ଯୁବଶକ୍ତିଙ୍କ ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ଓ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ପ୍ରାଧାନ୍ୟ ଦେଉଛୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ। ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି। ଭୁବନେଶ୍ୱର OUAT ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ତ୍ତ ବିଭାଗର ୫୬୩ଟି, ଜଳ ସମ୍ପଦ ବିଭାଗର ୬୨ଟି, ପଞ୍ଚାୟିତ ରାଜ ଓ ପାନୀୟ ଜଳ ବିଭାଗର ୧୧୭ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨୦୪ଟି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧୮ଟି ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ସବୁ ପଦବୀ ଗୁଡିକ ମଧ୍ୟରେ କନିଷ୍ଠ ଯନ୍ତ୍ରୀ, କନିଷ୍ଠ ପ୍ରବର୍ତ୍ତନ ଅଧିକାରୀ, ଟ୍ରେସର, ବୈଧ ମାପ ବିଜ୍ଞାନ ନିରୀକ୍ଷକ, ଜୁନିଅର ଆକାଉଣ୍ଟାଣ୍ଟ ପଦବୀ ରହିଛି।
ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ରଜ ଶୁଭେଚ୍ଛା ଜଣାଇ ଉଦବୋଧନ ଦେଇ କହିଥିଲେ ଯେ, ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ, ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରତିଶ୍ରୁତିବଦ୍ଧ ହୋଇ ଆପଣ ମାନେ କାମ କରିବେ ବୋଲି ମୋର ଆଶା ଓ ବିଶ୍ୱାସ । ସରକାରୀ ସ୍ତରରେ ଆପଣଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ଯ୍ୟ ଜନ ମଙ୍ଗଳ ଉପରେ ଯେପରି ଆଧାରିତ ହେବ ସେଥପ୍ରତି ଆପଣ ମାନେ ଯତ୍ନବାନ ହେବେ।
ସେ କହିଥିଲେ, ଆମ ସରକାର ୫ ବର୍ଷରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଛି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଆଜି ସୁଦ୍ଧା ୨୮,୩୪୬ ସରକାରୀ ନିଯୁକ୍ତି ଦିଆଗଲାଣି। ଏହା ଆମ ପାଇଁ ଏକ ଐତିହାସିକ ଉପଲବ୍ଧି। ୨୦୨୬ ଜୁନ ସୁଦ୍ଧା ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟ ୬୫ ହଜାର ଅତିକ୍ରମ କରିଯାଇଥିବୁ। କେବଳ ସରକାରୀ ସ୍ତରରେ ନୁହେଁ, ବେସରକାରୀ ସ୍ତରରେ ପ୍ରଥମ ବର୍ଷରେ ଆମେ ୪୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛୁ। ଗୋଟଏ ବର୍ଷ ମଧ୍ୟରେ ଆମେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୭୩,୩୪୬ ଜଣଙ୍କୁ ନିଯୁକ୍ତି ଦେଇଛୁ। ଯୁବ ଶକ୍ତିକୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି। ଯୁବ ଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ଶିଳ୍ପାୟନ ମାଧ୍ୟମରେ ମଧ୍ୟ ଆମେ ଯୁବ ଶକ୍ତିଙ୍କ ପାଇଁ ଆଣିଛୁ ବିପୁଳ ନିଯୁକ୍ତି ସୁଯୋଗ। ଉତ୍କର୍ଷ ଓଡିଶା ୨୦୨୫ ରାଜ୍ୟରେ ୧୬ଟି କ୍ଷେତ୍ରରେ ୧୭ ଲକ୍ଷର ପୁଞ୍ଜିନିବେଶ ସହ ୧୨.୯୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଉତ୍କର୍ଷ ଓଡିଶା ଆୟୋଜନର ୫ ମାସ ମଧ୍ୟରେ ୫୬ଟି ଶିଳ୍ପାନୁଷ୍ଠାନର ଉଦଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଇଛି। ଏହା ମାଧ୍ୟମରେ ୧.୧୦ ଲକ୍ଷ ନିଯୁକ୍ତି ନିଶ୍ଚିତ ହୋଇଛି।
ସେ ପୁଣି କହିଥିଲେ, ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ପାରଦର୍ଶୀ ଓ ଦୁର୍ନୀତିମୁକ୍ତ କରିବା ପାଇଁ କଡା ଆଇନ ପ୍ରଣୟନ କରାଯାଇଛି। ଶେଷରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ସମାଜ ଓ ରାଜ୍ୟର ବିକାଶ ପାଇଁ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଭିନ୍ନ ବିଭାଗର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ସମୃଦ୍ଧ ଓଡିଶା ଗଠନରେ ଆପଣ ମାନଙ୍କଭଳି ଯୁବ ପ୍ରତିଭାଙ୍କ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଲେ ଯେ ଓଡିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢୁଛି, ଆପଣ ମାନଙ୍କ ଜ୍ଞାନ ଓ ବୁଦ୍ଧିର ପ୍ରୟୋଗରେ ଓଡିଶା ଶୀର୍ଷକୁ ଯିବ, ସେଥିପାଇଁ ଆପଣ ମାନେ ସଂକଳ୍ପବଦ୍ଧ ହୋଇ କାମ କରିବେ ବୋଲି ମୋର ବିଶ୍ୱାସ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଓଡିଶା ବିକାଶ ରଥର ଡୋରି ଆପଣମାନଙ୍କ ହାତରେ ଅଛି। ଆପଣମାନେ ବିକାଶ ରଥକୁ ସଫଳତାର ସହ ପରିଚାଳନା କରିବେ ବୋଲି ମୋର ବିଶ୍ୱାସ।
କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ନବ ନିଯୁକ୍ତ ଶିବଲାଲ୍ କିଶନ, ଜଳ ସମ୍ପଦ ବିଭାଗର ଅନୁସୟା ମହାନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବି. ପ୍ରବୋଧ ରଞ୍ଜନ ପାତ୍ର ଓ ସନ୍ଧ୍ୟାରାଣୀ ସାହୁ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଚଣ୍ଡୀପ୍ରସାଦ ମିଶ୍ର ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଆଦ୍ୟାଶ ସିଂ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସମୟାନୁଭିତ୍ତିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।