‘ଜରୁରୀ କାଳୀନ ପରିସ୍ଥିତି’ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ

ଭୁବନେଶ୍ୱର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ଏହି ‘ଜରୁରୀ କାଳୀନ ପରିସ୍ଥିତି’ସମୟକୁ ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ।
ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର ଚାଲିଥିଲା ସେ ସବୁକୁ କେହି ଭୁଲି ପାରିବେ ନାହିଁ। କିନ୍ତୁ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ୨୫ ଜୁନ ୨୦୨୬ରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ।
ସେ ପୁଣି କହିଥିଲେ ଯେ, ଆଜି ଆମ ସହିତ ୧୦୮ ଜଣ ଲୋକତନ୍ତ୍ର ସେନାନୀ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସମ୍ମାନିତ କରି ଆମେ ଗୌରବାନ୍ୱିତ ଅନୁଭବ କରୁଛୁ। ଆମ ସରକାର ଆସିବା ପରେ ଆମେ ଆମର ଲୋକତନ୍ତ୍ର ସେନାନୀ ମାନଙ୍କ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଓ ଚିକିତ୍ସା ସୁବିଧା ମଧ୍ୟ ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ପେନସନ ପାଇଁ ଅନୁମୋଦନ ମିଳି ସାରିଛି। ଅନ୍ୟ ଲୋକତନ୍ତ୍ର ସେନାନୀ ମାନଙ୍କ ପାଇଁ ପ୍ରକ୍ରିୟା ଜାରି ରହିଛି। ଖୁବ୍ ଶୀଘ୍ର ସେମାନେ ମଧ୍ୟ ପେନସନ ପାଇବେ। ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ।
କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୫୦ ବର୍ଷ ତଳେ ଯେଉଁ ଭୁଲ ହୋଇଥିଲା ତାହା ଆଜିର ପୀଢ଼ି ଜାଣିବା ଦରକାର ଆଉ ଅନ୍ୟର ଭୁଲ ରୁ ମଣିଷ ଶିଖିବା ଭଳି, ଆଜିର ପୀଢ଼ି ଏହି ଦିବସରେ ଶିଖିବା ଦରକାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ସମ୍ମାନିତ ଅତିଥିଗଣ ଏହି ଜରୁରୀକାଳୀନ ସମୟର ଲୋକତନ୍ତ୍ର ସେନାନୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହାସହିତ ଲୋକତନ୍ତ୍ର ସେନାନୀ ଶୋଭାଯାତ୍ରା ରଥ ଓ ସମ୍ବିଧାନ ହତ୍ୟା ଦିବସ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ, ଲୋକତନ୍ତ୍ର ସେନାନୀ ବିମ୍ବାଧର କୁଅଁର, କୃଷ୍ଣଚନ୍ଦ୍ର ଜଗଦେବ, ଓ କାହ୍ନୁଚରଣ ବେହେରା ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।