ରାଜ୍ୟ ଅଭିଲେଖାଗାରରେ ଅଭିଲେଖ ସପ୍ତାହ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ଅଭିଲେଖ ସପ୍ତାହ ଉତ୍ସବ ପାଳିତ ହୋଇଯାଇଛି। ଅଭିଲେଖ ସପ୍ତାହ ଉତ୍ସବ ପାଳନ ହେବା ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ “ପୁରାତନ ମାନଚିତ୍ରର ଅଭିଲେଖ” ପ୍ରଦର୍ଶନୀ ଆୟୋଜିତ ହେଉଛି ଯାହା ଆସନ୍ତା ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଗବେଷକ, ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସମସ୍ତ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ। ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖ ସୋଲେମାନ ଅଲ୍ଲୀ “ପୁରାତନ ମାନଚିତ୍ରର ଅଭିଲେଖ” ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ଅଭିଲେଖାଗାରରେ “ଇତିହାସ ପୁନଃ ନିର୍ମାଣରେ ଅଭିଲେଖ ଉତ୍ସବର ଗୁରୁତ୍ୱ” ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଶିକ୍ଷା ଓ ଅନୁସନ୍ଧାନ ଡ଼ିମ୍ଡ଼ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡ଼. ପ୍ରଫୁଲ୍ଲ କୁମାର ମହାନ୍ତି  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ଓ ଓଡ଼ିଶାର ଇତିହାସ ଏବଂ ଅଭିଲେଖ ଉପାଦାନର ମହତ୍ତ୍ୱ ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖ ସୋଲେମାନ ଅଲ୍ଲୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁ ଶାସନ ସଚିବ ବନାନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *