‘ଗୋଆ ଓ ତେଲାଙ୍ଗାନାର ସ୍ୱତନ୍ତ୍ର ଭାଷା, ସଂସ୍କୃତି, ପ୍ରଥା, ପରଂପରା ଏବଂ ଐତିହ୍ୟ ରହିଛି’

ଭୁବନେଶ୍ୱର: ରାଜଭବନରେ ଗୋଆ ଓ ତେଲାଙ୍ଗାନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଓଡିଶାର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟିଙ୍କ ଉପସ୍ଥିତିରେ ଚଳିତ ଜୁନ୍ ୨ ତାରିଖ ସୋମବାର ଅହରାହ୍ନରେ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା । ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସରକାରୀ କାର୍ଯ୍ୟରେ ଭିଏତନାମ୍ ଗସ୍ତରେ ଥିବାରୁ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତା ଗୋଆ ଏବଂ ତେଲାଙ୍ଗାନର ଅଧିବାସୀମାନଙ୍କୁ ଅବଗତ କରାଯାଇଥିଲା । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ କହିଥିଲେ ଯେ, ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ “ଏକ ଭାରତ – ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଛି । ଗୋଆ ଓ ତେଲାଙ୍ଗାନା ରାଜ୍ୟର ଅଧିବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜପୁତ କହିଥିଲେ ଯେ, ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ବିଭିନ୍ନ ସଂସ୍କୃତି, ପରଂପରା ଏବଂ ଆକାଂକ୍ଷାକୁ ଏକ ସହଭାଗୀ ଜାତୀୟ ପରିଚୟରେ ଏକତ୍ର କରିଥାଏ । ଗୋଆ ଏବଂ ତେଲେଙ୍ଗାନା ଉଭୟ ଆମ ମହାନ ରାଷ୍ଟ୍ରର ଅବିନାଶୀ ସ୍ତମ୍ଭ, ଯାହାର ସ୍ୱତନ୍ତ୍ର ଭାଷା, ସଂସ୍କୃତି, ପ୍ରଥା, ପରଂପରା ଏବଂ ଐତିହ୍ୟ ରହିଛି ।

ଆରବସାଗର କୂଳରେ ଅବସ୍ଥିତ ଗୋଆ, ଏହାର ସୁନ୍ଦର ବେଳାଭୂମି ଏବଂ ଜୀବନ୍ତ ସଂସ୍କୃତି ପାଇଁ ପ୍ରସିଦ୍ଧ । ଗୋଆ ୧୯୬୧ ମସିହାରେ ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଭାରତର ଏକ ଅଙ୍ଗ ହୋଇ ୧୯୮୭ ମସିହା ମଇ ୩୦ ତାରିଖରେ ଏକ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ପାଇଥିଲା । ଏହା ଏକ ସମୃଦ୍ଧ ରାଜ୍ୟ ଓ ଏହାର ଗୌରବମୟ ପରଂପରା ରହିଛି । ସେହିପରି ତେଲାଙ୍ଗାନା ୨୦୧୪ ଜୁନ୍ ୨ ତାରିଖରେ ପ୍ରତିଷ୍ଠା ହୋଇଥିଲା । ବିବିଧ ଭାଷା ଓ ସଂସ୍କୃତିର ରାଜ୍ୟ ତେଲାଙ୍ଗାନା ହେଉଛି ଭାରତର ଉତ୍ତର ଓ ଦକ୍ଷିଣ ମଧ୍ୟରେ ସଂଯୋଗସ୍ଥଳୀ । ଅନେକ ରାଜବଂଶ ଦ୍ୱାରା ଶାସିତ ହୋଇଥିବା ଏହି ଭୂମି ଭାରତର ବିବିଧ ସଂସ୍କୃତି ଏବଂ ଅନ୍ତର୍ଭୂକ୍ତିର ସର୍ବୋତ୍ତମ ଉଦାହରଣ ସୃଷ୍ଟି କରିଛି । ପର୍ବପର୍ବାଣୀ ଏହାର ଐତିହାସିକ, ପରିବେଶଗତ, ସାମାଜିକ ଏବଂ ଧାର୍ମିକ ଗୁରୁତ୍ୱକୁ ପ୍ରତିଫଳିତ କରେ । ବଙ୍ଗୋପସାଗର କୂଳରେ ଅବସ୍ଥିତ ଓଡିଶା ସାଂସ୍କୃତିକ ବିବିଧତା, ସମୃଦ୍ଧ ମନ୍ଦିର ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ସମୃଦ୍ଧ ମିଶ୍ରଣ ପାଇଁ ପ୍ରସିଦ୍ଧ । ଗୋଆ ଏବଂ ତେଲେଙ୍ଗାନାର ଅନେକ ମୂଳବାସିନ୍ଦା ଓଡିଶାକୁ ନିଜର ଦ୍ୱିତୀୟ ଘର ଭାବେ ମନେକରନ୍ତି । ଗୋଆ ଓ ତେଲାଙ୍ଗାନାର ଅନେକ ଛାତ୍ରଛାତ୍ରୀ ଓଡିଶାରେ ଶିକ୍ଷା ଗ୍ରହଣ କରି କ୍ୟାରିଅର ନିର୍ମାଣ କରୁଛନ୍ତି ଏବଂ ବୃତ୍ତିଧାରୀ ବୃତ୍ତି ଗ୍ରହଣ କରି ଓଡିଶାର ବୌଦ୍ଧିକ ଓ ସାଂସ୍କୃତିକ ସମୃଦ୍ଧିରେ ଯୋଗଦାନ ଦେଉଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ରାଜପୁତ କହିବା ସହିତ ବିବିଧତା ମଧ୍ୟରେ ଏକତାର ବନ୍ଧନକୁ ସୁଦୃଢ଼ କରିବା ଏବଂ ଆମର ସହଭାଗୀ ଐତିହ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇବାକୁ ଆହ୍ୱାନ ଜଣାଇଥିଲେ  । ଏହି କାର୍ଯ୍ୟକ୍ରମରେ ଗୋଆର ରାଜ୍ୟପାଳ ପି.ଏସ୍ ଶ୍ରୀଧରନ୍ ପିଲାଇ ଏବଂ ତେଲାଙ୍ଗାନାର ମାନ୍ୟବର ଜୀଷ୍ଣୁ ଦେବ ବର୍ମାଙ୍କ ଶୁଭେଚ୍ଛା ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା  ।

Leave a Reply

Your email address will not be published. Required fields are marked *