ଖରିଫ ଋତୁ ଧାନ ସଂଗ୍ରହ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି। ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଖରିଫ୍‌ ଋତୁ ଧାନ ସଂଗ୍ରହ ନିମନ୍ତେ ଯାରି ପଞ୍ଜିକରଣ ପ୍ରକ୍ରିୟା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ମାତ୍ର ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ପଞ୍ଜିକରଣ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଖରିଫ୍‌ ଋତୁ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ ପ୍ରକ୍ରିୟା ୪ ଦିନ ବିଳମ୍ବରେ ହୋଇଥିଲେ ସୁଦ୍ଧା ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅଧିକରୁ ଅଧିକ ଚାଷୀ ଇଚ୍ଛାବ୍ୟକ୍ତ କରିଛନ୍ତି। ଗତବର୍ଷ ଏହି ପ୍ରକ୍ରିୟା ଜୁଲାଇ ୧୫ ତାରିଖରେ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଏହା ଜୁଲାଇ ୧୯ ତାରିଖଠାରୁ ଜାରି ରହିଛି।

ଏହା ବ୍ୟତୀତ ପଞ୍ଜିକରଣକୁ ସରଳୀକୃତ କରାଯିବା ସହ ନିଜସ୍ୱ ଘୋଷଣାନାମା (Self Declaration) ମାଧ୍ୟମରେ ମଧ୍ୟ ଚାଷୀମାନେ ପଞ୍ଜିକରଣ କରିବାର ସୁବିଧା ଦେବାକୁ ସରକାର ସ୍ଥିର କରିଛନ୍ତି। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *