ଗୃହ, ସେତୁ ଓ ରାସ୍ତା ନିର୍ମାଣର ସବିଶେଷ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ଟି ବିଭାଜନର କାର୍ୟ୍ୟକୁ ବିସ୍ତୃତ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଉନ୍ନତମାନକୁ ବଜାୟ ରଖି ସମସ୍ତ ନିର୍ମାଣ କାର୍ୟ୍ୟ ଶେଷକରିବାକୁ ନିର୍ଦ୍ଦେଶ ଦେବାସହ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା କାଟ ହେବ ବୋଲି ତାଗିଦ କରିଛନ୍ତି।

ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ବିଭାଗ ଦ୍ବାରା କାର୍ୟ୍ୟକାରୀ ସମସ୍ତ ଯୋଜନାର ସମୀକ୍ଷା ହୋଇଥିଲା।  ରାଜ୍ୟର ସମସ୍ତ ୬୦ଟି ଗ୍ରାମ୍ୟ ନିର୍ମାଣ ବିଭାଜନର ସମସ୍ତ ନିର୍ମାଣ କାର୍ୟ୍ୟକୁ ମନ୍ତ୍ରୀ ରବିନାରାୟଣ ନାଏକ ସମୀକ୍ଷା କରିଥିଲେ। ପିଏମ୍ଜିଏସୱାଇ-୪ରେ ରାଜ୍ୟ ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ସେ ବିଭାଗର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଯୋଜନାରେ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାରେ ସାଚୁରେସନ୍ ମୋଡ୍ ରେ ନିର୍ମାଣ କାର୍ୟ୍ୟ ହୋଇଥିବାରୁ ସେ ପ୍ରସନ୍ନତା ବ୍ୟକ୍ତ କରିଥିଲେ। ଏହା ସହ ଆର୍ଥିକ ବର୍ଷ ୨୦୨୫-୨୬ରେ ଅନ୍ୟ ଯୋଜନା ଗୁଡ଼ିକର ନିର୍ମାଣ ଲକ୍ଷ୍ୟ ବିଷୟରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୫୨୧ଟି ପ୍ରକଳ୍ପରେ  ନିର୍ମାଣ ହେବାକୁଥିବା ୫୦୦୦ କିମି ରାସ୍ତା, ସେତୁ ବନ୍ଧନ ଯୋଜନାରେ ୪୦୦ ସେତୁ ଓ ୨୫୩ଟି କୋଠାର ନିର୍ମାଣ ଅଗ୍ରଗତି ବିଷୟରେ ସବିଶେଷ ସମୀକ୍ଷା କରି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। କିଛି ବିଭାଜନ ଆଶାନୁରୂପ ପ୍ରଦର୍ଶନ କରିନଥିବାରୁ ସେଠାକାର ସ୍ଥିତି ଓ ଉନ୍ନତ ପ୍ରଦର୍ଶନର ମାର୍ଗ ବିଷୟରେ ଆଲୋଚନା ହୋଇଥିଲା। ସେହି ବିଭାଜନର ଅଧିକାରୀ ଅଧିକ ଯତ୍ନଶୀଳ ହେବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଦିଗଦର୍ଶନ ଦେଇ ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଥିଲେ ଯେ ରାଜ୍ୟସରକାର ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ସେହି ଅନୁଯାୟୀ ବଜେଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଛି ଗ୍ରାମାଞ୍ଚଳର ଜନସାଧକ୍ଷରଣଙ୍କ ଜନଜୀବନକୁ ପ୍ରଭାବିତ କରୁଥିବା ବିଭାଗ। ପାଞ୍ଚ ବର୍ଷ ମଧ୍ୟରେ ୩୦,୦୦୦  କିମି ରାସ୍ତା, ୫୦୦ ସେତୁ ନିର୍ମାଣ ଲକ୍ଷ୍ୟକୁ ବିଭାଗ ଯେପରି ସଫଳତାର ସହ ହାସଲ କରିବ ତାହା ବିଭାଗର ସମସ୍ତଙ୍କ ଦାୟିତ୍ବ। ଏହା ରାଜ୍ୟର ବିକାଶକୁ ବହୁଗୁଣିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ।

ପ୍ରତିଟି ପ୍ରକଳ୍ପ ନିର୍ମାଣରେ ଉତ୍ତରଦାୟିତ୍ବ ସ୍ଥିର କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭାଜନ ଗୁଡ଼ିକପାଇଁ ମାସିକ ନିର୍ମାଣ  ଲକ୍ଷ୍ୟ ସ୍ଥିରୀକୃତ କରାଯିବା ସହ ସେଗୁଡ଼ିକର ମନିଟରିଂ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଯେଉଁ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ବିଳମ୍ବିତ ଅବସ୍ଥାରେ ରହିଛି ସେ ଗୁଡ଼ିକର ସ୍ଥିତି ସମୀକ୍ଷା କରିବାପାଇଁ ଏକ କ୍ଷେତ୍ରୀୟ ଟିମ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତିଟି ପ୍ରକଳ୍ପ ନିର୍ମାଣରେ ମାନ ବଜାୟ ରଖିବା ସହ ସ୍ଥିରୀକୃତ ସମୟରେ ନିର୍ମାଣ ସମ୍ପୂର୍ଣ୍ଣ ସହ ଦାୟିତ୍ବରେ ଅବହେଳା ଯୋଗୁଁ ନିର୍ମାଣରେ ବିଳମ୍ବ ଓ ନିର୍ମାଣ ମାନରେ ଅସଂଗତି ରହିଲେ ଉତ୍ତରଦାୟିତ୍ବ ସ୍ଥିର କରି ଦରମାବନ୍ଦ ଓ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ୟାମିନୀ ଷଡଙ୍ଗୀ ୬୦ଟି ବିଭାଜନର ନିର୍ମାଣ କାର୍ୟ୍ୟ ଓ ଅନ୍ୟକ୍ଷନ୍ୟ ଆନୁଷଙ୍ଗିକ ଦିଗ ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା ବୈଠକକୁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ବିଭିନ୍ନ ନିର୍ମାଣ କାର୍ୟ୍ୟ ବିଷୟରେ ତଥ୍ୟ ରଖିଥିଲେ। ସର୍ବୋଚ୍ଚ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ସର୍ବୋଚ୍ଚ ଯନ୍ତ୍ରୀ ଦେବେନ୍ଦ୍ର ସେଠ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ।

Leave a Reply

Your email address will not be published. Required fields are marked *