ବ୍ୟାପକ ପ୍ରଶିକ୍ଷଣ ଓ ଜନ ସଚେତନତା ତୃଣମୂଳ ସ୍ତରରେ ଜନଜାତିମାନଙ୍କୁ ସଶକ୍ତ କରିବ

ଭୁବନେଶ୍ୱର: ଜନଜାତିମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକୁ ତୃଣମୂଳ ସ୍ତରରେ ଅଧିକ ପ୍ରଭାବୀ ଓ ଫଳପ୍ରଦ କରିବା ପାଇଁ ଭାରତ ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ତରଫରୁ ନିଆଯାଇଥିବା ‘ଆଦି କର୍ମଯୋଗୀ ଅଭିଯାନ’ ପଦକ୍ଷେପର ସଫଳ ରୂପାୟନ ସମ୍ପର୍କିତ ଏକ ବୈଠକ ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗିତା ଓ ସମନ୍ୱୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ବି.ପରମେଶ୍ୱରନ “ଆଦି କର୍ମଯୋଗୀ ଅଭିଯାନ’ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଜନଜାତି ମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ବାସଗୃହ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ନିର୍ବାହ ଆଦି ଗୁରୁତ୍ୱପୂର୍ଣ୍ଣ ସୁବିଧା ଶତ ପ୍ରତିଶତ କାର୍ଯ୍ୟକାରୀ ହେବା ଏବଂ ଏଥିପାଇଁ ସଚେତନତା ସୃଷ୍ଟି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଥିପାଇଁ ପ୍ରତି ଗ୍ରାମରେ ଚୟନ କରାଯାଇଥିବା ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ କରାଯିବ। ଏହାକୁ ସଫଳ କରିବା ପାଇଁ ଜନଜାତି କଲ୍ୟାଣ ବିଭାଗ ଏବଂ ସଂପୃକ୍ତ ବିଭିନ୍ନ ସହଯୋଗୀ ବିଭାଗ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ସହ ରାଜ୍ୟସ୍ତରରେ, ଜିଲ୍ଲା ଓ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ପୂର୍ବକ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଗ୍ରାମସ୍ତରରେ ବ୍ଲକ ମାଷ୍ଟର ଟ୍ରେନରମାନେ ପ୍ରତି ଜନଜାତି ଗ୍ରାମରେ ଥିବା ସରକାରୀ କର୍ମଚାରୀ, ପଞ୍ଚାୟତିରାଜ ପ୍ରତିନିଧି, ଶିକ୍ଷକ, ଡାକ୍ତର, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ଯୁବ ସ୍ୱେଛାସେବୀ, ସ୍ଥାନୀୟ ବରିଷ୍ଠ ନେତୃବୃନ୍ଦ ଆଦି ୨୦ ଜଣଙ୍କୁ ସାମିଲ କରି ଏକ ପ୍ରଶିକ୍ଷିତ ଗ୍ରାମ୍ୟ ଟିମ୍ କ୍ୟାଡର ଗଠନ କରିବେ, ଯେଉଁମାନେ କି ଜନଜାତି ଅଂଚଳର ବିକାଶ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିବେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଚିହ୍ନଟ ହୋଇଥିବା ୨୨ଟି ଜିଲ୍ଲାର ୨୧୩ ବ୍ଲକରେ ୭୬୨୩ ଜନଜାତି ଗ୍ରାମକୁ ଏହିଅ ଭିଯାନରେ ସାମିଲ କରାଯାଇଛି। ଏଥିପାଇଁ ଜନଜାତି ଅଧ୍ୟୁଷିତ ପ୍ରତି ଗ୍ରାମରେ ୨୦ଜଣଙ୍କୁ ସଚେତନ କରାଯିବ, ଯେଉଁମାନେ କି, କ୍ଷେତ୍ର ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରିତା ଏବଂ ଗ୍ରାମୀଣ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବେl
ଆଦି କର୍ମଯୋଗୀ ଅଭିଯାନ ସଂପର୍କରେ ସଂପୃକ୍ତ ସମସ୍ତ ବିଭାଗୀୟ ସମନ୍ୱୟକୁ ଗୁରୁତ୍ୱ ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଜନଜାତିଙ୍କର ସଶକ୍ତିକରଣ ହୋଇପାରିବl ବ୍ୟାପକ ଜନସଚେତନତା ସରକାରୀ କର୍ମଚାରୀମାନଙ୍କୁ ଜନଜାତି ବର୍ଗଙ୍କ ଉନ୍ନତି, ଅଂଚଳର ସାମଗ୍ରିକ ବିକାଶ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି କରିବ। ଜନଜାତିମାନଙ୍କୁ ସେମାନଙ୍କ ଅଧିକାର, ଯୋଜନା ଓ ସରକାରୀ ସୁବିଧା ସୁଯୋଗ ନେବାକୁ ପ୍ରୋତ୍ସାହିତ କରିବ। ଏହା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା, କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଗ୍ରାମବାସୀଙ୍କୁ ସହଭାଗୀ କରାଇବ। ସରକାରୀ କର୍ମଚାରୀ ଓ ଜନଜାତି ସମାଜଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ, ପାରସ୍ପରିକ ସହାନୁଭୂତି, ସହଭାଗିତା ଓ ନିରନ୍ତର ବିକାଶକୁ ସୁନିଶ୍ଚିତ କରାଇବ। ଜନଜାତି ବର୍ଗର ଲୋକମାନଙ୍କୁ ତୃଣମୂଳସ୍ତରରେ ଏହି ଅଭିଯାନ କିପରି ସଶକ୍ତ କରିପାରିବ, ସେ ସଂପର୍କରେ ଉତ୍ତମ ପ୍ରଶିକ୍ଷଣ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ଅଧିକ ପରାମର୍ଶ ଦେଇଥିଲେl ସମସ୍ତ ସହାଭାଗୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ପଞ୍ଚାୟତିରାଜ ପ୍ରତିନିଧି ଆଦି ସମସ୍ତଙ୍କ ସହଯୋଗରେ ଏହି ଅଭିଯାନର ସେ ସଫଳତା କାମନା କରିଥିଲେl
ବୈଠକରେ ରାଜ୍ୟ ଜନଜାତି ବିକାଶ ବିଭାଗ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ବିଦ୍ୟାଳୟ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେl