ମୌଳିକ ଶିକ୍ଷାସ୍ତର ବୃଦ୍ଧି ନିମନ୍ତେ ପ୍ରୟାସ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ସଂଶୋଧନ) ଅଧିନିୟମ, ୨୦୨୫ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ନୂତନ ସଂଶୋଧନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ କରିବାକୁ ଚେଷ୍ଟା କରାଯିବ। ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ଛାତ୍ରଟିଏ ଯେପରି ତାହାର ମୌଳିକ ଶିକ୍ଷାସ୍ତର ହାସିଲ୍ କରିପାରିବ ସେ ନେଇ ପ୍ରୟାସ କରାଯାଇଛି ।

ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବେ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ। ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଏ, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ  ପୁନଃପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ। ପୁନଃପରୀକ୍ଷା ପରେ ମଧ୍ୟ ଆବଶ୍ୟକୀୟ ପଦୋନ୍ନତି ମାନଦଣ୍ଡ ପୂରଣ କରିବାରେ ବିଫଳ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସମାନ ଶ୍ରେଣୀରେ ରଖାଯାଇପାରିବ। ସଂଶୋଧନ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ଯେ ପ୍ରାଥମିକ ଶିକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ ।

ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯  ର ଧାରା ୩୮  ସହିତ ସମନ୍ୱିତ। ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନ ଶିକ୍ଷାଗତ ମାନ ବୃଦ୍ଧି କରିବା ସହ କୌଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନହେବ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ। 

Leave a Reply

Your email address will not be published. Required fields are marked *