ମାଛ, କ୍ଷୀର, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଆମର ଲକ୍ଷ୍ୟ : ମନ୍ତ୍ରୀ

ଭୁବନେଶ୍ୱର: ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ସ୍ଥାନୀୟ କୃଷି ଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ବୈଠକରେ ଅଧ୍ୟକ୍ଷତା କରି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମାଛ, କ୍ଷୀର, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବା ପାଇଁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆମକୁ ଆତ୍ମନିର୍ଭରଶୀଳ ସହ ମାଛ, ମାଂସ, କ୍ଷୀର, ଅଣ୍ଡା ବିଦେଶକୁ ରପ୍ତାନୀ କରି ଆର୍ଥିକ ଭାବେ ସଶକ୍ତ ହେବା ପାଇଁ ମାନ୍ୟବର ମନ୍ତ୍ରୀ ଆହ୍ଵାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟାଦେଶପତ୍ର ବଣ୍ଟନ ଓ ସେଗୁଡିକର ସ୍ଥିତି ଉପରେ ବିଷଦ ଭାବେ ସମୀକ୍ଷା ହୋଇଥିଲା। ଏହି ଯୋଜନାର ସହାୟତା ଯଥା ସମୟରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଆମ ରାଜ୍ୟରେ ଦୈନିକ ପ୍ରାୟ ୭୨ ଲକ୍ଷ ଳିଟର ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଆସନ୍ତା ୫ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଏହାକୁ ଦୁଇ ଗଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏବେ ପର୍ଯ୍ୟନ୍ତ ୬୪,୦୦୦ ରୁ ଉର୍ଦ୍ଧ୍ଵ ଆବେଦନ ଗ୍ରହଣ କରାଯାଇଛି। ରାଜ୍ୟର ପ୍ରାଣିପାଳକମାନଙ୍କ ଆୟ ବୃଦ୍ଧି ପାଇଁ ବିଭାଗ ତରଫରୁ କୁକୁଡ଼ା ପାଳନ, ଗୋ-ପାଳନ ଓ ଦୁଗ୍ଧ ଉତ୍ପାଦନ, ଛେଳି ପାଳନ, ଘୁଷୁରୀ ପାଳନ, ଘାସ ଚାଷ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏହି ସବୁ କାର୍ଯ୍ୟକ୍ରମରେ ଚାଷୀଙ୍କୁ ଠିକ ସମୟରେ ଉଚିତ ପରିମାଣର ରିହାତି ଯୋଗାଇ ଦେଇ ଯୋଜନାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ତତ୍ପର ହେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଯୋଜନାକୁ ଅଧିକ ଲୋକାଭିମୁଖୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

୨୦୨୪-୨୫ ଆର୍ଥିକ ବର୍ଷରେ ୧.୫ କୋଟି ପ୍ରାଣିଙ୍କ ଚିକିତ୍ସା କରାଯାଇଥିବା ବେଳେ ୫ କୋଟିରୁ ଉର୍ଦ୍ଧ୍ଵ ଟୀକାକରଣ କରାଯାଇଛି। ପ୍ରାଣିସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ସେବା ଯୋଗାଇଦେବା ପାଇଁ ରାଜ୍ୟରେ ୫୪୧ ପ୍ରାଣିଚିକିତ୍ସାଳୟ, ୩୧୪ ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ, ୩୨୩୯ ପ୍ରାଣିସମ୍ପଦ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି। ଗାଁ ଗାଁ ବୁଲି ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ ଦ୍ଵାରା ଲୋକଙ୍କ ନିକଟରେ ପ୍ରାଣୀ ସେବା ପହଞ୍ଚାଇବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। ପ୍ରାଣିପାଳକମାନଙ୍କ ଆୟ ବୃଦ୍ଧି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ କହିଥିଲେ। ବୁଲା ଓ ଅସହାୟ ପ୍ରାଣୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟରେ ୧୪ ଗୋଟି ପ୍ରାଣୀ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ଏ ଦିଗରେ ୨୪ ଘଣ୍ଟିଆ ଆନିମଲ ହେଲ୍ପ ଲାଇନ କାର୍ଯ୍ୟ କରୁଛି। ଏହାକୁ ଆହୁରି ବ୍ୟାପକ କରି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳରେ ପ୍ରାଣୀ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ଲକ୍ଷ୍ୟ ରହିଛି।

ଏହି ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ରୀନା ମହାପାତ୍ର, ଏପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ସିୱାର ନିର୍ଦ୍ଦେଶକ ମୃଦୁଳା ଦେବୀ, ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *