ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କରିଛନ୍ତି।ଏହି ଅବସରରେ ଭୁବନେଶ୍ବରର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଫୁଡ୍‌ କୋଟ୍‌ର ଶୁଭାରମ୍ଭ କରିବା ସହିତ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ ଯେ ଏହି ବିକାଶ ମେଳା ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୭୫ରୁ ଅଧିକ ଷ୍ଟଲ୍‌ରେ ଜନସାଧାରଣଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତି ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନ କରାଯାଉଛି। ଏଥିସହିତ ସୁଭଦ୍ରା ଶକ୍ତି ମହିଳା ମାନଙ୍କ ଦ୍ବାରା ୪୦ ରୁ ଅଧିକ ଷ୍ଟଲରେ ଓଡିଆ ପାରମ୍ପାରିକ ଖାଦ୍ୟର ବିବିଧତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଫୁଡ୍ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯାଇଛି। 

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ଷକ ତଳେ ରାଜ୍ୟବାସୀ ଯେଉଁ ଆଶା ଆକାଂକ୍ଷା ନେଇ ଶାସନରେ ପରିବର୍ତ୍ତନ ଆଣିଥିଲେ ଓ ଆମକୁ ଦାୟିତ୍ବ ଭାର ଦେଇଥିଲେ, ଆମେ ଲୋକଙ୍କ ସେହି ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଦୃଢ ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି ରଖିଛୁ । ବିଗତ ଏକ ବର୍ଷ ଥିଲା ଆମ ପାଇଁ ଆହ୍ବାନର ବର୍ଷ । ଏହି ସମୟ ମଧ୍ୟରେ ଆମେ  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ ଏବଂ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୁଡିକୁ ବାସ୍ତବତାରେ ପରିଣତ କରିଛୁ । ସେ ପୁଣି କହିଥିଲେ ଯେ ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦିଆଯାଇଛି । ଆଜି ପିଅନ ଠାରୁ ଆଇ.ଏ. ଏସ୍ ଅଧିକାରୀ ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗସ୍ତ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ ନୁହନ୍ତି। ଲୋକଙ୍କ ପାଇଁ କାମ କରିବାର ଦୃଢ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଯୋଗୁ ଆମ ଲୋକଙ୍କୁ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ପ୍ରାୟ ସମସ୍ତ ପ୍ରମୁଖ ପ୍ରତିଶ୍ରୁତିକୁ ସଫଳତାର ସହ କାର୍ଯ୍ୟକାରୀ କରିଛୁ । ଓଡିଶାର ପ୍ରତ୍ୟେକ ଅଞ୍ଚଳକୁ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଓ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ ଓଡିଶାକୁ ପ୍ରତ୍ୟେକ ସ୍ତରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଆମେ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛୁ। ଆମର ଲକ୍ଷ୍ୟ ଏକ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ ଓଡିଶା । ଗାଁର ବିକାଶ ହେଲେ, ବିକଶିତ ଓଡିଶାର ସ୍ବପ୍ନ ସାକାର ହେବ। ଏହାକୁ ଲକ୍ଷ୍ୟ ରଖି ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଜନମଙ୍ଗଳକାରୀ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଅଭିବୃଦ୍ଧି ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ  ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *