ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ

ଭୁବନେଶ୍ୱର / କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ  ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆବଶ୍ୟକ ଥିବା ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ପୂରଣ ହେବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ ସ୍ୱାସ୍ଥ୍ୟ ସେବା ପାଇଁ କୋରାପୁଟବାସୀଙ୍କୁ ଯେପରି ଆଉ ଦୂର ଦୁରାନ୍ତ ସହରକୁ ଯାଇ ହଇରାଣ ହରକତ ହେବାକୁ ନପଡେ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଏହି ମେଡିକାଲ କଲେଜ ହସ୍‍ପିଟାଲ ଦ୍ବାରା କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକମାନେ ମଧ୍ୟ ଉପକୃତ ହେବେ। ରାଜ୍ୟରେ ବର୍ତ୍ତମାନ ୧୨ ଟି ସରକାରୀ ମେଡିକାଲ କଲେଜ ଅଛି। ଖୁବ୍‍ଶୀଘ୍ର ଆଉ ୪ଟି ଜିଲ୍ଲା ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ।

ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି। ବର୍ତ୍ତମାନ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ଆମ ରାଜ୍ୟର ୩ କୋଟି ୪୬ ଲକ୍ଷ ଅର୍ଥାତ୍‍ ୮୦ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଯୋଜନାରେ ରାଜ୍ୟର ପ୍ରାୟ ୩ ଲକ୍ଷ ୯୧ ହଜାର ହିତାଧିକାରୀମାନଙ୍କ ପାଇଁ ୯୦୦ କୋଟି ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ସେହିଭଳି ଧନୀ, ଗରିବ ନିର୍ବିଶେଷରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ୮୬୪୪ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩୫ କୋଟି ୬୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେଯେ, କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବିକାଶ ଇତିହାସରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଉଛି। ଏହି ଅବସରରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ନୂଆ ହସ୍‍ପିଟାଲ ଉଦ୍‍ଘାଟନ ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପାଇଁ ଏକ ଅନନ୍ୟ ପ୍ରାରମ୍ଭ। ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ର, ସରକାରୀ ଡାକ୍ତରଖାନା, ମେଡ଼ିକାଲ୍ କଲେଜ ଏବଂ ହସ୍‍ପିଟାଲ ଆଦିରେ ନୂଆ ଭିତ୍ତିଭୂମି ସହ ରୋଗୀ-କୈନ୍ଦ୍ରିକ ସେବା ବ୍ୟବସ୍ଥା ସୃଷ୍ଟି କରାଯାଉଛି। ହସ୍‍ପିଟାଲଗୁଡ଼ିକର ନବୀକରଣ କରାଯାଉଛି। ଏ ସବୁ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ। ଏହି ପଦକ୍ଷେପ ଫଳରେ ରାଜ୍ୟର ସବୁ ଆଞ୍ଚଳର ବିକାଶ ସନ୍ତୁଳିତ ଭାବେ ହୋଇ ପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ପ୍ରମୁଖ ମଂଚାସୀନ ଥିବା ବେଳେ ସମାରୋହରେ ଅନୁଷ୍ଠାନିକ ସ୍ୱାଗତ ଭାଷଣ, କୋରାପୁଟ ବିଧାୟକ ରଘୁରାମ ମାଛ ଦେଇଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *