ପୁରୀ ଠାରେ ସେବା ଶିବିର ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରଥଯାତ୍ରା ଅବସରରେ ସେବା କରିବା ଏକ ଦିବ୍ୟ ସୁଯୋଗ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମ୍ ପାଟି କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀ ଠାରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ଠାରେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍, ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଏବଂ ଭାରତୀୟ ରେଡ଼କ୍ରସ ସୋସାଇଟିର ସେବା ଶିବିରକୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ଶିବିରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପବିତ୍ର ରଥଯାତ୍ରା ସମୟରେ ସ୍ଵେଚ୍ଛାସେବୀ ସେବା ଶିବିରଗୁଡିକ ନିଃସ୍ୱାର୍ଥପର ସେବାର ଗର୍ବିତ ପରମ୍ପରାକୁ ପ୍ରତିଫଳିତ କରେ ଏବଂ ଜାତୀୟ ସଂହତି, ବିବିଧତାରେ ଏକତା ଏବଂ ମାନବୀୟ କରୁଣାର ମୂଲ୍ୟବୋଧକୁ ପ୍ରକାଶ କରିଥାଏ। ସେବା ଶିବିରଗୁଡିକ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ସେବା କରିବା ପାଇଁ ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ଅନେକ ସଂଖ୍ୟାରେ ପ୍ରଶିକ୍ଷିତ ସ୍ଵେଚ୍ଛାସେବୀ, କାଉନସେଲର ଏବଂ ଅଫିସିଆଲମାନଙ୍କୁ ଏକତ୍ରିତ କରିଥାଏl  ରଥଯାତ୍ରା ସମୟରେ ଏହି ସେବା ଶିବିର ଦ୍ୱାରା ସେବାର ସୁଦୀର୍ଘ ପରମ୍ପରା ରହିଛିl ବାସ୍ତବରେ ମାନବ ସେବା ହିଁ ଈଶ୍ୱରଙ୍କ ସେବା ବୋଲି ରାଜ୍ୟପାଳ କହିଥିଲେ l ପୁଣି ରାଜ୍ୟପାଳ କହିଥିଲେ ଯେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍ ଚଳିତ ବର୍ଷ ୩୫ତମ ଜାତୀୟ ସେବା ଶିବିର ପରିଚାଳନା କରୁଛି l ସେହିପରି ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଗତ ୩୦ ବର୍ଷ ଧରି ଏବଂ  ଭାରତୀୟ ରେଡ଼କ୍ରସ ସୋସାଇଟି ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ପୁରୀଠାରେ ରଥଯାତ୍ରା ସମୟରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରି ଆସୁଛନ୍ତି। ଏ ଦିଗରେ ସ୍ୱେଚ୍ଛାସେବୀମାନଙ୍କର ପ୍ରତିବଦ୍ଧତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍ ବ୍ରିଗେଡ଼ ଦ୍ୱାରା ପ୍ରଦାନ କରାଯାଇଥିବା ସମୟୋଚିତ ଏବଂ ପ୍ରାଥମିକ  ଚିକିତ୍ସା ସେବା, ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଦ୍ୱାରା ପ୍ରଦର୍ଶିତ ଶୃଙ୍ଖଳା, ଟିମୱାର୍କ ଓ ମୂଲ୍ୟବୋଧ ଏବଂ ଜୁନିୟର ଏବଂ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପ୍ରଦାନ, ଅସୁସ୍ଥ ଏବଂ ବୃଦ୍ଧମାନଙ୍କର ସେବା ତଥା ତୀର୍ଥଯାତ୍ରୀଙ୍କର ଭିଡ଼ ପରିଚାଳନା ବାସ୍ତବିକ ପ୍ରଶଂସନୀୟ ବୋଲି ରାଜ୍ୟପାଳ କହିଥିଲେ। ରଥଯାତ୍ରାରେ ସମସ୍ତ ସ୍ଵେଚ୍ଛାସେବୀ ଆନନ୍ଦ ମନରେ ନମ୍ରତା ଓ କରୁଣାର ସହିତ ସେବା କରିବାକୁ ରାଜ୍ୟପାଳ କହିଥିଲେ। ସହାୟତାର ଅଭାବରେ କୌଣସି ତୀର୍ଥଯାତ୍ରୀ ଯେପରି ଅସୁବିଧା ଭୋଗିବେ ନାହିଁ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସ୍ୱେଚ୍ଛାସେବୀଙ୍କ ସେବାରେ ଯେପରି ପ୍ରତ୍ୟେକ ଭକ୍ତ ସୁଖଦ ସ୍ମୃତି ନେଇ କୃତଜ୍ଞତା ଜ୍ଞାପନ ପୂର୍ବକ ଫେରିବେ ସେଥିପାଇଁ ସ୍ୱେଚ୍ଛାସେବୀମାନେ ଉତ୍ସର୍ଗୀକୃତ ସେବା କରିବାକୁ ପରାମର୍ଶ ଦେଇଥିଲେ।

ଏହି ଶିବିରରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଷ୍ଟେଟ୍ ଚିଫ୍ କମିଶନର କାଳୀ ପ୍ରସାଦ ମିଶ୍ର, ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍ ଓଡିଶା ଷ୍ଟେଟ ସେଣ୍ଟରର ଅବୈତନିକ ସେକ୍ରେଟାରୀ ନିଧି କୁମାର ରାଉତରାୟ, ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡିଶା ରାଜ୍ୟ ଶାଖାର ଅବୈତନିକ ସେକ୍ରେଟାରୀ ଗଣେଶ ଚନ୍ଦ୍ର ପାତ୍ର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଗ୍ନିଶମ ଡ଼. ସୁଧାଂଶୁ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଶିବିରରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ.ବି.ଏସ. ରାଜପୁତ ମଂଚାସୀନ ଥିଲେ l

Leave a Reply

Your email address will not be published. Required fields are marked *