ଡାଇରିଆ ମୁକାବିଲା: କ୍ଷେତ୍ରସ୍ତରରେ ଏକାଭୀମୁଖୀ କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶ

ଭୁବନେଶ୍ବର: ଡାଇରିଆ ସ୍ଥିତିର ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗମାନେ କ୍ଷେତ୍ର ସ୍ତରରେ ସମନ୍ୱିତ ଓ ଏକାଭୀମୁଖୀ ଭାବେ କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହଠାରେ ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲା ସ୍ଥିତିର ସମୀକ୍ଷା କରି ଶ୍ରୀ ଆହୁଜା ଏହି ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲା ସଂପର୍କରେ ସ୍ଥିତି ସମୀକ୍ଷା କରିଥିଲେ। ଅନୁଷ୍ଠିତ ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକ ସଂପର୍କ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ, ପୂର୍ତ୍ତ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବଙ୍କ ଉପସ୍ଥିତିରେ ସ୍ଥିତି ସଂପର୍କରେ ପଚାରି ବୁଝିବା ସହ ମୁଖ୍ୟ ଶାସନ ସଚିବ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଉତ୍ସଗୁଡ଼ିକର ନିୟମିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ କରିବା, ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର ସଚିବଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟ ରାପିଡ୍ ଆକ୍ସନ ଟିମଙ୍କର କ୍ଷେତ୍ର ପରିଦର୍ଶନ ସ୍ଥିତି ଓ ପରାମର୍ଶ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍ କେନ୍ଦ୍ରୀୟ ଟିମ୍ମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରରୁ ଆସିଥିବା ତିନୋଟି ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ ପରେ ସେମାନଙ୍କ ମତାମତ ଓ ପରାମର୍ଶ ଦେଇଥିଲେ। ଆଲୋଚନାରୁ ଜଣାପଡ଼ିଛି ଯେ ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ମୁଖ୍ୟତଃ ଦୂଷିତ ଜଳ ଓ ଖାଦ୍ୟରୁ ଆରମ୍ଭ ହୋଇଛି। ତେଣୁ ପ୍ରତି ଜଳ ଉତ୍ସକୁ ନିୟମିତ ଭାବେ ସଠିକ୍ ଭାବେ ବିଶୋଧିତ କରିବା ଏବଂ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଅଗଭୀର ନଳକୂପ, ଖୋଲାକୁପ ଆଦିର ଜଳ ଭୂପୃଷ୍ଠ ଜଳ ସଂସ୍ପର୍ଶରେ ଆସୁଥିବାରୁ ଏହା ଦୂଷିତ ହେବାର ଆଶଙ୍କା ରହିଛି। ତେଣୁ ଏସବୁ ଜଳକୁ ଫୁଟାଇ ବା ହାଲୋଜେନ୍ ଟ୍ୟାବ୍ଲେଟ୍ ପକାଇ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ପରେ ପରେ କେନ୍ଦ୍ରୀୟ ଟିମ୍ମାନେ ଭିନ୍ନ ଭିନ୍ନ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଗୃହନିର୍ମାଣ ଓ ନଗର ଉନ୍ନୟନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଆଜି ୨୫ଟି ଜଳ ନମୁନା ଓ ୨୦ଟି ସ୍ଥାନରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି ଏବଂ ୩୫ଟି ହୋଟେଲ, ଢାବା ଓ ୱାଟର ବଟଲିଂ ପ୍ଲାଣ୍ଟ ଆଦିରେ ଚଢ଼ାଉ କରାଯାଇଛି।
