ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା
ଭୁବନେଶ୍ୱର : ସାମାଜିକ ସମାନତା ହିଁ ବିକଶିତ ଓଡ଼ିଶାର ମୂଳପିଣ୍ଡ। ଉତ୍ତରପିଢିକୁ ଏକ କୁପ୍ରଥା ବିହୀନ ସୁସ୍ଥ ସମାଜ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ଭୁବନେଶ୍ଵରସ୍ଥିତ ରାଜ୍ୟ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ସଚେତନତା ମାଧ୍ୟମରେ ହିଁ ଆମେ ରାଜ୍ୟରେ ଡାହାଣୀ ପ୍ରଥା ଓ ବାଲ୍ୟ ବିବାହ ବିରୋଧରେ ଲଢିପାରିବା ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟର ଗାଁ ଗାଁ ଘରେ ଘରେ ବୁଲି ଅଧିକାରୀମାନେ ଏହି ସବୁ ଅନ୍ଧବିଶ୍ଵାସ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ସେ ଆହ୍ଵାନ ଦେଇଥିଲେ। କେବଳ କର୍ତ୍ତବ୍ୟ ଭାବି ନୁହେଁ ମାନବିକତା ଦୃଷ୍ଟିରେ ସମସ୍ତ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅତିରିକ୍ତ ସଚିବବୃନ୍ଦ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୩୧୪ଟି ବ୍ଲକ ଉନ୍ନୟନ ଅଧିକାରୀବୃନ୍ଦ, ୩୦ଟି ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରକଳ୍ପ ଅଧିକାରୀ (PO-cum-PO), ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ( CDPO), ଜିଲ୍ଲା ସଂଯୋଜକ (DHEW) ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଆଇନ ପ୍ରଣୟନ ସହ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ବିଭାଗୀୟ ଯୋଜନା ଉପରେ ଆଲୋକପାତ କରିବା ସହ ସମସ୍ତଙ୍କ ସହଯୋଗରେ ଏହିଭଳି ଅସାମାଜିକ ପ୍ରଥା ସହ ଲଢେଇ କରିପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବି ଓ ସମାଜସେବୀ ମାନସୀ ପାଢୀ ପ୍ରଥମ ଭାଗରେ ଓ ସମାଜସେବୀ ବେଣୁଧର ସେନାପତି ଦ୍ଵିତୀୟ ଭାଗରେ ଓଡ଼ିଶା ଡାହାଣୀ ପ୍ରଥା ନିବାରଣ ଆଇନ – ୨୦୧୩ ଏବଂ ବାଲ୍ୟ ବିବାହ ନିଷେଧ ଆଇନ – ୨୦୦୬ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଭାଷଣ ରଖିବା ସହ ବିଭାଗୀୟ ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


