ଢେଙ୍କାନାଳର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN (Building and Management of Aviation Assets and Network) ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆଦିବାସୀ କନ୍ୟା ମାନଙ୍କୁ ପାଇଲଟ ହେବା ପାଇଁନ ଟ୍ରେନିଂ ଦିଆଯିବ। ଏହି ଅବସରରେ ରାଜ୍ୟ ସରକାର ଦେଶର ପ୍ରମୁଖ ବିମାନ MRO (Maintenance, Repair and Overhaul) ସେବାଦାତା Air Works ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ଅନୁଯାୟୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ MRO ସୁବିଧା ସ୍ଥାପିତ ହେବ। ଏଥିସହିତ, ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର Air Works ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି।
ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ। ଏଥିସହିତ ଝାରସୁଗୁଡା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି। ଭୁବନେଶ୍ୱରରେ, ଏକ State-of-the-Art Maintenance (ରକ୍ଷାଣବେକ୍ଷଣ), Repairing (ମରାମତି), Overhaul (ପୁନର୍ନିର୍ମାଣ) କେନ୍ଦ୍ର ସ୍ଥାପନ କରୁଛୁ। ଏହାସହିତ ରାଜ୍ୟର ବିମାନବନ୍ଦରଗୁଡ଼ିକ ପାଇଁ ସରକାର ଏକ Progressive Land Allotment Policy ଆଣିବାପାଇଁ ଯାଉଛନ୍ତି। ଆମ ବିମାନ ବନ୍ଦର ଭିତରେ ଫ୍ଲାଇଂ ପ୍ରଶିକ୍ଷଣ, UAV ପ୍ରଶିକ୍ଷଣ ଓ ବିମାନ କ୍ରୀଡ଼ା କାର୍ଯ୍ୟକଳାପ ସମ୍ଭବ ହେବ। ବହୁତ ସଂଖ୍ୟକ ଫ୍ଲାଇଂ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ ଆମ ବିମାନବନ୍ଦରମାନଙ୍କରେ ଏହି କାର୍ଯ୍ୟ କରିବେ। ରାଜ୍ୟରେ ଯେତେ ସବୁ ବ୍ୟବହାର ହେଉନଥିବା ବିମାନ ପଥ (airstrips) ଅଛି, ସେଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରୁଛନ୍ତି। ଏଭଳି 14ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ 15ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ, ବେସାମରିକ ବିମାନ ପରିବହନ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଥିଲେ ଯେ, ହାୱାଇ ଚପଲ୍ ପିନ୍ଧିଥିବା ମାନଙ୍କୁ ମଧ୍ୟ ଏବେ ଉଡ଼ାଜାହାଜରେ ଯିବା ସୁଯୋଗ ମିଳିବ। ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯାଇ ଦିଆଯିବ ବୋଲି ଶ୍ରୀ କିଞ୍ଜାରାପୁ ପ୍ରତିଶ୍ରୁତି ଦେଇଥିଲେ।
ରାଜ୍ୟମନ୍ତ୍ରୀ, ବେସାମରିକ ବିମାନ ପରିବହନ ମୁରଲୀଧର ମୋହଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଅର୍ଥମନ୍ତ୍ରୀ, ଛତିଶଗଡ଼ ସରକାର ଓମ ପ୍ରକାଶ ଚୌଧୁରୀ ପ୍ରମୁଖ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ବେସାମରିକ ବିମାନ ପରିବହନ ମନ୍ତ୍ରାଳୟର ସଚିବ ସମୀର ସିନ୍ହା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରମୁଖ ଶାସନ ସଚିବ ବାଣିଜ୍ୟ ଓ ପରିବହନ ବିଭାଗ ଉଷା ପାଢ଼ୀ ବିବରଣୀ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।