ଏହା ମଧ୍ୟରେ ସମଗ୍ର ରାଜ୍ୟରେ ପାନୀୟ ଜଳ ବିଶୋଧନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। କଟକ, ସୁବର୍ଣ୍ଣପୁର, କେଉଁଝର, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ୱରରେ ପାନୀୟ ଜଳ ବିଭାଜନଗୁଡ଼ିକ ପକ୍ଷରୁ ବିଶୋଧନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ପାନୀୟ ଜଳ ସ୍ରୋତଗୁଡ଼ିକ ବିଶୋଧନ କରାଯାଇଥିଲା। ଏହା ସହ ରାଜ୍ୟର ଅନ୍ୟ ସମସ୍ତ ପାନୀୟ ଜଳ ବିଭାଜନରେ ପାନୀୟ ଜଳ ସ୍ରୋତଗୁଡ଼ିକର ବିଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି।
ଓଡ଼ିଶାର କିଛି ଜିଲ୍ଲାରେ ହଇଜା ବ୍ୟାପିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବ୍ଲକ୍ ଏବଂ ପୌର ପରିଷଦରେ ସଚେତନତାର ବାର୍ତ୍ତା ନେଇ ‘ବିକାଶ ବାହନ’ ଭ୍ରମଣ କରୁଛି। ଆଜିଠାରୁ ଏହି ‘ବିକାଶ ବାହନ’ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା, ଶିକ୍ଷା ଓ ସଂଚାର ସାମଗ୍ରୀ ବଣ୍ଟନ କରାଯାଇ ଲୋକମାନଙ୍କୁ ହଇଜାର ନିରାକରଣ ନେଇ ସତର୍କ ଓ ସଚେତନ କରାଯାଉଛି। ଜିଲ୍ଲାର ସମସ୍ତ ଜଳ ସାଥୀମାନଙ୍କୁ ସଂଗଠିତ ଏବଂ ତତ୍ପର କରାଯିବ ଏବଂ ଆବଶ୍ୟକ ସ୍ଥଳେ ଜଳ ନମୁନା ପରୀକ୍ଷା ପାଇଁ କିଟ୍ ଯୋଗାଇ ଦିଆଯିବ। ଜଳସାଥିମାନେ ମଧ୍ୟ ଆଇଇସି ସାମଗ୍ରୀ ଜରିଆରେ ହଇଜା ନିୟନ୍ତ୍ରଣର ସଚେତନତାର ବାର୍ତ୍ତା ଦେବେ।
ଅପରାହ୍ନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଡାଇରିଆ ମୁକାବିଲା ସ୍ଥିତି ବିଷୟରେ ସ୍ୱାସ୍ଥ୍ୟ ସଚିବ ସମୀକ୍ଷା କରିଥିଲେ। ଏହି ବୈଠକରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ସମସ୍ତ ମେଡିକାଲ କଲେଜର ଡିନ ଓ ମେଡିକାଲ ସୁପରିଟେଣ୍ଡେଣ୍ଟମାନେ ଆଭାସି ମାଧ୍ୟମରେ ସାମିଲ ହୋଇଥିଲେ। ବୈଠକରେ ଡାଇରିଆ ସଂକ୍ରମିତ ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା। ଡାକ୍ତରଖାନାରେ ଔଷଧ ମହଜୁଦ ଥିବା ସତ୍ତ୍ୱେ ଜଣେ ବୟସ୍କ ନାଗରିକଙ୍କୁ ବାହାରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇଥିବାରୁ ଜଣେ ଡାକ୍ତରଙ୍କୁ ଆଜି ନିଲମ୍ବନ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ସୂଚିତ କରିଥିଲେ। ବିଶେଷଜ୍ଞ ଦଳ କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି।
ପ୍ରତି ଜିଲ୍ଲାରେ କୋର କମିଟିମାନ ଗଠନ କରିବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି କୋର କମିଟି ଦୈନିକ ସନ୍ଧ୍ୟରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ଓ ତଦନୁଯାୟୀ ପରଦିନ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ। ଡାଇରିଆ ମୁକାବିଲା ସହ ସଂପୃକ୍ତ ସମସ୍ତ ବରିଷ୍ଠ ଅଧିକାରୀମାନେ ଏହାର ସଦସ୍ୟ ରହିବେ ଓ ସମସ୍ତ ବିଭାଗ ଏକ ୟୁନିଟ୍ ଭାବେ ଏକାଭିମୁଖୀ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।