ନାର୍କୋ କୋର୍ଡିନେସନ ସେଣ୍ଟରର ୫ମ ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର: ନିଷେଧ ନିଶା ଦ୍ରବ୍ୟର ବେଆଇନ୍ ଚୋରା ଚାଲାଣକୁ ରୋକିବା ସଂପର୍କରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନସ୍ଥ ନାର୍କୋ କୋର୍ଡିନେସନ ସେଣ୍ଟର ତରଫରୁ ୫ମ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଓ୍ୱାଇ.ବି ଖୁରାନିଆ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ-ମହାନିର୍ଦ୍ଦେଶକ ହିତେଶ ଗୋଦାରା, ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅନ୍ୟ ବରିଷ୍ଠ ଅଧିକାରୀ,ରାଜ୍ୟ ପୁଲିସ ପ୍ରଶାସନ, ଅବକାରୀ ବିଭାଗ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ସୀମା ସୁରକ୍ଷାବଳ, ନୌସେନା, ରେଳ ଓ ତଟ ସୁରକ୍ଷା, ଭାରତୀୟ ଡାକସେବା ଆଦି ବିଭିନ୍ନ ଆଇନ୍ ଅନୁପାଳନ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ପୁଲିସ୍ ପ୍ରଶାସନ, ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ବୈଠକରେ ରାଜ୍ୟରେ ବେଆଇନ୍ ନିଶାଦ୍ରବ୍ୟ କାରବାର, ଚୋରା ଚାଲାଣର ସ୍ଥିତି, ନଷ୍ଟ କରାଯାଇଥିବା ନିଶାଦ୍ରବ୍ୟ, ରାଜ୍ୟକୁ ନାର୍କୋଟିକ୍ସ କଣ୍ଟେ୍ରଲେ ବ୍ୟୁରୋର ସହାୟତା ସମେତ ନିଶାମୁକ୍ତ ଭାରତ ପାଇଁ ଭାରତ ସରକାରଙ୍କ ଆହ୍ୱାନକୁ କାର୍ୟ୍ୟକାରୀ କରିବା ପାଇଁ ଆଗାମୀ ଦିନର ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜୋନ ନିର୍ଦ୍ଦେଶକ, ଏନସିବି ଭୁବନେଶ୍ୱର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ସମଗ୍ର ଭାରତରେ ଡ୍ରଗ୍ସ ବିରୁଦ୍ଧରେ ସମ୍ମିଳିତ ପ୍ରୟାସ ନିମନ୍ତେ ମାଦକଦ୍ରବ୍ୟ ନିଷେଧ ସୂଚନା କେନ୍ଦ୍ର ଭାବରେ ନ୍ୟାସନାଲ ନାର୍କୋଟିକ୍ସ ହେଲ୍ପଲାଇନ୍-୧୯୩୩ (ମାନସ ପୋର୍ଟାଲ) କାର୍ୟ୍ୟ କରୁଛି। ଅନ୍ୟପକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା, ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଅବକାରୀ ବିଭାଗ ସହଯୋଗରେ ବ୍ୟାପକ ଜନ ସଚେତନତାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *