ଛତିଶଗଡରେ ଏନକାଉଣ୍ଟର: ୩୦ ନକ୍ସଲ ନିହତ

ଋାୟପୁର: ଛତିଶଗଡରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୩୦ ଜଣ ନକ୍ସଲଙ୍କର ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ତୁଙ୍ଗ ନକ୍ସଲ ନେତା ବାସବରାଜ ରହିଥିବା ଜଣାଯାଇଛି । ନାମ୍ବଲା କେଶବ ରାଓ ଓରଫ ବାସବରାଜଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ମଧ୍ୟ ବେଆଇନ ଘୋଷିତ କମୁ୍ୟନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓଇଷ୍ଟ)ର ସାଧାରଣ ସମ୍ପାଦକ ରହିଥିଲେ । ସୂଚନାଯୋଗ୍ୟ ଯେ ଏହି ତୁଙ୍ଗ ନକ୍ସଲନେତା ୧୯୭୦ ଦଶକରୁ ନକ୍ସଲ ଆନେ୍ଦାଳନର ଅଂଶବିଶେଷ ହୋଇ ରହିଆସିଥିଲେ । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ତାଙ୍କର ମୃତୁ୍ୟ ଘଟିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ ବୁଧବାର ସୁରକ୍ଷା ବାହିନୀ ପକ୍ଷରୁ ନାରାୟଣପୁର ଜିଲ୍ଲାର ଅବୁଜମାଦ ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଥିବାବେଳେ ନକ୍ସଲଙ୍କ ସହିତ ସୁରକ୍ଷା ବାହିନୀର ଗୁଳି ବିନିମୟ ଘଟିଥିଲା । ସେଥିରେ ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ଜିଲ୍ଲାର ଡିଆରଜି ଯବାନମାନେ ସାମିଲ ହୋଇଥିଲେ । ଯବାନମାନେ ଜଙ୍ଗଲ ଭିତରେ ନକ୍ସଲମାନଙ୍କୁ ଘେରିଯାଇ ଗୁଳି ଚଳାଇବା ଫଳରେ ୩୦ ଜଣ ନକ୍ସଲଙ୍କର ମୃତୁ୍ୟ ଘଟିଥିବା ଜଣାଯାଇଛି । ଅବୁଜମାଦ ଜଙ୍ଗଲ ଭିତରେ ମାଓବାଦୀଙ୍କର ବରିଷ୍ଠ କ୍ୟାଡର ଉପସ୍ଥିତ ଥିବା ଗୋଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯାଇଥିଲା । ସୂଚନାଯୋଗ୍ୟ ଯେ ଏହାର ମାତ୍ର ଦୁଇ ସପ୍ତାହ ପୂର୍ବରୁ ସୁରକ୍ଷା ବାହିନୀ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ତେଲେଙ୍ଗାନା ସୀମାନ୍ତ କାରେଗୁଟ୍ଟା ପାହାଡ ଅଞ୍ଚଳରେ ୧୫ ଜଣ ନକ୍ସଲ ପ୍ରାଣ ହରାଇଥିଲେ ।