ପାକ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଜ୍ୟୋତି ମାଲହୋତ୍ରା

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ପାକିସ୍ତାନର କିଛି ଅଧିକାରୀଙ୍କ ସହିତ ନିୟମିତ ସମ୍ପର୍କରେ ଥିବା ସ୍ୱୀକାର କରିଛନ୍ତି । ଜ୍ୟୋତି କହିଛନ୍ତି, ସେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ଜଣେ ଅଧିକାରୀଙ୍କ ସହିତ ବରାବର ଯୋଗାଯୋଗରେ ରହିଥିଲେ । ହିସାର ପୋଲିସ ମୁଖପାତ୍ର ବିକାଶ କୁମାରଙ୍କ କହିବା ଅନୁଯାୟୀ ଜ୍ୟୋତିଙ୍କୁ ଜେରା ସମୟରେ ସେ କହିଛନ୍ତି, ପାକିସ୍ତାନ ହାଇକମିଶନରେ ଥିବା ଜଣେ ପାକିସ୍ତାନୀ ନାଗରିକ ତଥା ଉକ୍ତ ହାଇକମିଶନର କର୍ମଚାରୀ ଏହସାନ ଉର ରହିମଙ୍କ ସହିତ ୨୦୨୩ ନଭେମ୍ବରରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଯୋଗାଯୋଗରେ ରହିଥିଲେ । ଜ୍ୟୋତିଙ୍କୁ ଜଣେ ଗୋଇନ୍ଦା ଭାବରେ ବ୍ୟବହାର କରିବାକୁ ରହିମ ସକ୍ରିୟ ଭାବରେ ପ୍ରୟାସ କରୁଥଲେ ବୋଲି ଭାରତୀ ତଦନ୍ତକାରୀ ମନେକରୁଛନ୍ତି । ରହିମଙ୍କ ସହିତ ଏହି ସମୟ ମଧ୍ୟରେ ଜ୍ୟୋତି ପ୍ରତ୍ୟକ୍ଷ ଭାବରେ ଯୋଗାଯୋଗରେ ରହିଥିବା ଜାଣିବାକୁ ମିଳିଛି । ତାହାସହିତ ଅନେକ ୟୁଟୁ୍ୟବ ପ୍ରଭାବ ବିସ୍ତାରକାରୀଙ୍କ ସହିତ ମଧ୍ୟ ଜ୍ୟୋତି ସମ୍ପର୍କରେ ରହିଥିଲେ । ତାଙ୍କର ତିନିଟି ମୋବାଇଲ ଫୋନ ଓ ଲାପଟପ ସହିତ ହରିଆଣା ଶିଖ ଗୁରୁଦ୍ୱାରା ମ୍ୟାନେଜମେଣ୍ଟ କମିଟିର ଆଇଟି ଇନଚାର୍ଜ ହରକିରତ ସିଂଙ୍କର ଦୁଇଟି ଫୋନ ଜବତ କରାଯାଇ ଫରେନସିକ ପରୀକ୍ଷା ନିମନ୍ତେ ପଠାଇ ଦିଆଯାଇଛି ।
ଏକ ସୂତ୍ରରୁ କୁହାଯାଇଛି ଯେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏବଂ ଗୋଇନ୍ଦା ବୁ୍ୟରୋ (ଆଇବି) ଅଧବକାରୀମାନେ ପାକିସ୍ତାନ ଗୋଇନ୍ଦା ଅପରେଟିଭଙ୍କ ସହିତ ସମ୍ପର୍କ ଥିବା ସନେ୍ଦହରେ ଜ୍ୟୋତିଙ୍କୁ ଦୀର୍ଘ ସମୟ ଜେରା କରିଛନ୍ତି । ତାଙ୍କର ସମ୍ପର୍କ ଏବଂ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତଳାପ ଆଦିକୁ ଆଧାର କରି ସମ୍ପ୍ରତି ତଦନ୍ତ କରାଯାଉଛି । ନିଜ ପରିଚୟ ଗୋପନ ରଖି ହିସାର ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜ୍ୟୋତିଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି ଏବଂ ସେଥିରେ ଅନେକ ଥର କାରବାର ହୋଇଛି । ଉକ୍ତ ଆର୍ଥିକ କାରବାର ସମ୍ପର୍କରେ ବିସ୍ତୃତ ଭାବରେ ଯାଞ୍ଚ କରିବାକୁ ସମୟ ଲାଗିବ । ଜ୍ୟୋତି ୨୦୧୮ରେ ପାସପୋର୍ଟ ହାସଲ କରିଥିଲେ ଯାହା ୨୦୨୮ ପର୍ଯ୍ୟନ୍ତ ବୈଧ ରହିଛି ଏବଂ ସେ ଏହି ସମୟ ମଧ୍ୟରେ ପାକିସ୍ତାନ, ଚୀନ, ଦୁବାଇ, ଥାଇଲାଣ୍ଡ, ବାଂଲାଦେଶ, ଭୁଟାନ, ନେପାଳ ଏବଂ ଇଣ୍ଡୋନେସିଆ ଆଦି ଅନେକ ରାଷ୍ଟ୍ର ଗସ୍ତ କରିଛନ୍ତି ।