ଜ୍ୟୋତିଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପ୍ରିୟଙ୍କା

ପୁରୀ: ପାକିସ୍ତାନ ପକ୍ଷରୁ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ସନେ୍ଦହରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କର ପୁରୀର ଜଣେ ଯୁବତୀ ପ୍ରିୟଙ୍କା ସେନାପତିଙ୍କର ସମ୍ପର୍କ ରହିଥିବା ଏବଂ ସେ ମଧ୍ୟ ସୀମାପାର ଗୁପ୍ତଚର ବୃତ୍ତିରେ ସଂପୃକ୍ତ ଥିବା ସନେ୍ଦହରେ ତଦନ୍ତକୁ ବ୍ୟାପକ କରାଯାଇଛି । ଇତିମଧ୍ୟରେ ପ୍ରିୟଙ୍କାଙ୍କ ବ୍ୟାକ ଆକାଉଣ୍ଟ ଏବଂ ମାଲହୋତ୍ରାଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ ଯେ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରା ଏବଂ ସେ ୟୁଟୁ୍ୟବରେ ବନ୍ଧୁ ହେବା ସମ୍ପର୍କରେ ପ୍ରିୟଙ୍କା ସ୍ପଷ୍ଟିକରଣ ଦେବାପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଜ୍ୟୋତିଙ୍କ ଘଟଣା ସର୍ବସମ୍ମୁଖକୁ ଆସିବା ପରେ ପ୍ରିୟଙ୍କା କହିଥିଲେ ଯେ, ଜ୍ୟୋତି ଏଭଳି କାର୍ଯ୍ୟ କରୁଥିବା ସମ୍ପର୍କରେ ସେ ଆଦୋ÷ ଜାଣିନଥିଲେ । ସେ ଯଦି ଶତ୍ରୁ ରାଷ୍ଟ୍ରପାଇଁ ଗୋଇନ୍ଦାଗିରି କରୁଥିବା ଜାଣିଥାନ୍ତେ ତେବେ ତାଙ୍କ ସହିତ କଦାପି ସମ୍ପର୍କ ରଖିନଥାନ୍ତେ । ପୋଲିସ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଯୋଗାଯୋଗ ସମ୍ପର୍କରେ ତଦନ୍ତ କରୁଛି । ପ୍ରିୟଙ୍କାଙ୍କର ସମସ୍ତ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ନେଇ ପୋଲିସ ତଦନ୍ତ କରୁଛି । ଇତିମଧ୍ୟରେ ସେ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏକାଧିକ ଥର ଜେରା କରାଯାଇସାରିଲାଣି । ଜ୍ୟୋତିଙ୍କ ସହିତ ତାଙ୍କର କିଭଳି ସମ୍ପର୍କ ସ୍ଥାପନ ହେଲା ଏବଂ ଦୁହିଙ୍କ ମଧ୍ୟରେ କୋ÷ଣସି ବ୍ୟକ୍ତିଗତ ଅଥବା ସ୍ଥାନୀୟ ଗୁପ୍ତ ସୂଚନା ଆଦାନ ପ୍ରଦାନ ହୋଇଛି କି ନାହିଁ ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ପ୍ରିୟଙ୍କାଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ଜ୍ୟୋତି ମାଲହୋତ୍ରାଙ୍କ ସହିତ ସାମାଜିକ ଗଣମାଧ୍ୟମ ଜରିଆରେ ସମ୍ପର୍କରେ ଆସିଥିଲେ ଏବଂ ଜ୍ୟୋତିଙ୍କର ପୁରୀ ଗସ୍ତ ସମୟରେ ପ୍ରାୟ ସାତ ଆଠମାସ ତଳେ ପ୍ରିୟଙ୍କା ତାଙ୍କୁ ସହାୟତା କରିଥିଲେ । ସେ କହିଥିଲେ ଯେ ପ୍ରିୟଙ୍କା ଚାରିମାସ ତଳେ ପାକିସ୍ତାନର କର୍ତ୍ତାରପୁର ଯାଇଥିଲେ ଏବଂ ତାହାର ଏକ ଭିଡିଓ ମାର୍ଚ୍ଚ ୨୫ ତାରିଖରେ ତାଙ୍କର ୟୁଟୁ୍ୟବ ଚାନେଲରେ ଅପଲୋଡ କରାଯାଇଥିଲା । ଉକ୍ତ ଚାନେଲରେ ତାଙ୍କର ୧୪୮୦୦ ସବସ୍କ୍ରାଇବର ରହିଛନ୍ତି । ସେଥିରୁ ଜଣାଯାଇଛି ଯେ ପ୍ରିୟଙ୍କା ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ଭାଗ ଭ୍ରମଣ କରିଛନ୍ତି ।
ଇତିମଧ୍ୟରେ ପୋଲିସ ଜଗନ୍ନାଥ ଭକ୍ତନିବାସ ସମ୍ପର୍କରେ ମଧ୍ୟ ଯାଞ୍ଚ କରୁଛି । ଏହି ଅତିଥି ଭବନରେ ଜ୍ୟୋତି ମାଲହୋତ୍ରା ଗତବର୍ଷ ସେପ୍ଟେମ୍ବରରେ ତାଙ୍କର ପୁରୀ ଗସ୍ତ ସମୟରେ ରହିଥିଲେ । ଉକ୍ତ ଅତିଥି ନିବାସର ପରିଚାଳକ କହିଛନ୍ତି ଯେ ଜ୍ୟୋତି ସେଠାରେ ସେପ୍ଟେମ୍ବର ୨୧ ତାରିଖରେ ଅନ୍ୟଜଣେ ମହିଳାଙ୍କ ସହିତ ପହଞ୍ଚି ଗୋଟିଏ ଦିନ ରହିଥିଲେ । ସେମାନଙ୍କୁ ଭେଟିବାକୁ ସେଠାକୁ କେହି ଆସିନଥିଲେ । ତାହାଛଡା ଜ୍ୟୋତି ମଧ୍ୟ ପ୍ରକୋଷ୍ଠରେ ଅଧିକ ସମୟ ଉପସ୍ଥିତ ନଥିଲେ । ସେ ଅଳ୍ପ ସମୟ ପାଇଁ ଆସି ଚାଲିଯାଉଥିଲେ । ସୂଚନାଯୋଗ୍ୟ ଯେ ପାକିସ୍ତାନର ଜଣେ ନାଗରିକଙ୍କ ସହିତ ଜ୍ୟୋତି ବରାବର ସମ୍ପର୍କରେ ରହୁଥିବା ଏବଂ ତାଙ୍କୁ କେତେକ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିସାରିଛି । କୁହାଯାଉଛି ଯେ ସେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ଜଣେ ଅଧିକାରୀ ଆହସାନ ଉର ରହିମଙ୍କୁ ଭିସା ଆବେଦନ କରିବା ପାଇଁ ୨୦୨୩ରେ ଭେଟିଥିଲେ । ପରେ ଜ୍ୟୋତି ଦୁଇଥର ପାକିସ୍ତାନ ଗସ୍ତରେ ଯାଇଥିଲେ ଏବଂ ସେଠାରେ ସେ କେତେକ ଗୁପ୍ତ ସୂଚନା ପ୍ରଦାନ କରିଥିବା ଅଭିଯୋଗ ହୋଇଛି ।