ବିଶ୍ୱ ତମାଖୁ ନିଷେଧ ଦିବସ

4ଟି ପର୍ଯ୍ୟାୟରେ ଆରମ୍ଭ ହେଲା ବର୍ଷବ୍ୟାପୀ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: ଭାରତରେ ପ୍ରାୟ ବର୍ଷକୁ ୧୪ ଲକ୍ଷ ଲୋକ ତମାଖୁ ସେବନ ଯୋଗୁ ଜୀବନ ହରାଉଛନ୍ତି। ପ୍ରତି ବର୍ଷ ଭାରତରେ ବିଭିନ୍ନ କାରଣରୁ ଯେତିକି ମୃତ୍ୟୁ ହେଉଛି, ତା’ର ପ୍ରାୟ ୧୦ ପ୍ରତିଶତ କେବଳ ତମାଖୁଜନିତ । ଜନସାଧାରଣ, ବିଶେଷକରି ଯୁବ ସମାଜ ଏଥିରୁ କିପରି ମୁକ୍ତି ପାଇବେ, ସେ ବିଷୟକୁ ଆଜି ଗମ୍ଭିରତାର ସହ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନ୍ସନ୍ ହଲ୍ ଠାରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ ଉପଲକ୍ଷେ ଆୟୋଜିତ ସଚେତନତା ଅଭିଯାନର ଶୁଭାରମ୍ଭ ଅବସରରେ କହିଛନ୍ତି।
ଏହି ଅବସରରେ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୁଦ୍ଧରେ ଆରମ୍ଭ ହେଉଥିବା ସଚେତନତା ଅଭିଯାନରେ ସମସ୍ତେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ନିଶା ନୁହେଁ ଜୀବନକୁ ଆପଣେଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ସୂଚନାଯୋଗ୍ୟ ଯେ, ତମାଖୁ, ବିଷାକ୍ତ ମଦ ଓ ଡ୍ରଗ୍ସ ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ତମାଖୁ ନିଷେଧ ଦିବସ ମଇ 31 ତାରିଖ ଠାରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୨୬ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୨ ଏବଂ ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୨୫ରୁ ୨୦୨୬ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ଏହି ସଚେତନତା ଅଭିଯାନ ଜାରି ରହିବ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରାଇବା ପାଇଁ ଏବଂ ଅପମିଶ୍ରିତ, ବିଶାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନର ଲୋଗୋ, ଟି.ଭି. ସ୍ପଟ୍, ଥିମ୍ ସଙ୍ଗ୍ ଏବଂ ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ, ନିଶା ବ୍ୟବହାରର ଫଳ ହେଉଛି ମୃତ୍ୟୁ। ତେଣୁ ଏଥିପ୍ରତି ସଚେତନତା ବୃଦ୍ଧି କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ତମାଖୁ, ମଦ, ଡ୍ରଗ୍ସର ବ୍ୟବହାର ଓ ପ୍ରସାର ରୋକିବା ପାଇଁ ଏଭଳି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଥିଲେ ଯେ, ସମାଜରେ ନିଶା ବନ୍ଦ ହେଲେ, ଅପରାଧ ମଧ୍ୟ କମିବ । ତେଣୁ, ନିଶା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ମତ ପ୍ରକାଶ କରିଥିଲେ। ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। କାର୍ଯ୍ୟକ୍ରମରେ ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଡିଶା ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଜିଲ୍ଲାରୁ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ, ଅବକାରୀ ଅଧିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।