ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ମହିଳା ଓ କିଶୋରୀମାନଙ୍କର ରକ୍ତହୀନତା ଏବଂ ପିଲାମାନଙ୍କର ଦୃଷ୍ଟି ସମସ୍ୟା ନିରାକରଣ ଉପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ଜୁନ ୧୦ ତାରିଖ ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ ସମୟରେ ବୃଦ୍ଧି ପାଉଥିବା ରକ୍ତହୀନତା ଓ ଦୃଷ୍ଟି ସମସ୍ୟା ଚିନ୍ତାଜନକ ବୋଲି ରାଜ୍ୟପାଳ କହିବା ସହିତ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ନିୟମିତ ପରୀକ୍ଷା ଏବଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରି ହିମୋଗ୍ଲୋବିନ ସ୍ତରକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଗାଜର- ବିଟ୍ ଜୁସ୍, ଚିକି ଭଳି ଖାଦ୍ୟ ସମଗ୍ରୀ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଏହିପରି ଖାଦ୍ୟପେୟର ଉପଯୋଗୀତା ଜାଣିବା ପାଇଁ ପରବର୍ତ୍ତୀ ପରୀକ୍ଷା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ସ୍କୁଲ ପିଲାମାନଙ୍କ ମଧ୍ୟରେ ବର୍ଦ୍ଧିତ ଦୃଷ୍ଟି ସମସ୍ୟା ଉପରେ ରାଜ୍ୟପାଳ ଚିନ୍ତା ପ୍ରକଟ କରି ପ୍ରତ୍ୟେକ ସ୍କୁଲରେ ଅତି କମରେ ଜଣେ ଶିକ୍ଷକଙ୍କୁ ପିଲାଙ୍କର ଆଖି ସମସ୍ୟା ଚିହ୍ନଟ ପାଇଁ ମୌଳିକ ତାଲିମ ଦିଆଯିବାର ଆବଶ୍ୟକତା ରହିଛି ବୋଲି କହିବା ସହିତ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରିବେ ବୋଲି କହିଥିଲେ। ପରିଦର୍ଶନ ସମୟରେ ରାଜ୍ୟପାଳ ପ୍ରତିଷ୍ଠାନରେ ଉପଲବ୍ଧ ସୁବିଧା, ମାଳତୀ ଚୌଧୁରୀ ନିବାସ, ରେସିପି ଓ ଟୋୟାଥନ ପ୍ରଦର୍ଶନ ୟୁନିଟ, ମଡେଲ ଅଙ୍ଗନବାଡି କେନ୍ଦ୍ର, ଯୋଗକେନ୍ଦ୍ର ଏବଂ ପାଠାଗାର ପରିଦର୍ଶନ କରିଥିଲେ। ପ୍ରଶିକ୍ଷାର୍ଥୀମାନଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କର ତାଲିମ, ଉପଲବ୍ଧ ସୁବିଧା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ସମସ୍ତ ଯୋଜନାଗୁଡିକ ତାଲିକାଭୁକ୍ତ କରି ଏବଂ ପୁସ୍ତିକା ପ୍ରସ୍ତୁତ କରି ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀମାନଙ୍କୁ ବଣ୍ଟନ କରିବାକୁ କର୍ମକର୍ତ୍ତାମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏହା ହେଲେ ଆଗ ଧାଡ଼ିର କର୍ମୀମାନଙ୍କ ଦ୍ୱାରା ତୃଣମୂଳ-ସ୍ତରରେ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ଏବଂ ଅଧିକ ଲୋକ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ ବୋଲି କହିଥିଲେ। ଏହି ଅବସରରେ ପ୍ରତିଷ୍ଠାନର କାର୍ଯ୍ୟଧାରା ସମ୍ପର୍କିତ ତଥ୍ୟ ରାଜ୍ୟପାଳଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ରାଜ୍ୟପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *