କ୍ରପ୍ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ କ୍ରପ୍ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଫସଲର ସ୍ଥିତି, ପାଣିପାଗ, ସାର ଯୋଗାଣ ସ୍ଥିତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ବହୁଳ ମାତ୍ରାରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେଉଛି। ଏହି ସବୁଜିମା ଅଭିଯାନ ଅନ୍ତର୍ଗତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୨୩ ଲକ୍ଷ ଚାରା ରୋପଣ କରାଯିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସମୟରେ ପାଣିପାଗ ଅନୁକୂଳ ଥିବାରୁ ଚାଷ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। କେନାଲ ଗୁଡ଼ିକର ମରାମତି କରି ଆବଶ୍ୟକ ପରିମାଣର ପାଣି ଚାଷ ଜମିକୁ ଯୋଗାଇ ଦିଆଯାଇଛି। ସେହିଭଳି, ସାରା ରାଜ୍ୟରେ ସାର ଯୋଗାଣ କରାଯାଉଛି। ଯେଉଁଠାରୁ ସାର ଯୋଗାଣ ନେଇ କିଛି ବି ଅଭିଯୋଗ ଆସୁଛି ବିଭାଗ ତା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଡ଼ ପାଢ଼ୀ ମତବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ କୃଷି ସମୃଦ୍ଧି ହେଲ୍ପ ଲାଇନ ମାଧ୍ୟମରେ ଚାଷୀଙ୍କୁ ସଠିକ ସୂଚନା ପ୍ରଦାନ କରାଯାଉଛି। ଆଗାମୀ ସମୟରେ ସାର ଯୋଗାଣକୁ ସୁଦୃଢ଼ କରିବା ନିମନ୍ତେ ଅଧିକ ରେଳ ରେକ୍ ପଏଣ୍ଟ ପାଇଁ ବିଭାଗ ତରଫରୁ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖା ଯାଇଛି।
ବୈଠକରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକ କୁଲାଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା, କୃଷି ନିର୍ଦ୍ଦେଶକ ଲିଟି ପଟ୍ଟନାୟକ, ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାନ୍ତି, କୃଷି ବିଭାଗ, ସମବାୟ ବିଭାଗ, ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।