ଧାନକିଣା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଚଳିତ ଋତୁରେ ରବି ଧାନ ସଂଗ୍ରହ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଓଡିଶା ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବି ଧାନ ସଂଗ୍ରହ ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟରେ ଚଳିତ ରବି ଋତୁରେଏପର୍ଯ୍ୟନ୍ତ ପ୍ରାୟ ୮୮ ହଜାର ଚାଷୀଙ୍କ ଠାରୁ ପ୍ରାୟ ୬ ଲକ୍ଷ ୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏଥିସହ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନପୁଟ ସହାୟତା ବାବଦକୁ ପାଖାପାଖି ୧୫୬୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ମଣ୍ଡିରେ ଚାଷୀ ମାନଙ୍କ ଧାନ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାଜ୍ୟରେ ବର୍ତ୍ତମାନ ଥିବା ୨୧୪ଟି ଗୋଦାମ ଗୃହର ଆଧୁନିକୀକାରଣ ଓ କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଖାଦ୍ୟ  ଧାନକିଣା ନେଇ କୌଣସି ଚାଷୀଙ୍କଠାରୁ ଅଭିଯୋଗ ଆସିଲେ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଏତଦବ୍ୟତୀତ ନିଗମର ନୂତନ ଗୃହ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ବଣ୍ଟନ ଜିଏମ ସୁଧାକର ଶବର, ଧାନ ସଂଗ୍ରହ ଜିଏମ ଏଲୋରା ସାମଲ, ପ୍ରଶାସନିକ ଜିଏମ ପ୍ରଣତି ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *