକ୍ଷଣ ଇତିହାସରେ ଏକ ଗୌରବମୟ ଗାଥା ବୋଲି କହିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ‘ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ’ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଘଡ଼ିଆଳ ଉପରେ ରଚିତ ଏକ ପୁସ୍ତକ, ୫୦ ବର୍ଷର କୁମ୍ଭୀର ସଂରକ୍ଷଣ ଉପରେ ପୁସ୍ତିକା ଓ ମହାନଦୀରେ ଘଡ଼ିଆଳର ପ୍ରଜାତି ପୁନରୁଦ୍ଧାର –ଅନ୍ତରୀଣ ରିପୋର୍ଟ ପୁସ୍ତକ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ପାଠକାର୍ପିତ ହୋଇଥିଲା। ପ୍ରଖ୍ୟାତ କୁମ୍ଭୀର ବିଶେଷଜ୍ଞ ଡକ୍ଟର ଲାଲା ଅଶ୍ଵିନୀ କୁମାର ସିଂହ ଘରିଆଲ କୁମ୍ଭୀର ପାଇଁ, ଡକ୍ଟର ସୁଧାକର କର ଲୁଣିଆ କୁମ୍ଭୀର ପାଇଁ ଏବଂ ପ୍ରଫେସର ଡକ୍ଟର ସୁଦର୍ଶନ ମହାରଣାଙ୍କୁ ଘରିଆଲ ସଂରକ୍ଷଣ କ୍ଷେତ୍ରରେ  ଜୀବନବ୍ୟାପୀ ସାଧନା ଏବଂ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। କୁମ୍ଭୀର ରେଞ୍ଜ ଡିଭିଜନଗୁଡିକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ, ଫଟୋଗ୍ରାଫି ଏବଂ ବିତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ମୁଖ୍ୟ ବନସଂରକ୍ଷକ ଓ ନନ୍ଦନକାନନ ନିର୍ଦ୍ଦେଶକ ଡ଼. ମନୋଜ ଭି. ନାୟାର ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *