ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଜନଜାତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନରେ ଲକ୍ଷ୍ୟ ରଖିବା ଉଚିତ ଏବଂ ଶିକ୍ଷା ହିଁ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଚଳିତ ଜୁନ ୧୯ ତାରିଖ ସନ୍ଧ୍ୟାରେ ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ରାଜ ଭବନର ଅଭିଷେକ ହଲ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତିI ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ଜୁନ ୧୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ I  ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୪ ଟି ଜିଲ୍ଲାର +୨, ସ୍ନାତକ ଏବଂ ସ୍ନାତକୋତ୍ତରସ୍ତରରେ ଅଧ୍ୟୟନ କରୁଥିବା ୭୨ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ଏବଂ ଏଯାବତ ରାଜ୍ୟ ସଂଗ୍ରହାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା ବିଧାନ ସଭା, କଳିଙ୍ଗ ଷ୍ଟାଡିୟମ, ଆଇଆଇଟି ଭୁବନେଶ୍ୱର ଓ ଏସଡିଆଇ ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଛନ୍ତି I 

ଛାତ୍ରଛାତ୍ରୀ ମାନଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିବା ଅବସରରେ ସେମାନଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଶିକ୍ଷାଗତ ଏବଂ କଲ୍ୟାଣକାରୀ ଯୋଜନା ବିଷୟରେ ସେମାନେ ସଚେତନ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ I  ବିଶେଷ ଭାବରେ ପିଏମ- ଜେଜେବିୱାଇ, ପିଏମ- ଏସବିୱାଇ, ପେସା ଏବଂ ଜଙ୍ଗଲ ଅଧିକାର ଅଧିନିୟମ ଭଳି ଅନେକ ଲୋକାଭିମୁଖୀ ଯୋଜନା/ କାର୍ଯ୍ୟକ୍ରମର ଉଦାହରଣ ଦେଇ ଛାତ୍ରଛାତ୍ରୀମାନେ ଏ ସମ୍ପର୍କରେ ଭଲ ଭାବେ ବୁଝିବା ସହିତ ସେମାନଙ୍କର ଅଭିଭାବକ ତଥା ଅନ୍ୟମାନଙ୍କୁ ବୁଝାଇଲେ ଏହା ଦ୍ୱାରା ସେମାନେ ଉପକୃତ ହୋଇ ପାରିବେ ବୋଲି କହିଥିଲେI  ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀରେ ଅନୁସୂଚିତ ଜନଜାତିଙ୍କ ପାଇଁ ଉପଲବ୍ଧ ସଂରକ୍ଷଣ ବ୍ୟବସ୍ଥା ଉପରେ ଭଲ ଭାବେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ I  ଏତତବ୍ୟତୀତ ଅନୁସୂଚିତ ଜନଜାତିଙ୍କ ପାଇଁ ପ୍ରଦତ୍ତ ହୋଇଥିବା ଅଧିକାର ଏବଂ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇପାରିଲେ ସମ୍ପ୍ରଦାୟର ପ୍ରଭୂତ ଉନ୍ନତି ହୋଇ ପାରିବ ବୋଲି ରାଜ୍ୟପାଳ କହିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସେମାନଙ୍କର ଅଭିଜ୍ଞତା ଓ ଉପଲବ୍ଧି ବାଣ୍ଟିଥିଲେ I  ରାଜ୍ୟପାଳ ସେମାନଙ୍କ ସହିତ ଭାବ ବିନିମୟ କରି ଆନନ୍ଦ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I

Leave a Reply

Your email address will not be published. Required fields are marked *