ଡାଟା ସୁଦୃଢ଼ିକରଣ ଓ ସର୍ବୋତ୍ତମ ପଦକ୍ଷେପ ଉପରେ ଜୋର୍
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ (DoSEL)ର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ (UDISE+ ) ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ ହୋଇଛି। ଦ୍ବିତୀୟ ଦିନରେ ବିଭିନ୍ନ ରାଜ୍ୟ ସେମାନଙ୍କ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ପଦକ୍ଷେପ ଗୁଡ଼ିକୁ ଉପସ୍ଥାପିତ କରିଥିଲେ ଏବଂ ଡାଟା ସଂରକ୍ଷଣ ଫ୍ରେମୱାର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ।
କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମଣିପୁର ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟ UDISE+ ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଓ ପରିଚାଳନା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲେ। ଡ଼ାଟାର ଗୁଣବତ୍ତାକୁ ଉନ୍ନତ କରିବା, ସିଷ୍ଟମ ମଧ୍ୟରେ ସମୟାନୁସାରେ ରିପୋର୍ଟିଂ ସୁନିଶ୍ଚିତ କରିବା ଏବଂ ସଠିକ୍ ଡାଟା ସଂଗ୍ରହକୁ ସୁଦୃଢ଼ କରିବା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା।
ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ UDISE+ କୁ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରିବା ସହ ପ୍ରମାଣ-ଆଧାରିତ ଯୋଜନା ଓ ନୀତି ଗଠନକୁ ସମର୍ଥନ କରିବା ପାଇଁ ଶିକ୍ଷାଗତ ତଥ୍ୟ ବ୍ୟବସ୍ଥାରେ ନିରନ୍ତର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।


