‘ରାଜସ୍ୱ ଅଧିକାରୀ ଜନସାଧାରଣଙ୍କ ଆସ୍ଥା ଭାଜନ ହୁଅନ୍ତୁ’

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଚାଲିଥିବା ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଉଦଯାପିତ ହୋଇଛି| ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେ ଯେ ରାଜସ୍ୱ ଅଧିକାରୀ ମାନଙ୍କୁ ଜନସାଧାରଣ ତଥା ରାଜ୍ୟର ସ୍ୱାର୍ଥକୁ ଆଖି ଆଗରେ ରଖି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପଡିବ|ସାଧାରଣ ଜନତାଟିଏ ସଠିକ ସମୟରେ ଉପଯୁକ୍ତ ନ୍ୟାୟ ପାଇବା ଉଚିତ | ଆପଣମାନଙ୍କୁ ସମସ୍ତ ସମସ୍ୟାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ଅନୁସନ୍ଧାନ କରି ନିଷ୍ପତି ନେବା ଉଚିତ| ସରକାର ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ ଅଟନ୍ତି | ତୃଣମୂଳ ସ୍ଥରରେ ଆପଣମାନେ ପ୍ରଶାସନକୁ ଲୋକମାନଙ୍କର ନିକଟତର କରାଇବାରେ ସହାୟକ ହୋଇପାରିବେ |
କାର୍ଯ୍ୟକ୍ରମରେ ରାଜସ୍ବ ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଏହି ଦୁଇ ଦିନିଆ ସମ୍ମିଳନୀ ଉଦଯାପିତ ହୋଇଛି | ଏହା ସଫଳ ହୋଇଛି| ଏଠାରେ ଯେଉଁ ମାନସ ମନ୍ଥନ ହେଲା ରାଜସ୍ୱ ଅଧିକାରୀ ମାନଙ୍କୁ ନୁଆ ଦିଶା ଦେବ|ଆଗାମୀ ଦିନରେ ନିଶ୍ଚିତ ଭାବେ ସେମାନେ ନୂତନ ଉତ୍ସାହ ଓ ଉଦ୍ଦୀପନା ସହ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ|ଏହିଭଳି ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତି ଦୁଇ ବର୍ଷରେ ରାଜ୍ୟସ୍ତରରେ ଏହିଭଳି ସମ୍ମିଳନୀ ଆୟୋଜିତ ହେବ ଓ ରେଭିନ୍ୟୁ ଡିଭିଜନ କମିଶନଙ୍କ ସ୍ତରରେ ପ୍ରତି ଛଅ ମାସରେ ଅନୁଷ୍ଠିତ ହେବ |
ବସୁନ୍ଧରା ଯୋଜନାରେ ଜମି ବଣ୍ଟନ, ରାଜସ୍ୱ ଗ୍ରାମ ସୃଷ୍ଟି, ଓଡିଶା ସରକାରୀ ଜମି ବନ୍ଦୋବସ୍ତ ନିୟମର ସଠିକ ପାଳନ, ସ୍କୁଲ କଲେଜକୁ ପଟ୍ଟା ବଣ୍ଟନ ଆଦି କାର୍ଯ୍ୟ ଆପଣମାନେ ନିଷ୍ଠାପର ଭାବେ ପାଳନ କରନ୍ତୁ| ଆମକୁ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ମାନସିକତାରେ ପରିବର୍ତନ ଆଣିବାକୁ ପଡିବ| ଜନସାଧାରଣ ସହାୟତା ପାଇବା ପାଇଁ ହକଦାର, ସେମାନେ କାହାର ଦୟାର ପାତ୍ର ନୁହନ୍ତି | ଆମେ ଜନ ସାଧାରଣଙ୍କ ସେବକ| ଆମକୁ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପଡିବ, ସେମାନଙ୍କ ମଧ୍ୟ ଆସ୍ଥା ଭାଜନ ହେବାକୁ ପଡିବ|
ବାତ୍ୟା ‘ଦାନା’ କୁ ସରକାର ସଠିକ ଭାବେ ପରିଚାଳନା କରିଥିବା ବେଳେ ବାତ୍ୟା ପରେ ଖୁବ କମ୍ ସମୟ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ କ୍ଷତି ପୂରଣ ଦିଆଯାଇ ପାରିଛି| ଅଦିନିଆ ବର୍ଷାକୁ ମଧ୍ୟ ସରକାର ରାଜ୍ୟ ପ୍ରାକୃତିକ ବିପର୍ଯୟ ଭାବେ ଘୋଷଣା କରିଛନ୍ତି| ଏବେ ସରକାର ପୂର୍ବରୁ ପ୍ରଚଳିତ ରିଲିଫ କୋଡ଼ରେ ସଂଶୋଧନ ଆଣିବାକୁ ଯାଉଛନ୍ତି| ରାଜସ୍ୱ ବିଭାଗକୁ ନୁଆ ଦିଶା ଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ| ନୂତନ ଓଡିଶା ଗଠନ ଦିଗରେ ରାଜସ୍ୱ ବିଭାଗ ଉଲ୍ଲେଖନୀୟ ଅବଦାନ ରଖିବ | ରାଜସ୍ୱ ଅଧିକାରୀମାନେ ଏ ଦିଗରେ ଗୁରୁତ୍ୱପୁର୍ଣ ଭୂମିକା ଗ୍ରହଣ କରିବେ ବୋଲି ମୋର ଆଶା ଓ ବିଶ୍ୱାସ|
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ରାଜସ୍ୱ ଅଧିକାରୀ ମାନଙ୍କୁ ଉତ୍ସାହିତ କରି କହିଲେ ଯେ ଆପଣମାନେ କଠିନରୁ କଠିନ ପରିସ୍ଥିତି ଓ ପ୍ରତିଯୋଗିତା ମାଧ୍ୟମରେ ଉତ୍ତୀର୍ଣ ହୋଇ ଆସିଛନ୍ତି| ଆପଣମାନଙ୍କ ମଧ୍ୟରେ ପ୍ରତିଭା ଓ ଦକ୍ଷତା ଅଛି | ଏହାର ସତ୍ଉପଯୋଗ କରି ଜନସାଧାରଣ ଉନ୍ନତି ଦିଗରେ ବ୍ରତୀହୁଅନ୍ତୁ| ପ୍ରାରମ୍ଭରେ ବିଭାଗୀୟ ଅତିରିକ୍ତ ସଚିବ ମଧୁସ୍ମିତା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ| ଏଥିରେ ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନାଲ କମିଶନର ସଚିନ୍ ରାମ ଚନ୍ଦ୍ର ଯାଦବ, ରୁପା ରୋଶନ ସାହୁ, ବି ପରମେଶ୍ୱରନ୍ ପ୍ରମୁଖ ଯୋଗ ଦେଇଥିବାବେଳେ ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତହସିଲଗୁଡିକୁ ସମ୍ମାନିତ କରାଯାଇଥିଲା | ଓଡିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦେଶକ କମଳ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ|