ବିଏମସିରେ ହେବ ଆଉ ୩ଟି ଓଡିଏ କୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଉ ତିନିଟି ଓଡ଼ିଶା ବିକାଶ ପ୍ରାଧିକରଣ (ଓଡିଏ) ଅଦାଲତ ସ୍ଥାପନ କରାଯିବ । ବିଏମସି ପରିସର ଅଞ୍ଚଳରେ ବାସଗୃହ ପ୍ଲାନ ଅନୁମୋଦନକୁ ନେଇ ସୃଷ୍ଟି ହେଉଥିବା ବିବାଦର ଏହି କୋର୍ଟଗୁଡିକ ସମାଧାନ କରିବ । ସମ୍ପ୍ରତି ଏହାକୁ ନେଇ ହଜାର ହଜାର ମାମଲା ରହିଥିବାବେଳେ ତାହା ସମାଧାନ କରିବାକୁ ଗୋଟିଏ ମାତ୍ର ଓଡ଼ିଏ କୋର୍ଟ ରହିଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବିଏମସିର ଓଡ଼ିଏ କୋର୍ଟରେ ସମ୍ପ୍ରତି ପ୍ରାୟ ୭ହଜାର ମାମଲା ବିଚାର ପାଇଁ ପଡିରହିଛି ।
ଏହି କୋର୍ଟଗୁଡିକୁ କୋଠାବାଡି ନିର୍ମାଣ ନିୟମ ଉଲ୍ଲଂଘନ ସମ୍ପର୍କିତ ବିବାଦର ସମାଧାନ କରିବାକୁ ଓଡ଼ିଏ ଆଇନ, ୧୯୮୨ ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି । ପୂର୍ବରୁ ଏହା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ଅଧୀନରେ କାର୍ଯ୍ୟ କରୁଥିବାବେଳେ ସମ୍ପ୍ରତି ବିଏମସି ଅଧୀନରେ ୨୦୧୬ ନଭେମ୍ବରରୁ କାର୍ଯ୍ୟ କରୁଛି । ବିଏମସିର ଜଣେ ଅଧିକାରୀ କହିଛନ୍ତି, ଏହି ତିନିଟି ନୂଆ କୋର୍ଟ ସ୍ଥାପନ କରାଯିବା ପରେ ଆସୁଥିବା ମାମଲାଗୁଡିକୁ ଜୋନୱାରୀ ଆବଣ୍ଟିତ କରାଯାଇ ସଂପୃକ୍ତ କୋର୍ଟଗୁଡିକୁ ହସ୍ତାନ୍ତର କରାଯିବ । ପ୍ରତ୍ୟେକ ଜୋନ ନିମନ୍ତେ ଜଣେ ଲେଖାଏଁ ଅତିରିକ୍ତ କମିଶନରଙ୍କୁ ଉକ୍ତ ମାମଲାଗୁଡିକର ଶୁଣାଣି କରିବା ନିମନ୍ତ କ୍ଷମତାପ୍ରାପ୍ତ ଅଧିକାରୀ ଭାବରେ ମାନ୍ୟତା ପ୍ରଦାନ କରାଯିବ । ଏହାଦ୍ୱାରା ଗୋଟିଏ ଓଡିଏ କୋର୍ଟ ଉପରେ ଯେଉଁ ବୋଝ ସୃଷ୍ଟି ହେଉଛି ତାହା ଲାଘବ କରାଯାଇପାରିବ । ଏହାସହ ବିଏମସିର ଜବରଦଖଲ ଉଚ୍ଛେଦକାରୀ ଟିମଗୁଡିକ ମଧ୍ୟ ସେମାନଙ୍କ ନିକଟକୁ ଆସୁଥିବା ମାମଲାକୁ ଏହି କୋର୍ଟରେ ଉପସ୍ଥାପନ କରିବେ । ଅନେକ ସ୍ଥାନରେ ଅନୁମୋଦିତ ନକ୍ସାକୁ ଉଲ୍ଲଂଘନ କରାଯାଇ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ ଆସୁଛି । ସେଭଳି ଅଭିଯୋଗଗୁଡିକୁ ବିଏମସି ଏହି ଓଡ଼ିଏ କୋର୍ଟଗୁଡିକୁ ସ୍ଥାନାନ୍ତର କରିବ ବୋଲି ଅଧିକାରୀ ଜଣକ କହିଛନ୍ତି ।