ଜନଗଣନା ପାଇଁ ଗେଜେଟ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜନଗଣନା ନିମନ୍ତେ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ମର୍ମରେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜନଗଣନା କାର୍ଯ୍ୟ ପରିଚାଳନା ନିମନ୍ତେ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ୩୪ ଲକ୍ଷ ଜନଗଣନାକାରୀ ଏବଂ ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ । ଏହି ପ୍ରକି୍ରୟା ଦୁଇଟି ପର୍ଯ୍ୟାୟରେ କରାଯିବ ଏବଂ ଏହା ୨୦୨୭ ମାର୍ଚ୍ଚ ୧ ତାରିଖରେ ଶେଷ ହେବ । ଡିଜିଟାଲ ପଦ୍ଧତିରେ ମୋବାଇଲ ଆପ୍ଲିକେସନ ବ୍ୟବହାର କରାଯାଇ ଜନଗଣନା କରାଯିବ ଯେଉଁଥିରେ ଲୋକଙ୍କୁ ସ୍ୱ-ଗଣନା ବ୍ୟବସ୍ଥା ଯୋଗାଇ ଦିଆଯିବ । ଏ ସମ୍ପର୍କିତ ତଥ୍ୟ ସଂଗ୍ରହ, ସଂଚରଣ ଏବଂ ମହଜୁଦ ସମୟରେ ତାହା ଯେଭଳି ପୂର୍ଣ୍ଣ ସୁରକ୍ଷିତ ରହିବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବାକୁ ଥିବାବେଳେ ସେଥିମଧ୍ୟରୁ ଗୋଟିଏ ହେଉଛି ବାସଗୃହ ତାଲିକାଭୁକ୍ତ କରିବା (ଏଚଏଲଓ) କାର୍ଯ୍ୟ, ଯେଉଁଥିରେ ବାସଗୃହ ପରିସ୍ଥିତି, ଉପକରଣ ଏବଂ ପ୍ରତ୍ୟେକ ବାସଗୃହରେ ଥିବା ସୁବିଧା ସୁଯୋଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ । ଦ୍ୱିତୀୟରେ ଜନସଂଖ୍ୟା ତଥ୍ୟ ସଂଗ୍ରହ (ପିଇ) ଯେଉଁଥିରେ ଜନସଂଖ୍ୟା, ପ୍ରତ୍ୟେକ ପରିବାରର ପ୍ରତି ବ୍ୟକ୍ତିଙ୍କର ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଏବଂ ସାଂସ୍କୃତିକ ବିଷୟରେ ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ଜନଗଣନାରେ ଜାତିଗତ ଗଣନା କାର୍ଯ୍ୟ ମଧ୍ୟ କରାଯିବ । ଜୁନ ୪ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜନଗଣନା ଆରମ୍ଭ ସମ୍ପର୍କରେ ଘୋଷଣା କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ୨୦୨୭ ମାର୍ଚ୍ଚ ୧ ତାରିଖରେ ଜନଗଣନା ସମ୍ପର୍କିତ ରିପୋର୍ଟ ପ୍ରକାଶ କରାଯିବ । କୁହାଯାଉଛି, ୨୦୨୬ ପରେ ଆସିବାକୁ ଥିବା ଜନଗଣନା ରିପୋର୍ଟକୁ ଲୋକସଭା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ନିମନ୍ତେ ବ୍ୟବହାର କରାଯାଇପାରିବ । ଦେଶରେ ପରବର୍ତୀ ସାଧାରଣ ନିର୍ବାଚନ ୨୦୨୯ରେ ହେବା ଆଶା କରାଯାଉଛି । ଦେଶରେ ଶେଷଥର ପାଇଁ ୨୦୧୧ରେ ଜନଗଣନା କରାଯାଇଥିଲା ଏବଂ ପରବର୍ତୀ ଜନଗଣନା ୨୦୨୧ରେ ହେବା କାର୍ଯ୍ୟକ୍ରମ ରହିଥିବାବେଳେ କୋଭିଡ-୧୯ ମହାମାରୀ କାରଣରୁ ତାହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଂଚାଇ ଦିଆଯାଇଥିଲା ।