ବିଧାନସଭାରେ କମିଟି ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଲେ ଓଡ଼ିଶା ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଦୁଇଦିନିଆ ଭୋପାଳ ଗସ୍ତରେ ଯାଇ ସେଠାରେ ‘ବିଧାନସଭାରେ କମିଟି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଏହାକୁ କିପରି ଅଧିକ ପ୍ରଭାବୀ କରାଯାଇପାରିବ’ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାଚସ୍ପତି ସମ୍ମିଳନୀରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ସିକିମ୍‌, ହିମାଚଳ ପ୍ରଦେଶ ସମେତ ଓଡ଼ିଶା ଭଳି ସାତଟି ରାଜ୍ୟର ବାଚସ୍ପତି ଯୋଗଦେଇଛନ୍ତି ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବିଧାନସଭାଠାରେ ଆୟୋଜିତ ଏହି ସମ୍ମିଳନୀ ଅବସରରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବିଧାନସଭା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଧାନସଭାର କମିଟିଗୁଡ଼ିକ ଶାସନ ବ୍ୟବସ୍ଥାର ସଠିକ୍‌ କାର୍ଯ୍ୟକାରିତାକୁ ସମ୍ପୂର୍ଣ୍ଣ ଭାବେ ତର୍ଜମା କରୁଥିବାବେଳେ ରାଜ୍ୟର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥାଆନ୍ତି ଓ ଅନ୍ୟ ପକ୍ଷରେ ସରକାରୀ ନୀତିନିୟମର ସଠିକ ପାଳନ ବ୍ୟବସ୍ଥାର ଯାଞ୍ଚ କରିବା ସହ ବ୍ୟତିକ୍ରମ କ୍ଷେତ୍ରରେ ସୁଚିନ୍ତିତ ପରାମର୍ଶ ମାଧ୍ୟମରେ ସେଥିରେ ସୁଧାର ଆଣିବାରେ ସହାୟକ ହୋଇଥାଆନ୍ତି। କମିଟି ସବୁ ନିୟମିତ ଓ ନିରନ୍ତର ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଯୋଜନାର ସଠିକ୍‌ ରୂପାୟନ ଦିଗ ପ୍ରତି ଦୃଷ୍ଟି ଦେଇଥାଆନ୍ତି ।

ଓଡ଼ିଶାରେ ୪ଟି ଆର୍ଥିକ କମିଟି, ଆକାଉଣ୍ଟ କମିଟି, ଏଷ୍ଟିମେଟ୍‌ କମିଟି, ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟି ସମେତ ୧୦ଟି ସ୍ଥାୟୀ କମିଟି, ୧୨ଟି ହାଉସ୍‌ କମିଟି, ୫ଟି ଆଇନ ଅନୁଯାୟୀ ଗଠିତ କମିଟି ଓ ଆମେନିଟିଜ୍‌ କମିଟି ସମେତ ଆଡ୍‌-ହକ୍‌ କମିଟି ସକି୍ରୟ ଭାବେ କାର୍ଯ୍ୟ କରୁଛି। ଓଡ଼ିଶା ବିଧାନସଭାର କମିଟି ବ୍ୟବସ୍ଥା ଖୁବ୍‌ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରୁଥିବାବେଳେ ଆଗାମୀ ଦିନରେ ଏହା କିପରି ଅଧିକ ସକି୍ରୟ ଓ ତ୍ୱରାନ୍ୱିତ ହୋଇ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବ ସେଥିପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଥିଲେ। ଓଡ଼ିଶା ବିଧାନସଭାର ଗବେଷଣା ଅଧିକାରୀ ପ୍ରଶାନ୍ତ ଦାସ ମଧ୍ୟ ବାଚସ୍ପତିଙ୍କ ସହ ଭୋପାଳ ଗସ୍ତରେ ଥିଲେ ।

Leave a Reply

Your email address will not be published. Required fields are marked *